ରାତି ଓ ଭୋର୍ ଦୁର୍ଘଟଣା ହ୍ରାସ ପାଇଁ ଏସଟିଏର ଅଭିନବ ପଦକ୍ଷେପ

ରାଜପଥ କଡ଼ରେ ଚାଳକଙ୍କୁ ମାଗଣା ଚା’ ବଣ୍ଟନ
କ୍ଳାନ୍ତି, ନିଦଭରା ଆଖିରେ ଗାଡ଼ି ନ ଚଲାଇବାକୁ ଅନୁରୋଧ
ପଥ ସମ୍ମୋହନ ପ୍ରତି ସତର୍କ ରହିବାକୁ ପରାମର୍ଶ
କୁହୁଡ଼ିରେ ବିଶେଷ ସାବଧାନ ରହିବାକୁ କରାଯାଉଛି ସଚେତନ

ଭୁବନେଶ୍ୱର/କଟକ, ୧୧/୧୨/୨୦୨୪: ଶୀତ ଋତୁରେ ବିଳମ୍ବିତ ରାତି ଓ ଭୋରରେ ଘଟୁଥିବା ଦୁର୍ଘଟଣା ହ୍ରାସ କରିବାକୁ ନିରନ୍ତର ପଦକ୍ଷେପ ନେଉଛି ରାଜ୍ୟ ପରିବହନ ପ୍ରାଧିକରଣ (ଏସଟିଏ)। ଏହିକ୍ରମରେ ଚାଳକଙ୍କୁ ସତେଜ ଓ ସଚେତନ ରଖିବାକୁ ରାଜପଥ କଡ଼ରେ ମାଗଣା ଚା’ ବଣ୍ଟନ କରାଯାଉଛି । ରାତି ତିନିରୁ ଭୋର୍ ୬ ଯାଏଁ ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ରାଜପଥ କଡ଼ରେ ଏହା କାର୍ଯ୍ୟକାରୀ ହେଉଛି । ଏଥିରେ ସ୍ଥାନୀୟ ସ୍ବେଚ୍ଛାସେବୀମାନେ ସାମିଲ ହୋଇ ସହଯୋଗ କରୁଛନ୍ତି।

ରାସ୍ତାକଡ଼ ଢାବା, ଟୋଲ ଗେଟ୍ ଭଳି ସ୍ଥାନ ଚିହ୍ନଟ ହୋଇଛି । ଦୂରରୁ ଆସୁଥିବା ବସ୍, ଟ୍ରକ୍, ଟ୍ୟାକ୍ସି ଆଦିର ଡ଼୍ରାଇଭରଙ୍କୁ ମାଗଣା ଚା’ ଦିଆଯାଉଛି । ଆରଟିଓ କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ସଚେତନତା ସୃଷ୍ଟି କରୁଛନ୍ତି । କୁହୁଡ଼ି, ନିଦଭରା ଆଖି, ପଥ ସମ୍ମୋହନ ବା ରୋଡ୍ ହିପ୍ନୋସିସରୁ ସତର୍କ ରହିବାକୁ କହୁଛନ୍ତି । ଆଗାମୀ ରାସ୍ତାରେ ଥିବା ବ୍ଲାକସ୍ପଟ୍ ଗୁଡ଼ିକ ସମ୍ପର୍କରେ ମଧ୍ୟ ଜଣାଉଛନ୍ତି । ଡିସେମ୍ବର ୩୧ ଯାଏଁ ନିୟମିତ ଏଭଳି ପ୍ରୟାସ ଜାରି ରଖିବାକୁ ପରିବହନ ଆୟୁକ୍ତଙ୍କ ନିର୍ଦ୍ଦେଶରେ ସମସ୍ତ ଆରଟିଓଙ୍କୁ ଯୁଗ୍ମ ପରିବହନ ଆୟୁକ୍ତ (ସଡ଼କ ସୁରକ୍ଷା) ଚିଠି ଲେଖିଛନ୍ତି ।

ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇଁ ଚାଳକଙ୍କ ଦକ୍ଷତା ବୃଦ୍ଧି ଓ ସଚେତନତା ଉପରେ ଅଧିକ ଗୁରୁତ୍ବ ଦେଉଛି ବାଣିଜ୍ୟ ଓ ପରିବହନ ବିଭାଗ । ତେବେ  ଅନ୍ୟଦିନ ଅପେକ୍ଷା ଶୀତ ଋତୁରେ ସଡ଼କ ଦୁର୍ଘଟଣାରେ ନିୟନ୍ତ୍ରଣ ଆଣିବା ଅଧିକ ଆହ୍ୱାନପୂର୍ଣ୍ଣ ହୋଇଥାଏ । କୁହୁଡ଼ି ଯୋଗୁଁ ରାସ୍ତାର ଦୃଶ୍ୟମାନ୍ୟତା ହ୍ରାସ ପାଏ, ଯାହା ସଡ଼କ ଦୁର୍ଘଟଣାର କାରଣ ପାଲଟେ । ସେହିଭଳି ଏହି ସମୟରେ ବଣଭୋଜି ଯୋଗୁଁ ଜଙ୍ଗଲ, ଘାଟି ରାସ୍ତାରେ ଯାନ ଚଳାଚଳ ସଂଖ୍ୟା ବୃଦ୍ଧିପାଏ । ଚାଳକଙ୍କ ଅନଭିଜ୍ଞତା, ଅସାବଧାନତା, ଆଖି ଲାଗିଯିବା, ଭୁଲ୍ ସ୍ଥାନରେ ପାର୍କିଂ କରିବା, ସଡ଼କ ସୁରକ୍ଷା ନିୟମ ପାଳନରେ ତ୍ରୁଟି ଦୁର୍ଘଟଣାକୁ ଆମନ୍ତ୍ରଣ କରେ । ଏସବୁ ବ୍ୟତୀତ ପଥ ସମ୍ମୋହନ ବା ରୋଡ ହିପ୍ନୋସିସ୍ ମଧ୍ୟ ଦୁର୍ଘଟଣାର କାରଣ ସାଜୁଛି । ଚାଳକଙ୍କ ଆଖି ତ ଖୋଲା ରହୁଛି କିନ୍ତୁ କ୍ରମାଗତ ଗାଡ଼ି ଚାଳନାର କ୍ଲାନ୍ତିରେ ମସ୍ତିଷ୍କ ଶୋଇପଡ଼ୁଛି। ତେଣୁ ଏ ବିଷୟକୁ ଗମ୍ଭୀରତାର ସହ ଗ୍ରହଣ କରି ସଚେତନତା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଇଛି । ଡିସେମ୍ବର ମାସରେ ରାତି ଓ ଭୋର ସମୟରେ ଦୁର୍ଘଟଣା ବୃଦ୍ଧି ଲକ୍ଷ୍ୟ କରାଯାଉଛି । ଏହାକୁ ହ୍ରାସ କରିବାକୁ ମଧ୍ୟରାତ୍ର ଓ ଭୋର ସମୟରେ ମାଗଣା ଚା’ ପ୍ରଦାନ ବ୍ୟବସ୍ଥା ହାତକୁ ନିଆଯାଇଛି ।

Leave A Reply

Your email address will not be published.