xmas

ଭି.ଏସ.ଏସ. ନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ

ଭୁବନେଶ୍ବର, ୨୧।୧୦: ସ୍କୁଲ୍‌ରେ ଆବଶ୍ୟକୀୟ ଶିକ୍ଷକ ନାହାନ୍ତି। ଯେତିକି ସଂଖ୍ୟକ ପିଲାଙ୍କ ନାମ ଲେଖା ହେଉଛି, ସେହି ତୁଳନାରେ ଶ୍ରେଣୀ ଗୃହ ନାହିଁ। ଶିକ୍ଷକ ଅଭାବରୁ ଅଧା ଦିନ ଶ୍ରେଣୀ ଗୃହ ଫାଙ୍କା ପଡ଼ୁଛି। ପିଲା ସ୍କୁଲ ଶିକ୍ଷାଗ୍ରହଣ ପାଇଁ ଆସୁଛନ୍ତି ସତ ହେଲେ ବସି ବସି ଘରକୁ ଫେରୁଛନ୍ତି। ଏହାକୁ ନେଇ ସ୍କୁଲ୍ କର୍ତ୍ତୃପକ୍ଷ, ଅଭିଭାବକ ଓ ପୂରାତନ ଛାତ୍ର ସଂସଦ ପକ୍ଷରୁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ସମସ୍ୟାର ସମାଧାନ ହୋଇପାରୁନି। ଶେଷରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ନେଇଛି। ସେମାନେ ସ୍କୁଲ୍ ଫାଟକରେ ତାଲା ପକାଇ ସ୍କୁଲ୍ ସମ୍ମୁଖ ରାସ୍ତାରେ ଧାରଣାରେ ବସିଥିଲେ। ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀର ଛାତି ଉପରେ ଥିବା ଭିଏସ୍ଏସ୍ ନଗର ବୀର ସୁରେନ୍ଦ୍ର ସାଏ ଉଚ୍ଚ ବିଦ୍ୟାଳୟରେ। ଶେଷରେ ଅପରାହ୍ଣରେ ବ୍ଲକ୍ ଶିକ୍ଷାଧିକାରୀ(ବିଇଓ) ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଗୋଟିଏ ସପ୍ତାହ ମଧ୍ୟରେ ଶିକ୍ଷକ ପଦବୀ ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପରେ ଧାରଣା ପ୍ରତ୍ୟାହୃତ ହୋଇଥିବା ପୁରାତନ ଛାତ୍ର ସଂସଦର ସଭାପତି ସୌମ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।

ସୂଚନାନୁସାରେ, ୧୯୯୦ରେ ପ୍ରତିଷ୍ଠା ହୋଇଥିବା ଏହି ବିଦ୍ୟାଳୟର ଏହି ଖଣ୍ଡମଣ୍ଡଳରେ ବେଶ ଖ୍ୟାତି ରହିଛି। ପ୍ରତିବର୍ଷ ଏହି ବିଦ୍ୟାଳୟରୁ ମେଧାବୀ ଛାତ୍ରଛାତ୍ରୀ ଉତ୍ତୀଣ୍ଣ ହେଉଛନ୍ତି। ହେଲେ ଦୁଃଖ ଓ ପରିତାପର ବିଷୟ ସରକାରଙ୍କ ନାକ ତଳେ ଥିବା ଏହି ସରକାରୀ ସ୍କୁଲ୍‌ର ସୁନେଲ ଭବିଷ୍ୟତକୁ ସରକାରୀ ବାବୁମାନେ ଅନ୍ଧାରକୁ ଠେଲି ଦେବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏଠାରେ ପାଖାପାଖି ୪ଶହରୁ ଊର୍ଦ୍ଧ୍ବ ପିଲା ପାଠ ପଢ଼ୁଛନ୍ତି। ଏଥିପାଇଁ ୧୦ଟି ମଞ୍ଜୁରପ୍ରାପ୍ତ ଶିକ୍ଷକ ପଦବୀ ରହିଛି। ହେଲେ ଶିକ୍ଷକ ଅଛନ୍ତି ମାତ୍ର ୭ଜଣ। ତିନି ଜଣ ଶିକ୍ଷକଙ୍କ ଅନୁପସ୍ଥିତ କାରଣରୁ ଶିକ୍ଷାଦାନ ସଠିକ ଭାବେ ହୋଇପାରୁନି। ବର୍ଷ ବର୍ଷ ଧରି ଶିକ୍ଷକ ପଦବୀ ଖାଲି ପଡ଼ିଥିବାରୁ ଦିନକୁ ଦିନ ସ୍କୁଲ୍‌ର ଫଳାଫଳ ଉପରେ ଏହାର ପ୍ରଭାବ ପଡ଼ୁଛି। ସେହିଭଳି ପିଲା ବସିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ ନାହିଁ। ଗୋଟିଏ ଗୋଟିଏ କକ୍ଷରେ ଖୁନ୍ଦା ଖୁନ୍ଦା ହୋଇ ଆବଶ୍ୟକତାଠାରୁ ଅଧିକ ସଂଖ୍ୟକ ପିଲା ବସୁଛନ୍ତି। ଫଳରେ ପିଲାମାନେ ପାଠ ପଢ଼ିବା ପାଇଁ ଉପଯୁକ୍ତ ଶୈକ୍ଷକ ବାତାବରଣର ଅଭାବ ରହୁଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ସମସ୍ୟା ବହୁଳ ଏ ପୁରାତନ ସ୍କୁଲ୍‌ର ଏତାଦୃଶ ସମସ୍ୟା ସୁଧାରିବା ପାଇଁ ବିଭାଗୀୟ ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଧଷ୍ଠରେ ଅଭିଯୋଗ କରାଯାଇଛି। ହେଲେ ସମସ୍ୟାର ସମାଧାନ ବଦଳରେ ଚାରିଆଡୁ କେବଳ ଫମ୍ପା ପ୍ରତିଶ୍ରୁତି ମିଳିଛି। ତେଣୁ ପିଲାମାନଙ୍କର ପୁଞ୍ଜିଭୂତ ଅସନ୍ତୋଷ ଆଜି ବିସ୍ଫୋରକ ରୂପ ଧାରଣ କରିଛି। ସ୍କୁଲ୍ ଗେଟ୍‌ରେ ତାଲା ପକାଇ ପିଲାମାନେ ଦିନବ୍ୟାପୀ ଖରାରେ ଆମରଣ ଅନଶନରେ ବସିଛନ୍ତି। ବ୍ଲକ୍ ଶିକ୍ଷାଧିକାରୀ ପ୍ରଜ୍ଞା ପରମିତା ଜେନା ଅପରାହ୍ଣ ୩ଟାରେ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବୁଝାସୁଝା କରିବା ସହ ୭ଦିନ ଅର୍ଥାତ୍ ଆଗାମୀ ଗୋଟିଏ ସପ୍ତାହ ଭିତରେ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ଶ୍ରେଣୀଗୃହ ପାଇଁ ମଧ୍ୟ ଉପରିସ୍ଥ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏମିତିକି ଆସନ୍ତାକାଲି ଜିଲ୍ଲା ଶିକ୍ଷାଧିକାରୀ ଆସି ଏ ସମସ୍ୟାର ସମାଧାନ ଦିଗରେ ଅଭିଭାବକ ଓ ଛାତ୍ର ସଂଘ ଆଲୋଚନା କରିବା ବୋଲି ଶ୍ରୀମତୀ ଜେନା ଜଣାଇଛନ୍ତି।

ଏ ସଂପର୍କରେ ପୁରାତନ ଛାତ୍ର ସଂସଦର ସଭାପତି ଶ୍ରୀ ପ୍ରଧାନ କହିଛନ୍ତି, ଆମେ ଦୀର୍ଘ ଦିନ ସ୍କୁଲ୍‌ର ସମସ୍ୟା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରୁଥିଲେ ହେଁ କେହି ହେଲେ କର୍ଣ୍ଣପାତ କରୁନାହାନ୍ତି। ଶେଷରେ ବାଧ୍ୟ ହୋଇ ବର୍ତ୍ତମାନ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଓ ଅଭିଭାବକ ମିଶି ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବାକୁ ବାଧ୍ୟ ହେଲୁ। ବ୍ଲକ୍ ଶିକ୍ଷାଧିକାରୀଙ୍କ ପ୍ରତିଶ୍ରୁତି ମୁ୍ତାବକ ଖୁବ୍‌ଶୀଘ୍ର ଆମ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନ ତୀବ୍ରତର ହେବା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Leave A Reply

Your email address will not be published.