ବଦଳିଲେ ରାଜ୍ୟପାଳ; ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି

ମିଜୋରାମର ରାଜ୍ୟପାଳ ଥିଲେ ହରିବାବୁ କମ୍ଭାମପତି । ପୂର୍ବରୁ ସେ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ । ୨୦୧୪ରୁ ବିଶାଖାପାଟଣାରୁ ଲୋକସଭାକୁ ନିର୍ବାଚିତ ମଧ୍ୟ ହୋଇଥିଲେ ।

ଭୁବନେଶ୍ୱର: ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। 

ମିଜୋରାମର ରାଜ୍ୟପାଳ ଡଃ କମ୍ଭାମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଡଃ କମ୍ଭାମପତି ୨୦୨୧ ଜୁଲାଇ ୧୯ ତାରିଖରୁ ମିଜୋରାମର ରାଜ୍ୟପାଳ ଅଛନ୍ତି। ଛାତ୍ର ରାଜନୀତିରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭାମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନ ବେଳେ ଗିରଫ ହୋଇ ୬ମାସ ଜେଲ୍ ଯାଇଥିଲେ। ସେ ୧୯୯୯ ମସିହାରେ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପରେ ୨୦୧୪ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିିତ ହୋଇଥିଲେ। ପୂର୍ବରୁ ସେ ଆନ୍ଧ୍ରରେ ବିଜେପି ରାଜ୍ୟ ସଭାପତି ଥିଲେ ।

୧୯୫୩ ମସିହା ଜୁନ୍ ୧୫ତାରିଖରେ ଆନ୍ଧ୍ରପ୍ରଦେଶର ପ୍ରକାଶମ୍ ଜିଲ୍ଲାର ଟିମାସମୁଦ୍ରମ ଗାଁରେ ଜନ୍ମିତ କମ୍ଭାମପତି ଆନ୍ଧ୍ରପ୍ରଦେଶ ବିଶ୍ୱବିଦ୍ୟାଳୟରୁ ଇଲେକ୍ଟ୍ରିକାଲ ଆଣ୍ଡ କଂଟ୍ରୋଲ ସିଷ୍ଟମରେ ମାଷ୍ଟର ଡିଗ୍ରୀ ଓ କଂଟ୍ରୋଲ ସିଷ୍ଟମରେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ସେ ଆନ୍ଧ୍ରପ୍ରଦେଶ ୟୁନିର୍ଭସିଟି ଇଞ୍ଜିନିୟରିଂ କଲେଜରେ ୨୪ବର୍ଷ ଧରି ଆସୋସିଏଟ୍ ପ୍ରଫେସର ଭାବେ କାର୍ଯ୍ୟ କରିଥିଲେ।

ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ମଧ୍ୟ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଜେନେରାଲ୍ ବିଜୟ କୁମାର ସିଂଙ୍କୁ ମିଜୋରାମ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳ ରାଜ୍ୟପାଳ, ଆରିଫ ମହମ୍ମଦ ଖାନ୍‌ଙ୍କୁ ବିହାରର ରାଜ୍ୟପାଳ ଓ ଅଜୟ କୁମାର ଭାଲାଙ୍କୁ ମଣିପୁରର ରାଜ୍ୟପାଳ ଭାବେ ନିଯୁକ୍ତି କରାଯାଇଛି।

Leave A Reply

Your email address will not be published.