xmas

ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ମାଲକାନଗିରିରୁ ୩ଜଣ କୃତକାର୍ଯ୍ୟ, ଜିଲ୍ଲାର ଲକ୍ଷ୍ୟ କୋଚିଂ ସେଣ୍ଟର ଯୋଗୁଁ ସଫଳ ହେଉଛନ୍ତି ଯୁବପିଢୀ

ମାଲକାନଗିରି, ୧୯।୧୦ ଓଡିଶା ପ୍ରଶାସନିକ ସେବା (ଓଏଏସ) ପରୀକ୍ଷାରେ ମାଲକାନଗିରି ଜିଲ୍ଲାର ୩ ଯୁବକ ଯୁବତୀ କୃତକାର୍ଯ୍ୟ ହାସଲ କରିଛନ୍ତି। ତେବେ ଏହା ମଧ୍ୟରେ ଜିଲ୍ଲାର ଲକ୍ଷ୍ୟ କୋଚିଂ ସେଣ୍ଟର ବିଦ୍ୟାର୍ଥୀ ଶ୍ୟାମା ମାଢୀ ଓଏଏସ ୨୦୨୨-୨୩ ପରୀକ୍ଷାରେ ୬୩୧ ସ୍ଥାନ ହାସଲ କରିଛନ୍ତି। କୋରକୁଣ୍ଡା ବ୍ଲକ ପଟ୍ରେଲ୍ ଗ୍ରାମ ନିବାସୀ ବାସୁଦେବ ମାଢୀ ଓ ୱାଗେ ମାଢୀଙ୍କ ସନ୍ତାନ ଶ୍ୟାମା ୨୦୧୪ରେ ଗୋବିନ୍ଦପାଲ୍ଲି ଉଚ୍ଚ ବିଦ୍ୟାଳୟରୁ ଦଶମ ଶ୍ରେଣୀ, କିସ୍ ଭୁବନେଶ୍ବରରୁ ଯୁକ୍ତ ଦୁଇ ଏବଂ ମାଲକାନଗିରି ମଡେଲ ଡ଼ିଗ୍ରୀ କଲେଜରୁ ବଟାନୀରେ ସ୍ନାତକ ଉତ୍ତୀର୍ଣ୍ଣ କରିଛନ୍ତି। ସୂଚନା ଥାଉ କି ଜିଲ୍ଲା ପ୍ରଶାସନ ଦ୍ଵାରା ଜିଲ୍ଲାର ଯୁବ ଗୋଷ୍ଠୀଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷାରେ କୃତକାର୍ଯ୍ୟ ହେବା ପାଇଁ ଲକ୍ଷ୍ୟ କୋଚିଂ ସେଣ୍ଟର ଆରମ୍ଭ କରାଯାଇଛି। ଗୁରୁକୁଳ ଆଇଏଏସ ଏକାଡେମୀ ତରଫରୁ ଅନଲାଇନ ଓ ଅଫଲାଇନ ମାଧ୍ୟମରେ ସମସ୍ତ ପ୍ରକାର ସୁବିଧା ସହ କୋଚିଂ ପ୍ରଦାନ କରାଯାଉଛି। ଜିଲ୍ଲା ପ୍ରଶାସନର ଏହି ପ୍ରୟାସ ଦ୍ବାରା ଶ୍ୟାମାଙ୍କ ସ୍ବପ୍ନ ସାକାର ହୋଇପାରିଛି। ତାଙ୍କର ଏହି ସଫଳତା ଅନ୍ୟ ଯୁବକ ଯୁବତୀଙ୍କୁ ପ୍ରେରଣା ଯୋଗାଇବ। ତେବେ ଏହା ବ୍ୟତୀତ ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ମେଣ୍ଡୁକୁଲି ଗ୍ରାମର ଭାଗ୍ୟଶ୍ରୀ ମିଶ୍ର ୧୩୮ ରିଆଙ୍କ ପାଇ କୃତିତ୍ଵ ହାସଲ କରିଥିବା ବେଳେ ଜିଲ୍ଲା ସଦରର ପିଲହୋଲିକା ପ୍ରିୟଦର୍ଶିନୀ ୪୮୪ ରିଆଙ୍କ ପାଇଛନ୍ତି। ଉଭୟ ନିଜର ସଫଳତା ପାଇଁ ନିଜ ପରିବାର, ଶିକ୍ଷକ ଶିକ୍ଷୟତ୍ରିଙ୍କୁ ଶ୍ରେୟ ଦେଇଛନ୍ତି।

Leave A Reply

Your email address will not be published.