ମିଥ୍ୟା ପ୍ରମାଣ ପତ୍ର ଓ ଜାଲ ଦସ୍ତଖତ କରି ଆକ୍ସିସ ବ୍ୟାଙ୍କରୁ ସୁନା ରୁଣ ନାମରେ ଟଙ୍କା ହଡପ ଘଟଣା, ଆଉ ଜଣେ ଅଭିଯୁକ୍ତ ଗିରଫ
ମାଲକାନଗିରି, ୨୩।୧୨: ମାଲକାନଗିରି ଜିଲ୍ଲା ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ଠକେଇ ଅଭିଯୋଗରେ ଆଜି ଆଉ ଜଣେ ଅଭିଯୁକ୍ତକୁ ଭୁବନେଶ୍ଵରରୁ ଗିରଫ କରି କୋର୍ଟ ଚାଲାଣ କରିଛି ମାଲକାନଗିରି ଆଦର୍ଶ ଥାନା ପୋଲିସ। ସୂଚନା ଅନୁଯାୟୀ ପୂର୍ବରୁ ଆକ୍ସିସ ବ୍ୟାଙ୍କରେ ସୁନା ରୁଣ ନାମରେ ମହା ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଏହି ଘଟଣାରେ ପୂର୍ବରୁ ୩ ଜଣ ବ୍ୟାଙ୍କ କର୍ମଚାରୀ ଗିରଫ ହୋଇଥିଲେ। ତେବେ ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତ ସୋମ୍ୟରଞ୍ଜନ ଦାସ ଅଭିଯୋଗ ପରେ ଫେରାର ହୋଇଯାଇଥିଲା। ପୋଲସି ସୋମ୍ୟକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଅଭିଯୁକ୍ତ ସୋମ୍ୟ ଭୁବନେଶ୍ବରରେ ଲୁଚି ରହିଥିବା ଖବର ପାଇ ମାଲକାନଗିରି ଆଦର୍ଶ ଥାନା ପୋଲିସର ଏକ ଟିମ ଚଢାଉ କରି ସୋମ୍ୟକୁ ଗିରଫ କରି ମାଲକାନଗିରି ଆଣିଥିଲେ। ତେବେ ଆଜି ପୋଲିସ ପକ୍ଷରୁ ଅଭିଯୁକ୍ତ ସୋମ୍ୟକୁ କୋର୍ଟ ଚାଲାଣ କରାଯାଇଛି। ମିଥ୍ୟା ପ୍ରମାଣ ପତ୍ର ଦେଇ ଓ ଅନେକ ଗ୍ରାହକଙ୍କ ନକଲି ଦସ୍ତଖତ କରି ଏହି ଅଭିଯୁକ୍ତ ମାନେ ମୋଟ ୧୬୪୮.୭୦ ଗ୍ରାମ ସୁନା ବନ୍ଧକ ଦର୍ଶାଇ ମୋଟ ୮୩. ୮୦ ଲକ୍ଷ ଟଙ୍କା ଲୁଟ କରିଥିଲେ। ତେବେ ପ୍ରକୃତରେ କିନ୍ତୁ ଏହି ପରିମାଣର ସୁନା ବ୍ୟାଙ୍କରେ ଜମା ନଥିବା ବେଳେ ବ୍ୟାଙ୍କ କର୍ତ୍ତୁପକ୍ଷଙ୍କ ଯାଞ୍ଚ ପରେ ଏହି ଘଟଣାର ସାମ୍ନାକୁ ଆସିଥିଲା ଓ ଏନେଇ ଥାନାରେ ଲିଖିତ ଅଭିଯୋଗ କରଯାଇ ମୋଟ ସାତ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଥିଲା। ଯେଉଁ ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣ ଗିରଫ ହୋଇଥିବା ବେଳେ ଆଗକୁ ଏହି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି କି ନାହିଁ ସେନେଇ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।