ଦଳ ବିରୋଧୀ କାର୍ଯ୍ୟ ପାଇଁ ଦୁଇ ବିଜେଡି ଜିଲ୍ଲା ସମ୍ପାଦକଙ୍କୁ ମାଲକାନଗିରି ବିଜେଡି ଜିଲ୍ଲା ସଭାପତିଙ୍କ କାରଣ ଦର୍ଶାଅ ନୋଟିସ ଜାରି
ମାଲକାନଗିରି, ୨୭/୧୦: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ମାଲକାନଗିରି ଜିଲ୍ଲାର ଦୁଇ ଜଣ ବିଜେଡି ଜିଲ୍ଲା ସମ୍ପାଦକଙ୍କୁ ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ କାରଣ ଦର୍ଶାଅ ନୋଟିସ ଆଜି ଜାରି କରିଛନ୍ତି । ଆସନ୍ତା ସାତ ଦିନ ମଧ୍ୟରେ ସନ୍ତୋଷଜନକ ଉତ୍ତର ନ ମିଳିଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉକ୍ତ ନୋଟିସରେ ଉଲେଖ୍ୟ ରହିଛି।
ମାଲକାନଗିରି ଜିଲ୍ଲା ବିଜେଡି ଦଳର ସାଧାରଣ ସମ୍ପାଦକ ମଦନ ଖୋସଲା ଓ ସମ୍ପାଦକ ସମନାଥ ବାର୍ଶେ ଏହି ଦୁଇ ଜଣଙ୍କ ବିରୋଧରେ ଜାରି କରାଯାଇଥିବା କାରଣ ଦର୍ଶାଅ ନୋଟିସରେ ଉଲେଖ୍ୟ ରହିଛି ଯେ କୋରୁକୋଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଜିତୁ ବୁରୁଡି ଓ କୋରୁକୋଣ୍ଡା ବ୍ଲକ ସଭାପତି ସତ୍ୟ ନାରାୟଣ ପାଣିଗ୍ରାହି ଦୁଇ ଜଣ ଜିଲ୍ଲା ବିଜେଡି ସଭାପତିଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଓ ଅଡିଓ କ୍ଲିପ୍ରେ ଜଣାଇ ଛନ୍ତି ଦୁଇ ବିଜେଡି ସମ୍ପାଦକ ମଦନ ଓ ସମନାଥ ମିଶି କଂଗ୍ରେସ ନେତା ଓ କର୍ମକର୍ତ୍ତାଙ୍କ ସହ ସଲାସୁତର ହୋଇ ବ୍ଲକ ଅଧ୍ୟକ୍ଷଙ୍କ ବିରୋଧରେ ଦଳୀୟ ସଭ୍ୟ ସଭ୍ୟାଙ୍କୁ ଅନସ୍ଥା ପ୍ରସ୍ତାବ ଆଣିବା ପାଇଁ ଉସୁକାଇ ଷଡ଼ଯନ୍ତ୍ର କରିଛନ୍ତି। ଏଣୁ ବିଜେଡି ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ମାଧ୍ୟମରେ ଅବଗତ କରାଯାଉଛି କି, ଏହିଭଳି ଦଳ ବିରୋଧୀ କାର୍ଯ୍ୟ କଳାପରେ ସମ୍ପୃକ୍ତି ପାଇଁ ଦଳ ତରଫରୁ ଆପଣମାନଙ୍କ ବିରୋଧରେ କାହିଁକି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ନାହିଁ ତାର ସନ୍ତୋଷଜନକ ଲିଖିତ ଉତ୍ତର ଆଜିଦିନ ଠାରୁ ସାତ ଦିନ ମଧ୍ୟରେ ଜିଲ୍ଲା ସଭାପତିଙ୍କ ନିକଟରେ ଦଳ ପ୍ରତି ଆନୁଗତ୍ୟର ପ୍ରମାଣ ସହ କୈଫିୟତ ବ୍ୟକ୍ତିଗତ ସ୍ତରରେ ଦାଖଲ ଦେବେ । ନଚେତ୍ ଦଳ ତରଫରୁ ଆପଣଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କିର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବୁ ବୋଲି ଜିଲ୍ଲା ସଭାପତି ଏହି ଦୁଇ ସମ୍ପାଦକଙ୍କୁ ସୋକଜ ନୋଟିସ ଆଜି ଜାରି କରିଥିବାର ଜଣାପଡିଛି।