ଭୁବନେଶ୍ୱର, ଡିସେମ୍ବର ୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ (ଆଇଏଏସ୍)ର ସାମାଜିକ ଓ ସାଂସ୍କୃତିକ ଶାଖା ‘କ୍ରିଏଟିଭୋ’ ପକ୍ଷରୁ ଅଭିନବ କାର୍ଯ୍ୟକ୍ରମ ମାର୍ଗଶିରର ମହକର ଦ୍ୱିତୀୟ ଭାଗ ଆରମ୍ଭ ହୋଇଛି ।
ଏକ ସପ୍ତାହ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ତଥା ଓଡ଼ିଆ ସଂସ୍କୃତି ପରମ୍ପରା ଆଧାରିତ ସାଧାରଣ ଜ୍ଞାନ, ଚିତ୍ରାଙ୍କନ, ମାର୍ଗଶିର ଝୋଟି ଓ ଓଡ଼ିଆ ବକ୍ତୃତା ଅନୁଷ୍ଠିତ ହେବ । ମାର୍ଗଶିର ମାସର ଶେଷ ଗୁରୁବାର ଦିନ ଅପରାହ୍ନରେ ଏହି କାର୍ଯ୍ୟକ୍ରମର ଅନ୍ତିମ ଉତ୍ସବ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶାର ପ୍ରଖ୍ୟାତ ଗାୟିକା ଶ୍ରୀମତି ଗୀତା ଦାଶ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଓଡ଼ିଆ ସଂସ୍କୃତି, ପରମ୍ପରା, ପର୍ବପର୍ବାଣି ଓ କୃଷିକୁ ଜୀବିତ କରି ରଖିବା ।
ଏହି ପ୍ରତିଯୋଗିତାରେ ଆଇଏଏସ୍ ଓ ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ (ସ୍ନିଲ୍)ର ଛାତ୍ରଛାତ୍ରୀମାନେ ଭାଗ ନେଇଥିବା ବେଳେ ବିଚାରକ ଭାବେ ଆଇଏଏସ୍ର ପ୍ରଫେସର ବିବୁଧ ପରାଶର, ପ୍ରଫେସର ପ୍ରଭାତ କୁମାର ଷଡ଼ଙ୍ଗୀ, ଡକ୍ଟର ସତ୍ୟ ନାରାୟଣ ଶତପଥୀ ଓ ପ୍ରଫେସର ରୁଦ୍ରନାରାୟଣ ସାହୁ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ମଧ୍ୟରେ ଓଡ଼ିଆ ପର୍ବପର୍ବାଣି ଓ କୃଷି ବିଜ୍ଞାନ ସମ୍ବନ୍ଧରେ ମଧ୍ୟ ଆଲୋଚନା ହୋଇଥିଲା ।
ଡକ୍ଟର ଭୁବନାନନ୍ଦ ଅଧିକାରୀଙ୍କ ସଂଯୋଜନାରେ ଅନୁ୍ଷ୍ଠିତ ଏହି ପ୍ରତିଯୋଗିତାରେ ଶ୍ରୀମତି ଲୋପାମୁଦ୍ରା ମହାନ୍ତି, ଡକ୍ଟର ରାକେଶ ରୋସନ୍ ଶତପଥୀ, ଡକ୍ଟର ସୁବ୍ରତ ସେନାପତି, ଡକ୍ଟର ବିଦ୍ୱାନ ରଞ୍ଜନ ସାହୁ, ଡକ୍ଟର ମୁକେଶ କୁମାର ପାତ୍ର, ଶ୍ରୀ ମାନସ ଦାସ, ଶ୍ରୀ ବିଶ୍ୱଜିତ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଆଶିଷ ପ୍ରତୀକ ବିଶ୍ୱାଳ, ସଲୋନି ଶ୍ରୀୟାଶ୍ରି ଜେନା ଓ ଆଦିତ୍ୟ ନାରାୟଣ ପରିଚାଳନା କରିଥିଲେ ।