ୟୁଥ ଫର ସେବାର ପେଣ୍ଟ ଏ ଦିଆ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୟୁଥ ଫର ସେବା ଦ୍ୱାରା ଏକ ନିଆରା କାର୍ଯ୍ୟକ୍ରମ ପେଣ୍ଟ ଏ ଦିଆ (Paint A Diya) ରାଜଧାନୀ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଭୁବନେଶ୍ବରର ୟୁନିଟ ୬ ସ୍ଥିତ ସତ୍ୟଭାମା ଦେବୀ ମୂକ ବଧିର ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟର ଅନୁଷ୍ଠାତା ଶ୍ରୀମତୀ ନିରୋଜା ଲକ୍ଷ୍ମୀ ମହାପାତ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।

ବର୍ତ୍ତମାନ ବଜାରରେ ଅନେକ ଦାମୀ ଡିଜାଇନର ଦୀପ ଉପଲବ୍ଧ ଓ ଲିଚୁ ଲାଇଟ ଥିବା ବେଳେ ମାଟି ଦୀପର ଚାହିଦା କମି କମି ଆସୁଛି। ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ମାଟି ଦୀପକୁ ଅଧିକ ଆଦୃତ କରାଇବା। ମାଟି ଦୀପ କ୍ରୟ ଦ୍ୱାରା ସ୍ଥାନୀୟ ବିକ୍ରେତା ଏବଂ ସ୍ଥାନୀୟ କୁମ୍ଭାର ମାନେ ଉପକୃତ ହେବେ।

ୟୁଥ ଫର ସେବାର କାର୍ଯ୍ୟକ୍ରମରେ ଭାଗ ନେଇ ପିଲାମାନଙ୍କୁ ନିଜର ଲୁକ୍କାୟିତ କଳା ପଦର୍ଶନ କରିବା ପାଇଁ ଏକ ସୁଯୋଗ ମଧ୍ୟ ମିଳିଥିଲା। ପିଲାମାନେ ବିଭିନ୍ନ ରଙ୍ଗ ବ୍ୟବହାର କରି ମାଟି ଦୀପ ମାନଙ୍କରେ ସୁନ୍ଦର ସୁନ୍ଦର ଡିଜାଇନ ଆଙ୍କିଥିଲେ। ସେମାନଙ୍କ ମୁଖରେ ଥିବା ଉଲ୍ଲାସ ଅତୁଳନୀୟ ଥିଲା। ଏହି ଆକର୍ଷକ ଡିଜାଇନର ଦୀପଗୁଡ଼ିକ ଦୀପାବଳି ଦିନ ଅନାଥ ଆଶ୍ରମ, ବୃଦ୍ଧାଶ୍ରମ ଏବଂ ସତ୍ୟଭାମା ଦେବୀ ବଧିର ମହାବିଦ୍ୟାଳୟ ଠାରେ ବ୍ୟବହାର କରାଯିବ। 

ସତ୍ୟଭାମା ଦେବୀ ବଧିର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ୟୁଥ ଫର ସେବାର ସଦସ୍ୟ ମୋଟ ୭୨ଜଣ ଏଥିରେ ଭାଗ ନେଇଥିଲେ। ସଂଗଠନର ଭୁବନେଶ୍ବର ସଂଯୋଜକ ଜ୍ଞାନ ରଞ୍ଜନ ଦାସ କାର୍ଯ୍ୟକ୍ରମକୁ ସଫଳ ରୂପ ଦେଇଥିଲେ।  

 

Leave A Reply

Your email address will not be published.