ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ ସାତ ଟ୍ରେନି ଆଇପିଏସ ଅଧିକାରୀଙ୍କ ପ୍ରଶିକ୍ଷଣ
ଭୁବନେଶ୍ୱର, ୧୯/୧୧/୨୪: ମୋଟର ଯାନ ଆଇନ ସଂପର୍କରେ ବିସ୍ତୃତ ଭାବରେ ବୁଝିଛନ୍ତି ନୂଆ କରି ଭାରତୀୟ ପୁଲିସ ସେବାରେ ଯୋଗ ଦେଇଥିବା ସାତ ଟ୍ରେନି ଆଇପିଏସ ଅଧିକାରୀ । ସେମାନଙ୍କ ପ୍ରଶିକ୍ଷଣର ଅଂଶ ଭାବରେ ଭୁବନେଶ୍ୱର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ-୧ରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପରିବହନ କମିସନର ତଥା ଏଡିଜି ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭାରତୀୟ ପୁଲିସ ସେବାରେ ନୂଆ କରି ପାଦ ଥାପିଥିବା ଯୁବପିଢ଼ିଙ୍କୁ ପରିବହନ ଆୟୁକ୍ତ ଶୁଭେଚ୍ଛା ଓ ସ୍ୱାଗତ ଜଣାଇଥିଲେ । ସେମାନଙ୍କ ସହ ନିଜ ଦୀର୍ଘ ଅଭିଜ୍ଞତାକୁ ବାଣ୍ଟିଥିଲେ । ଜନସାଧାରଣଙ୍କ ସେମାନଙ୍କଠାରୁ ଥିବା ଆକାଂକ୍ଷା ସଂପର୍କରେ ବୁଝାଇଥିଲେ । ଆସିବାକୁ ଥିବା ଆହ୍ୱାନ ଏବଂ ଆଇପିଏସମାନଙ୍କ କର୍ତ୍ତବ୍ୟ ସଂପର୍କରେ କହିଥିଲେ । ବିଶେଷକରି, ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ରୋକିବାକୁ ସରକାରଙ୍କ ପଦକ୍ଷେପ ଏବଂ ଏହାର ସଫଳ କାର୍ଯ୍ୟାନ୍ୱୟନରେ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ଆଇନରେ କେଉଁ କେଉଁ ଦିଗକୁ ଗୁରୁତ୍ୱ ଦିଆଯାଇଛି, କେଉଁ ତ୍ରୁଟି ପାଇଁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେ ସଂପର୍କରେ ଆଲୋଚନା ହୋଇଥିଲା । ଏହାସହ, ଟ୍ରାଫିକ ସମସ୍ୟା ଓ ଏହାର ମୁକାବିଲା, ସଚେତନତା, ଏନଫୋର୍ସମେଣ୍ଟର ବିଭିନ୍ନ ଦିଗ, ଜନତାଙ୍କ ପ୍ରତି ଆଚରଣ ଇତ୍ୟାଦି ବିଷୟରେ ଚର୍ଚ୍ଚା ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଟ୍ରେନି ଆଇପିଏସ ଅଧିକାରୀ ଭାବେ ରାକେଶ କୁମାର ସାହୁ, ଅନନ୍ୟା ଅବସ୍ଥୀ, ଭୋଶାଲେ ଶୁଭମ୍, ଶିବ ମାରୁତି ରେଡ୍ଡୀ, ଅର୍ଚ୍ଚିତା ମିତ୍ତଲ, ବର୍ଷିଥା ଆଡେପୁ ଏବଂ ମନିଷା ମୀନା ଯୋଗ ଦେଇଥିଲେ । ସେହିଭଳି ରାଜ୍ୟ ପରିବହନ ପ୍ରାଧିକରଣର ଅତିରିକ୍ତ ପରିବହନ କମିସନର ଦୀପ୍ତିରଂଜନ ପାତ୍ର, ଯୁଗ୍ମ ପରିବହନ କମିସନର ପ୍ରଦୀପ କୁମାର ମହାନ୍ତି, ସୌମେନ୍ଦ୍ର ପଟ୍ଟନାୟକ, ବିକାଶ ଚୌଧୁରୀ ଓ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ଡେପୁଟି ଏସପି ସୁଜାତା ମିଶ୍ର ଉପସ୍ଥିତ ଥିଲେ ।