ଭୁବନେଶ୍ୱର, ୧୬ /୧୨: ସ୍ୱାସ୍ଥ୍ୟ କ୍ଷେତ୍ରରେ ତିନୋଟି ପ୍ରମୁଖ ସ୍ତମ୍ଭ ରହିଛି । ଗୋଟିଏ ସ୍ତମ୍ଭ ଡାକ୍ତର, ଦ୍ୱିତୀୟ ସ୍ତମ୍ଭ ଫାର୍ମାସିଷ୍ଟ ଓ ତୃତୀୟ ସ୍ତମ୍ଭରେ ନର୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସୋଆ ବିଶ୍ୱବିଦ୍ୟାଳୟରେ ନର୍ସଙ୍କ ଦ୍ୱାରା ଉତମ ସେବା ଯୋଗାଇ ଦିଆଯାଉଛି । ଫଳରେ ରୋଗୀ ହସ ହସ ମୁହଁରେ ସୁସ୍ଥ ହୋଇ ଫେରୁଛନ୍ତି । ସମ୍ ହସ୍ପିଟାଲରେ କାର୍ଯ୍ୟରତ ନର୍ସମାନେ ଅନ୍ୟମାନଙ୍କ ପାଇଁ ରୋଲ୍ ମଡେଲ ହୁଅନ୍ତୁ ବୋଲି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଛନ୍ତି ।
ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ବିଭାଗ ପକ୍ଷରୁ ରବିବାର ସୋଆ ନର୍ସିଂ କନ୍କ୍ଲେଭ୍-୨୦୨୪ ଅନୁଷ୍ଠିତ ହୋଇଥିଲା । ଏଥିରେ ‘ପେସେଂଟ୍ ସେଫ୍ଟି ଇଜ୍ ଆୱାର ପ୍ରାୟୋରିଟି’ ଶୀର୍ଷକ ଆଲୋଚନା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଫେସର ନନ୍ଦ କହିଥିଲେ ଯେ ବିଶ୍ୱବିଦ୍ୟାଳୟରେ ନର୍ସମାନେ ନିଜ ନିଜ କେସ୍ ଷ୍ଟଡି ଉପରେ ଗୁରୁତ୍ୱ ଦେବାକୁ ପଡିବ । ନୂଆ ନୂଆ ଚିକିତ୍ସା ଦିଗ ଉପରେ ବିଶେଷ ଧ୍ୟାନ ଆବଶ୍ୟକ । ନର୍ସଙ୍କ କଥାରେ ରୋଗୀର ଅଧା ରୋଗ ଭଲ ହୋଇଥାଏ । ତେଣୁ ରୋଗୀଙ୍କ ପ୍ରତି ସବୁବେଳେ ଉତମ ବ୍ୟବହାର କରିବା ଦରକାର । ନର୍ସଙ୍କ ପାଖରେ ଅନେକ ସମସ୍ୟା ରହିଛି । ତଥାପି ସେମାନେ ରୋଗୀଙ୍କ ସମ୍ମୁଖରେ ହସ ହସ ମୁହଁରେ ଠିଆ ହେବାକୁ ପଡିବ ।
ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର କହିଥିଲେ ରୋଗୀଙ୍କ ସନ୍ତୁଷ୍ଟି ହିଁ ନର୍ସଙ୍କ ସେବାକୁ ସାର୍ଥକ କରିଥାଏ । ବର୍ତମାନ ହସ୍ପିଟାଲରେ ରୋଗୀଙ୍କ ଭାର ଅଧିକ ରହିଥିବାରୁ ନର୍ସଙ୍କ ଉପରେ ଚାପ ଅଧିକ ରହୁଛି । ତେଣୁ ନର୍ସମାନେ ହସ୍ପିଟାଲ୍ରେ ଚିିକିତ୍ସିତ ରୋଗୀଙ୍କ ଏକ ତାଲିକା ପ୍ରସ୍ତୁତ କରିବା ଦରକାର । କେଉଁ ରୋଗୀଙ୍କୁ ଜରୁରୀକାଳୀନ ସେବା ଦରକାର ଆଉ କାହାକୁ ପରେ ଦେଖିଲେ ଚଳିବ ତାହା ଉପରେ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ ।
ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ନର୍ସମାନେ ରୋଗୀଙ୍କୁ ଉତମ ସେବା ଯୋଗାଇ ନିଜ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ । ଆଉ ନର୍ସଙ୍କ ପାଇଁ ପ୍ରୋଟୋକଲ୍ ଓ ଗାଇଡ୍ଲାଇନ୍ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଇଥିଲେ ।
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ମିନତି ମିଶ୍ର ନିଜର ସ୍ୱାଗତ ଭାଷଣରେ କହିଥିଲେ ଯେ ନର୍ସଙ୍କ ଉପରେ ରୋଗୀଙ୍କ ଭରସା ରହିଛି । ରୋଗୀମାନେ ଯେତେବେଳେ ହସ୍ପିଟାଲକୁ ଆସନ୍ତି ସେମାନେ ଚିନ୍ତା କରିବା ଦରକାର ଯେ ସେମାନେ ସୁରକ୍ଷିତ ସ୍ଥାନକୁ ଆସିଛନ୍ତି । ଏହା ଆମର ଉତର ଦାୟିତ୍ୱ ବୋଲି ସେ କହିଥିଲେ ।
ସେହିପରି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟର ଡାକ୍ତର ସତ୍ୟବ୍ରତ ଛୋଟରାୟ, ଟିଏନ୍ଏଆଇ ଓଡିଶା ଶାଖାର ସଭାପତି ଶ୍ରୀମତି ଫୁଲଣା କୁମାରୀ ଦେଈ ଓ ଅତିରିକ୍ତ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ୫୦୦ରୁ ଉର୍ଦ୍ଧ୍ୱ ନର୍ସିଂ ଅଫିସରମାନେ ଯୋଗ ଦେଇଥିବାବେଳେ ବିଭିନ୍ନ ଆଲୋଚନା ଚକ୍ର ମଧ୍ୟ କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ବିଭିନ୍ନ ବିଷୟ ଉପରେ ପ୍ୟାନେଲ ଡିସ୍କସନ୍ ହୋଇଥିଲା ।