ଗରେଇଗୁଡ଼ା ହତ୍ୟାକାଣ୍ଡର ପର୍ଦ୍ଦାଫାସ, ୩ ଗିରଫ

ଖଜୁରୀ ତାଡି ପିଇବା ହେଲା କାଳ
ମାଲକାନଗିରି
, ୪/୧୨: ଗତ ୨ ତାରିଖ ଦିନ ମାଲକାନଗିରି ଥାନାସ୍ଥ ଗରେଇଗୁଡା ପୋଖରୀ ହୁଡ଼ାରୁ ଜଣେ ବ୍ୟକ୍ତିର କ୍ଷତବିକ୍ଷତ ମୃତଶରୀର ଉଦ୍ଧାର ହୋଇଥିଲା। ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୁଲିସ, ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି, ଖଜୁରୀ ତାଡି ପାଇଁ ଏହି ହତ୍ୟାକାଣ୍ଡ ହୋଇଥିବାର ପୁଲିସ କହିଛି। ସୂଚନା ଅନୁଯାଇ ମାଲକାନଗିରି ଆଦର୍ଶ ଥାନାସ୍ଥ ଗୌଡ଼ଗୁଡା ପଞ୍ଚାୟତ ଗରେଇଗୁଡା ଗ୍ରାମର ମଙ୍ଗଳା କବାସୀ ଗତ ୧ ତାରିଖ ରାତ୍ରରେ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିବା ଲାଡିକୁ ଶୋଇବାକୁ ଯାଇଥିଲେ। ଗତ ୨ ତାରିଖ ସକାଳୁ ଲାଡି ନିକଟରେ ଥିବା ପୋଖରୀ ହୁଡ଼ାରେ ମଙ୍ଗଳାଙ୍କ କ୍ଷତବିକ୍ଷତ ମୃତଶରୀର ପଡ଼ିଥିବାର ଦେଖିବାକୁ ପାଇଥିଲେ ଗ୍ରାମବାସୀ ଓ ପରିବାର ଲୋକେ, ମୃତ ମଙ୍ଗଳାଙ୍କ ବେକ, ହାତ, କହୁଣୀରେ କ୍ଷତ ଚିହ୍ନ ଥିବାର ଦେଖି ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ମୃତଙ୍କ ଭାଇ ମଙ୍ଗଡୁ କବାସୀ ମାଲକାନଗିରି ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ସହକାରି ଏସପି ତପନ ନାରୟଣ ରଥ ଓ ଏସଡିପିଓ ସଚୀନ ପଟେଲଙ୍କ ପ୍ରତ୍ୟେକ୍ଷ୍ୟ ତତ୍ୱାବଧାନରେ ଆଦର୍ଶ ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କ ନେତୃତ୍ୱରେ ସବଇନିସପେକ୍ଟର ପ୍ରଭାତ ଗୌଡ଼ କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି ଓ ଅନ୍ୟ ପୁଲିସଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ ହେବାରୁ କୋରାପୁଟରୁ ସାଇଣ୍ଟିଫିକ ଟିମ ମଧ୍ୟ ଆସି ତଦନ୍ତ କରିଥିଲେବି, ପୁଲିସର ସ୍ୱତନ୍ତ୍ର ଟିମ ହତ୍ୟାକାରୀ ମାନଙ୍କୁ ଧରିବା ପାଇଁ ଜାଲ ବିଚାଇଥିଲେ।
ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ପୁଲିସ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଗୌଡ଼ଗୁଡା ପଞ୍ଚାୟତ କଟେଲଗୁଡା ଗ୍ରାମର ଜିତେନ ପଡିଆମୀ(୨୭), ଗଙ୍ଗା ସୋଡି(୩୫), ଆଡ଼ମା ମାଡକାମି (୩୦)ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛନ୍ତି। ପୁଲିସ ସୂଚନା ଅନୁଯାଇ ଗରେଇଗୁଡ଼ା ଗ୍ରାମର ମଙ୍ଗଳା କବାସୀଙ୍କର ଦୁଇଟି ମାଛ ପୋଖରୀ ଓ କିଛି ଖଜୁରୀ ଗଛ ଅଛି, ସେ ଗଛରେ ହାଣ୍ଡି ବାନ୍ଧି ଖଜୁରୀ ତାଡି ସଂଗ୍ରହ କରି ବିକିଥାନ୍ତି, ମାଛ ଓ ଖଜୁରୀ ତାଡି ଚୋରି ହୋଇଯିବା ଭୟରେ ସେ ରାତିରେ ପୋଖରୀ ନିକଟ ଲାଡିକୁ ଶୋଇଇବାକୁ ଯାଇଥାନ୍ତି, ଗତ ୧ ତାରିଖ ରାତିରେ ମଧ୍ୟ ସେ ଲାଡିକୁ ଶୋଇବାକୁ ଯାଇଥିଲେ। ସେ ପୋଖରୀ ହୁଡ଼ା ନିକଟକୁ ଯାଉ ଦେଖିଲା ବେଳକୁ ଖଜୁରୀ ଗଛରେ କିଏ ଚଢିଛି, ସେ ପାଟି କରି ସେଠାକୁ ଯାଇଥିଲେ, କଟେଲଗୁଡା ଗ୍ରାମର ଜିତେନ ପଡିଆମୀ, ଗଙ୍ଗା ସୋଡି, ଆଡ଼ମା ମାଡକାମି ଖଜୁରୀ ତାଡି ଚୋରି କରୁଥିବାରୁ ସେମାନଙ୍କୁ ମଙ୍ଗଳା ଗାଳି ଗୁଲଜ କରିଥିଲେ। ଉଭୟଙ୍କ ମଧ୍ୟରେ ଅନେକ ସମୟ ଧରି ଯୁକ୍ତିତର୍କ ହୋଇଥିଲା, ଏଥିରେ ରାଗି ଯାଇ ମଙ୍ଗଳାକୁ ବିଧା ଗୋଇଠା ମାରିବା ସହିତ ବାଡ଼ିରେ ପିଟିଥିଲେ ଏହି ତିନି ଜଣ । ଜଣେ ଯୁବକ ମଙ୍ଗଳାଙ୍କ ବେକକୁ ଚିପି ଧରିବାରୁ ଅଣନିଶ୍ୱାସୀ ହୋଇ ମଙ୍ଗଳାଙ୍କର ମୃତ୍ୟୁ ଘଟିଥିଲା । ଏହି ତିନିଜଣ ମଙ୍ଗଳା ଙ୍କ ମୃତ ଶରୀରକୁ ପୋଖରୀ ହୁଡ଼ା ଠାରୁ କିଛି ଦୂରରେ ଫିଙ୍ଗିଦେଇ ପଳାଇଥିବାର ପୁଲିସ ନିକଟରେ ଅଭିଯୁକ୍ତ ସ୍ୱୀକାର କରିଛନ୍ତି।

Leave A Reply

Your email address will not be published.