ଭୁବନେଶ୍ୱର, ୧୯ /୧୨: ନିଜ ଶିକ୍ଷାନୁଷ୍ଠାନ, କ୍ୟାମ୍ପସ୍ ଓ ବନ୍ଧୁମାନଙ୍କର ପୁରୁଣା ସ୍ମୃତିକୁ ତାଜା କରିବା ନିମନ୍ତେ ଆସନ୍ତା ଡିସେମ୍ବର ୨୧ ତାରିଖରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ‘ଗ୍ରାଣ୍ଡ ହୋମ କମିଂ’ ସମାବେଶ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହେବ ।
କର୍ପୋରେଟ୍ ଜଗତରୁ ଆରମ୍ଭ କରି ରାଜନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ବ୍ୟବସାୟ ଭଳି ଅନେକ କ୍ଷେତ୍ରରେ ସମ୍ମାନଜନକ ସ୍ଥିତି ଜାହିର କରିଥିବା ପୁରାତନ ଛାତ୍ରଛାତ୍ରୀ ଏହି ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଦେଶ ତଥା ବିଦେଶରେ ପ୍ରତିଷ୍ଠା ଲାଭ କରିଥିବା ଅନେକ ସୋଆ ଆଲୁମନି ଏହି ଏକ ଦିବସୀୟ କାର୍ଯ୍ୟକ୍ରମରେ ସାମିଲ ହେବେ ।
୨୦୦୧ରୁ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ଗ୍ରହଣ କରିଥିବା ସୋଆର ପୁରାତନ ଛାତ୍ରଛାତ୍ରୀମାନେ ଏହି ସମାବେଶରେ ଏକତ୍ରିତ ହେବେ ।
କାର୍ଯ୍ୟକ୍ରମରେ ସୋଆର ଜଣେ ପ୍ରତିଷ୍ଠିତ ପୁରାତନ ଛାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ବେଳେ ଅନ୍ୟ ଜଣେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ।
୨୧ ତାରିଖ ସକାଳେ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର), ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍, ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସ୍, ସମ୍ ନର୍ସିଂ କଲେଜ, ସେଂଟର ଫର ବାୟୋଟେକ୍ନୋଲୋଜି, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍, ସୋଆ ନ୍ୟାସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ପୁରାତନ ଛାତ୍ରଛାତ୍ରୀମାନେ ନିଜ ନିଜ କଲେଜରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ସଂପୃକ୍ତ ଅନୁଷ୍ଠାନର ଡିନ୍ ଓ ସିନିୟର ପ୍ରଫେସରମାନେ ମଧ୍ୟ ଉପସ୍ଥିତ ରହିବେ ।
୨୧ ତାରିଖ ସକାଳେ ଆଇଟିଇଆର ପରିସରରେ ପୁରାତନ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ କ୍ୟାମ୍ପସ ୨ ଆଇବିସିଏସ୍ କନ୍ଫରେନ୍ସ ହଲ୍ରେ ମ୍ୟାନେଜମେଂଟ ସାଇନ୍ସେସ୍ର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହେବେ । ସେହିପରି ଏସ୍ପିଏସ୍ ଅଡିଟୋରିୟମ୍ରେ ଫାର୍ମାସୀର ପୁରାତନ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟକ୍ରମ ରହିଥିବା ବେଳେ ଏସ୍ଏନ୍ସି ସେମିନାର ହଲ୍ରେ ପୁରାତନ ନର୍ସିଂ ଛାତ୍ରଛାତ୍ରୀଙ୍କ ସମାବେଶ ହେବ । ସିବିଟି କନ୍ଫରେନ୍ସ ହଲ୍ରେ ପୁରାତନ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀ ଏକତ୍ରିତ ହେଉଥିବା ବେଳେ କ୍ୟାମ୍ପସ ୪ ଅଡିଟୋରିୟମ୍ରେ କୃଷି ବିଜ୍ଞାନର ପୁରାତନ ଛାତ୍ରଛାତ୍ରୀମାନେ ଏକତ୍ରିତ ହେବେ । ସେହିପରି ସ୍ନିଲ୍ର କନ୍ଫରେନ୍ସ ହଲ୍ରେ ଆଇନ୍ର ପୁରାତନ ଛାତ୍ରଛାତ୍ରୀଙ୍କର ସମାବେଶ ହେଉଥିବା ବେଳେ ଆଇଡିଏସ୍ର କନ୍ଫରେନ୍ସ ହଲ୍ରେ ଦନ୍ତ ଚିକିତ୍ସାର ପୁରାତନ ଛାତ୍ରଛାତ୍ରୀ ଏକତ୍ରିତ ହେବେ । ସୋଆର ଡାକ୍ତରୀ ଶିକ୍ଷାର ପୁରାତନ ଛାତ୍ରଛାତ୍ରୀ ହସ୍ପିଟାଲ୍ର ସମ୍ ଆନେକ୍ସ ଅଡିଟୋରିୟମ୍ରେ ଏକତ୍ରିତ ହେବାର କାର୍ଯ୍ୟକ୍ରମ ରହିଛି ।
ଅପରାହ୍ନରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ସୋଆ କ୍ୟାମ୍ପସ ୨ ଅଡିଟୋରିୟମ୍ରେ ଏକତ୍ରିତ ହେବେ । କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଛାତ୍ର ମଙ୍ଗଳ ଡିନ୍ ତଥା ଡିନ୍ (ଆଲୁମନି) ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଓ ଡାଇରେକ୍ଟର ଅଫ୍ ଇଣ୍ଡଷ୍ଟ୍ରି ଏନଗେଜ୍ମେଂଟ ଆଣ୍ଡ କର୍ପୋରେଟ ରିଲେସନ୍ସ ଶ୍ରୀ ରିପ୍ତି ରଞ୍ଜନ ଦାଶ ଉପସ୍ଥିତ ରହିବେ ।
କାର୍ଯ୍ୟକ୍ରମରେ ସୋଆ ଆଲୁମିନାୟୀଜ୍ର ସଭାପତି ଡକ୍ଟର ସୁସ୍ମିତା ପଣ୍ଡା ଅଧ୍ୟକ୍ଷତା କରିବେ ।