ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟକୁ ତାଲା ପକାଇଲେ ଗ୍ରାମବାସୀ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଗୌଡଗୁଡା ପଂଚାୟତ ଅନ୍ତର୍ଗତ ଏମ୍‌.ଭି. ୯ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଗ୍ରାମବାସୀ ତାଲା ପକାଇ ବିକ୍ଷୋଭ ଜଣାଇଛନ୍ତି । ସେମାନଙ୍କ କହିବା ଅନୁଯାୟୀ ଏହି ବିଦ୍ୟାଳୟରେ ମୋଟ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ ରତ ଥିବାବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତି । ସେଥି ମଧ୍ୟରୁ ଜଣେ ଡେପୁଟେସନରେ ଆସିଥିବା ବେଳେ ସେ ମଧ୍ୟ ଅନ୍ୟତ୍ର ଚାଲିଗଲେ। ଯାହା ଫଳରେ ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ ସଠିକ୍ ଭାବେ ଶିକ୍ଷାଦାନ କରାଯାଇ ପାରୁନାହିଁ। ବିଶେଷ କରି ଏହି ବିଦ୍ୟାଳୟ ନିକଟବର୍ତୀ ଗ୍ରାମ ମାନଙ୍କର ବହୁ ବିଦ୍ୟାଳୟରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତିନୋଟି ଶିକ୍ଷକ ଓ ୬୦ ଜଣ ଛାତ୍ରଛାତ୍ରୀଙ୍କ ନିମନ୍ତେ ୪ ଜଣ ଶିକ୍ଷକ ଥିବା ବେଳେ ଏହି ବିଦ୍ୟାଳୟରେ ୩୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ କେବଳ ୪ଜଣ ଶିକ୍ଷକ ଅଛନ୍ତି । ତେଣୁ ଯଥାଶୀଘ୍ର ଏହି ବିଦ୍ୟାଳୟକୁ ଆଉ ଚାରିଜଣ ଶିକ୍ଷକଙ୍କୁ ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି । ଏହି ସମସ୍ୟାର ସମାଧାନ ନ ହେବା ଯାଏଁ ବିଦ୍ୟାଳୟକୁ ତାଲା ପକାଯିବ ବୋଲି କହି ଗ୍ରାମବାସୀ ବିଦ୍ୟାଳୟକୁ ତାଲା ପକାଇଥିଲେ । ଏ ସମ୍ବନ୍ଧରେ ମାଲକାନଗିରି ତହସିଲଦାର ଟିକୁନୁ ପୁଟା ଖବର ପାଇ ଘଟଣା ସ୍ଥଳରେ ପହଂଚି ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଏହି ବିଦ୍ୟାଳୟକୁ ଦୁଇଜଣ ଶିକ୍ଷକଙ୍କୁ ପଠାଯିବ ବୋଲି ପ୍ରତିଶୃତି ଦେଲା ପରେ ଗ୍ରାମବାସୀ ବିଦ୍ୟାଳୟର ତାଲା ଖୋଲିଥିଲେ ।

Leave A Reply

Your email address will not be published.