ମାଲକାନଗିରିରେ ବନ୍ୟାକୁ ବିତିଲା ୩ ମାସ: ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ପ୍ରତିଶ୍ରୁତି ଥିଲା ତ୍ଵରିତ ପଦକ୍ଷେପ ନିଆଯିବ, ହେଲେ ୩ ମାସ ପରେ କେବେ ମିଳିବ କ୍ଷତିପୂରଣ ବୋଲି ପ୍ରଶ୍ନ କଲେ ଶାସକ ଦଳର ବିଧାୟକ

ମାଲକାନଗିରି,୪।୧୨: ଗତ ୩ ମାସ ପୂର୍ବେ ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଥିବା ବେଳେ ଜିଲ୍ଲାର ପୋଟେରୁ ସମେତ ଅନେକ ଗ୍ରାମ ବିଶେଷ ପ୍ରଭାବିତ ହୋଇଥିଲା। ପୋଟେରୁ ଗ୍ରାମ ସମ୍ପୂର୍ଣ ରୂପେ ଜଳ ଘେରକୁ ଚାଲି ଯାଇଥିବା ବେଳେ ଅନେକ ଗ୍ରାମରେ ଜଳ ପଶି ଘର ଭାଙ୍ଗିବା ସହ ରାସ୍ତା ଘାଟ ଆଦି ଧୋଇ ହୋଇଯାଇଥିଲା। ତେବେ ଏହାରି ମଧ୍ୟରେ ଅନେକ ଚାଷୀ ନିଜର କଷ୍ଟ ଅର୍ଜିତ ଫସଲ ମଧ୍ୟ ହରାଇଥିବା ବେଳେ ହେକ୍ଟର ହେକ୍ଟର ଜମିରେ ବଳି ମାଡି ଯାଇଥିଲା। ତେବେ ଏ ସବୁକୁ ନେଇ ରାଜ୍ୟରେ ଗଠନ ହୋଇଥିବା ନୂଆ ସରକାର ତତ୍ପରତା ଦେଖାଇବା ପାଇଁ ନିଜେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲକାନଗିରି ଜିଲ୍ଲା ଗସ୍ତ କରି ହେଲିକ୍ୟାପ୍ଟର ଯୋଗେ ବର୍ଷା ଜନିତ କ୍ଷୟକ୍ଷତି ହୋଇଥିବା ଗ୍ରାମ ଗୁଡିକୁ ଆକାଶ ମାର୍ଗରୁ ବୁଲି ଦେଖିବା ସହ ବର୍ଷାଜନିତ କ୍ଷୟକ୍ଷତି ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ଯଥା ଶୀଘ୍ର କ୍ଷତିପୂରଣ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହାରି ମଧ୍ୟରେ ଏହି ଲଘୁଚାପକୁ ପ୍ରାୟ ୩ ମାସ ବିତି ଥିବାବେଳେ କ୍ଷତିପୂରଣ ମିଳିନଥିବା ବେଳେ ଏହାକୁ ନେଇ ବିଧାନସଭାରେ ପ୍ରଶ୍ନ ଉଠାଇଛନ୍ତି ନିଜେ ଶାସକ ଦଳର ନେତା ତଥା ମାଲକାନଗିରି ବିଧାୟକ ନରସିଂହ ମାଡକାମୀ।

ସୂଚନା ଅନୁଯାୟୀ ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ ଅକ୍ଟୋବର ମାସରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଜିଲ୍ଲାରେ ମୋଟ ୮୮୩୦ ହେକ୍ଟର ଜମି ଜଳମଗ୍ନ ହୋଇଥିଲା ବେଳେ ବହୁ ଫସଲ କ୍ଷତି ହୋଇଥିଲା। ଏଥିସହ ୫୭୬ଟି ଘର ଆଂଶିକ ଓ ୨୧ଟି ବାସଗୃହ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଜଣା ପଡିଥିଲା। ସେମାନଙ୍କ ପାଇଁ ପଲିଥିନ ଓ ରନ୍ଧନ ଖାଦ୍ୟର ମଧ୍ୟ ବ୍ୟବସ୍ଥା କରାଯାଇଥିଲା ବେଳେ ଉଚ୍ଚତା କମ ଥିବା ପୋଲ ଉପରେ ଜଳ ପ୍ରବାହିତ ହେବା ଦ୍ୱାରା ମୋଟ ୧୫ଟି ରାସ୍ତାରେ ଗମନାଗମନ ବନ୍ଦ ଥିଲା। ଏହାସହ ଜିଲ୍ଲାର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ ଧୋଇ ହୋଇଯାଇଥିବା ବେଳେ କିଛି ସ୍ଥାନରେ ମାଟି ଅତଡା ଖସି ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ତେବେ ଏସବୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମାଲକାନଗିରି ଜିଲ୍ଲା ଗସ୍ତ କରି ହେଲିକ୍ୟାପ୍ଟର ଯୋଗେ ବର୍ଷା ଜନିତ କ୍ଷୟକ୍ଷତି ହୋଇଥିବା ଗ୍ରାମ ଗୁଡିକୁ ଆକାଶ ମାର୍ଗରୁ ବୁଲି ଦେଖିବା ସହ ବର୍ଷାଜନିତ କ୍ଷୟକ୍ଷତି ସମ୍ବନ୍ଧୀୟ ସମୀକ୍ଷା ବୈଠକରେ ଯୋଗ ଦେଇ ଯଥାଶୀଘ୍ର ସର୍ଭେ କରି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦେବା ସହ ରିଲିଫ କୋଡ଼ ଅନୁଯାୟୀ ବାସଗୃହ, ପଶୁ ସଂପଦ ଓ ଫସଲ ନଷ୍ଟର କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ। ଏଥିସହ ଜଣେ ମଧ୍ୟ ଯେଭଳି ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବନ୍ୟା ପ୍ରପୀଡ଼ିତ ଅଞ୍ଚଳରେ ଯଥାଶୀଘ୍ର ବିଦ୍ୟୁତ ସେବା ଯୋଗାଇବା ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ତେବେ ସେହି ସାମୀରେ ଏହି ସମୀକ୍ଷା ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ, ମୁଖ୍ୟ ସଚିବ ମନୋଜ ଆହୁଜା, ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂହ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ସମେତ ଡ଼ିଆଇଜି, ଜିଲ୍ଳାପାଳ, ଆରକ୍ଷୀ ଅଧୀକ୍ଷକ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ସମ୍ଭାବ୍ୟ ଲଘୁଚାପ ଜନିତ ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗରେ ଥିଲେ ଏବଂ କେନ୍ଦ୍ର ଗୃହ ସଚିବ ଓ ରାଜ୍ୟ ଗୃହ ସଚିବ ମଧ୍ୟ ସମ୍ପର୍କରେ ଥିଲେ ବୋଲି ସେହି ସମୟରେ ମୁଖ୍ୟମନ୍ତ୍ରୀ କହିଥିବା ବେଳେ କ୍ଷୟକ୍ଷତି ହୋଇଥିବା ଅଞ୍ଚଳର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରତିଶ୍ରୁତି ଅନେକ ମାତ୍ରାରେ ଆଶ୍ଵାସନା ଦେଇଥିଲା। କ୍ଷୟକ୍ଷତିର ଆକଳନ କରି ଯେଉଁମାନଙ୍କ ଘର ନଷ୍ଟ ହୋଇଛି, ସେମାନଙ୍କୁ ଓଡିଶା ରିଲିଫ କୋଡ଼ ଅନୁଯାୟୀ କ୍ଷତିପୂରଣ ଦିଆଯିବା ସହ ଫସଲ ନଷ୍ଟ ଓ ଗୃହପାଳିତ ପଶୁର ମୃତ୍ୟୁ ହୋଇଥିଲେ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ପ୍ରକାଶ କରିବା ପରେ ଲୋକେ ସରକାରୀ ସହାୟତାକୁ ଅପେକ୍ଷା କରିଥିଲେ। ଏହାରି ମଧ୍ୟରେ ୩ ମାସ ସମୟ ବିତି ଯାଇଥିବା ବେଳେ ବର୍ତ୍ତମାନ ସରକାରୀ ସହାୟତା କେବେ ମିଳିବ ଓ ପ୍ରକୃତରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେନେଇ ମାଲକାନଗିରି ବିଧାୟକ ଶ୍ରୀ ମାଡ଼କାମି କ୍ଷୟକ୍ଷତିର ତାଲିକା ମାଗିବା ସହ କ୍ଷତିପୂରଣ ରାଶି କେବେ ସୁଦ୍ଧା ପ୍ରଦାନ କରାଯିବ ବୋଲି ବିଧାନ ସଭାରେ ପ୍ରଶ୍ନ କରିଛନ୍ତି। ଯାହା ପରେ ଏହା ଆଲୋଚନାର ବିଷୟ ପାଲଟିଛି। କାରଣ ରାଜ୍ୟ ସରକାର ବନ୍ୟ ସମୟରେ ଯଥା ଶୀଘ୍ର କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ବର୍ତ୍ତମାନ ବିଧାୟକଙ୍କ ବିଧାନ ସଭାରେ ଏପରି ପ୍ରଶ୍ନ ପଚାରିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ମାଲକାନଗିରି ଜିଲ୍ଲା ପ୍ରାୟ ପ୍ରତି ବର୍ଷ ବନ୍ୟା ସହ ମୁକାବିଲା କରୁଥିବା ମାଲକାନଗିରି ଜିଲ୍ଲା ପାଇଁ ବଡ ଧରଣର ପ୍ଯାକେଜ ମଧ୍ୟ ସରକାର ବର୍ତ୍ତମାନ ସୁଦ୍ଧା ଘୋଷଣା କରିନାହାନ୍ତି। ସ୍ଥାନୀୟ ଲୋକଙ୍କ ପାଇଁ ବନ୍ୟା ପରିସ୍ଥିତିରୁ ସ୍ଥାୟୀ ସମାଧାନ ଲାଗି ମୋହନ ସରକାରଙ୍କ ଉପରେ ଅନେକ ଆଶା ଆକାଂକ୍ଷା ରହିଥିବା ବେଳେ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ଲାଗି ବଡ ଧରଣର କିମ୍ବା ସ୍ବତନ୍ତ୍ର ପ୍ୟାକେଜ ଘୋଷଣା ପାଇଁ ସ୍ଥାନୀୟ ଲୋକେ ଅପେକ୍ଷାରେ ଥିବା ବେଳେ ଏହି ଅପେକ୍ଷା ଅପେକ୍ଷାରେ ହିଁ ରହି ଯାଇଛି ବୋଲି ଲୋକେ ପ୍ରକାଶ କରିଛନ୍ତି। ବନ୍ୟା ଯୋଗୁଁ ଅନେକ ଲୋକେ ନିଜର ଘର ଓ ବ୍ୟବସାୟ ପ୍ରତିଷ୍ଠାନ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସରକାରୀ ସହାୟତା ମିଳିଲେ କିଛିଟା କଷ୍ଟ ଦୂର ହେବ ବୋଲି ଆସା ରଖିଥିବା ବେଳେ ବର୍ତ୍ତମାନ ସୁଦ୍ଧା ତାହା ନମିଳିବା ଲୋକଙ୍କ ପାଇଁ କଷ୍ଟକୁ ଦ୍ଵିଗୁଣିତ କରିଛି ।

Leave A Reply

Your email address will not be published.