୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
ନୂଆଦିଲ୍ଲୀ: ମନମୋହନ ସିଂହଙ୍କୁ ଇତିହାସ କେବଳ ଭାରତର ୧୪ତମ ପ୍ରଧାନମନ୍ତ୍ରୀ ନୁହେଁ, ଭାରତର ଅର୍ଥନୈତିକ ସଂସ୍କାରକ ଓ ଜଣେ ବିଦ୍ୱାନ ନେତା ରୂପେ ମନେ ରଖିବ। ୧୯୯୧ ମସିହାରୁ ୧୯୯୬ ମସିହା ପର୍ଯ୍ୟନ୍ତ ସେ ଦେଶର ଅର୍ଥ ମନ୍ତ୍ରୀ ରୂପେ ଦାୟିତ୍ୱ ତୁଲାଇଥିଲେ। ଉକ୍ତ ସମୟରେ ଦେଶ ବହୁ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବେଳେ ମନନମୋହନ ସିଂହ ସାଜିଥିଲେ ସଙ୍କଟମୋଚକ ।
ମନମୋହନଙ୍କ ଅର୍ଥ ମନ୍ତ୍ରିତ୍ୱ କାଳରେ ଦେଶରେ ଦେଖା ଦେଇଥିଲା ବୈଦେଶିକ ମୁଦ୍ରାର ଘୋର ସଙ୍କଟ। ଆୟଠାରୁ ବ୍ୟୟ ବହୁଗୁଣା ଅଧିକ ରହିବାରୁ ବିଶାଳ ବିତ୍ତୀୟ ନିଅଣ୍ଟ ସ୍ଥିତିକୁ ସଙ୍ଗିନ କରିଥିଲା। ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଖାଲି ହେବାକୁ ବସିଥିଲା ଓ ଦେଶ ଦେବାଳିଆ ହେବା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଥରୁ ମୁକୁଳିବାକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)ର ସହାୟତା ଲୋଡ଼ାଯାଇଥିବା ବେଳେ ସୁନା ବନ୍ଧା ରଖି ପାଣ୍ଠି ଯୋଗାଡ଼ କରାଯାଇଥିଲା। ସେପରି ଆର୍ଥିକ ଘଡ଼ିସନ୍ଧି ସମୟରେ ନିଜର ବିଚକ୍ଷଣ ଅର୍ଥନୈତିକ ଜ୍ଞାନ ବଳରେ ମନମୋହନ ଅର୍ଥନୈତିକ ସଂସ୍କାରର ପ୍ରସ୍ତାବ ଦେଇଥିଲେ।
୧୯୪୮ ମସିହାରେ ଡକ୍ଟର ସିଂହ ପଞ୍ଜାବରୁ ପାସ୍ କରିବା ପରେ ତାଙ୍କ ଅଧ୍ୟୟନ ପଞ୍ଜାବରୁ ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟ ଯାଏ ଲମ୍ବିଥିଲା। ମନ୍ତ୍ରୀ ପଦ ସମ୍ଭାଳିବା ପରେ ଅର୍ଥନୀତି କ୍ଷେତ୍ରରେ ସେ ଆରମ୍ଭ କରିଥିଲେ ଉଦାରୀକରଣର ଯୁଗ। ଲାଇସେନ୍ସ ରାଜ୍କୁ ଶେଷ କରିଥିଲେ। ଟିକସରେ କରିଥିଲେ ବଡ଼ ପରିବର୍ତ୍ତନ । ଏଥିସହ ଆମଦାନୀ ଓ ରପ୍ତାନୀ ଉପରେ ଲାଗିଥିବା କଟକଣାକୁ ହଟାଇଲେ। ଫଳରେ ବିଦେଶୀ କମ୍ପାନୀଙ୍କ ପାଇଁ ଭାରତ ବଜାର ମୁକ୍ତ ହେଲା। ଭାରତରେ ନିବେଶ କରିବା ନିମନ୍ତେ ସିଂହ ସେମାନଙ୍କୁ ପ୍ରୋତ୍ସାହିତ କଲେ। ଏହାଦ୍ୱାରା ଦେଶକୁ ନୂଆ ବୈଷୟିକ ଜ୍ଞାନ କୌଶଳ ଆସିଲା, ରୋଜଗାର ବଢ଼ିଲା ଓ ଅର୍ଥ ବ୍ୟବସ୍ଥା ମଜବୁତ ହେଲା। ଅର୍ଥ ବ୍ୟବସ୍ଥାରେ ଏହି ପରିବର୍ତ୍ତନକୁ ଆର୍ଥିକ ଉଦାରୀକରଣ କୁହାଗଲା। ଏହାଦ୍ୱାରା ଭାରତର ଅର୍ଥ ବ୍ୟବସ୍ଥା ଟ୍ରାକ୍କୁ ଆସି ଦୌଡ଼ିବାକୁ ଲାଗିଲା।
ବିଭିନ୍ନ କ୍ଷେତ୍ରରେ ପ୍ରତ୍ୟକ୍ଷ ବୈଦେଶିକ ପୁଞ୍ଜିନିବେଶ (ଏଫ୍ଡିଆଇ) ଲାଗି ବାଟ ଖୋଲିଥିଲା। ୧୯୯୧ରେ ମନମୋହନ ନେଇଥିବା ପଦକ୍ଷେପର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ଦୀର୍ଘକାଳ ଧରି ରହିଥିଲା। ଦେଶର ଅର୍ଥନୀତି, ବ୍ୟବସାୟ ଢାଞ୍ଚା ଓ ଆର୍ଥିକ ଦୃଶ୍ୟପଟ ସମ୍ପୂର୍ଣ୍ଣ ବଦଳିଯାଇଥିଲା। ସରକାରୀ ଉଦ୍ୟୋଗଗୁଡ଼ିକର ଘରୋଇକରଣ ବାଟ ଫିଟିଥିଲା। ଅର୍ଥନୀତି ଦ୍ରୁତ ଗତିରେ ଆଗକୁ ବଢ଼ିବା ଲାଗି ଯେଭଳି ସବୁଠୁ ବଡ଼ ବଳ ମିଳିଯାଇଥିଲା। ତାଙ୍କର ଏହି ଚମତ୍କାର ପଦକ୍ଷେପ ପ୍ରଭାବରେ ଦେଶରେ ଅନେକ ନୂଆ ଶିଳ୍ପ କାରଖାନା ଗଢ଼ି ଉଠିଥିଲା। ଲୋକଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚିଥିଲା। ଭାରତ ଏକ ବିଶାଳ ଉପଭୋକ୍ତା ବଜାର ଭାବେ ଉଭା ହୋଇଥିଲା। ଆମଦାନି ଓ ରପ୍ତାନି ନିୟମ କୋହଳ କରାଯିବାରୁ ବ୍ୟବସାୟ କରିବା ବେଶ୍ ସହଜ ହୋଇଥିଲା। ଦେଶରେ ବହୁ ସଂଖ୍ୟାରେ ନୂଆ ଉଦ୍ୟୋଗୀ ସୃଷ୍ଟି ହୋଇଥିଲେ। ସାରା ବିଶ୍ୱରୁ ବହୁ ଜିନିଷ ଭାରତ ଆସିଥିଲା।
ମନମୋହନ ସିଂହଙ୍କ ଅମଳରେ ୧୯୯୨ରେ ଭାରତର ସର୍ବବୃହତ୍ ଷ୍ଟକ୍ ଏକ୍ସଚେଞ୍ଜ ‘ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ’ ପ୍ରତିଷ୍ଠା କରାଯାଇଥିଲା। ଦେବାଳିଆ ହେବାକୁ ଯାଉଥିବା ଏକ ଦେଶକୁ ଦ୍ରୁତ ବିକାଶ ପଥରେ ସ୍ଥାନିତ କରିବା ପ୍ରତି ମନମୋହନଙ୍କ ଅବଦାନ ଚିର ସ୍ମରଣୀୟ ରହିବ।
ମନମୋହନ ସିଂହ ନିଜ ଅମଳରେ ଗରୀବଙ୍କ ବିକାଶ ଉପରେ ବିଶେଷ ଫୋକସ୍ କରିଥିଲେ। ୨୦୦୫ ମସିହାରେ ସେ (ରାଷ୍ଟ୍ରୀୟ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ) ନରେଗା ଲାଗୁ କରିଥିଲେ। ଏହି ଯୋଜନା ଅଧୀନରେ ଗ୍ରାମାଞ୍ଚଳରେ ରହୁଥିବା ପରିବାରକୁ ବର୍ଷରେ ଅତି କମ୍ରେ ଶହେ ଦିନର କାମ ଯୋଗାଇବାର ଗ୍ୟାରେଣ୍ଟି ଦିଆଗଲା। ସରକାର ଶହେ ଦିନର କାମ ଯୋଗାଇ ନ ପାରିଲେ ବେରୋଜଗାରି ଭତ୍ତା ଦେବାକୁ ବାଧ୍ୟ ହେବେ ବୋଲି ନିୟମ ପ୍ରଣୟନ କରାଗଲା। ଏହାଦ୍ୱାରା ଗ୍ରାମାଞ୍ଚଳରେ ଗରୀବ ସୀମାରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା କମିବାକୁ ଲାଗିଲା ଓ ଲୋକେ ସହରମୁହାଁ ହେବା ବି ହ୍ରାସ ପାଇଲା।
ପରେ ଏହି ଯୋଜନା ନାଁ ବଦଳାଇ ମହାତ୍ମ ଗାନ୍ଧି ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟି ଅଧିନିୟମ (ମନେରେଗା) କରାଗଲା। ଏହି ବ୍ୟବସ୍ଥା ଆଜି ବି ଭାରତର ଗ୍ରାମାଞ୍ଚଳ ଲୋକଙ୍କ ଆର୍ଥିକ ସ୍ଥିତି ସୁଧାରିବାରେ ମୁଖ୍ୟ ଭୂମିକା ତୁଲାଉଛି।
ମନମୋହନ ସିଂହଙ୍କ ଅମଳରେ ୨୦୦୫ ମସିହାରେ ସୂଚନା ଅଧିକାର ଅଧିନିୟମ RTI) ଲାଗୁ କରାଗଲା। ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହା ସାଧାରଣ ଲୋକଙ୍କୁ ସଶକ୍ତ କରିବା ପାଇଁ ଏକ ବଡ଼ ଅସ୍ତ୍ର। ଏହି ନିୟମ ବଳରେ ଭାରତର ଜଣେ ନାଗରିକ ଯେ କୌଣସି ସରକାରୀ ବିଭାଗରୁ ଯେକୌଣସି ସୂଚନା ମାଗିବାକୁ ହକଦାର। ଏହାଦ୍ୱାରା ସରକାରୀ ବିଭାଗରେ ଭ୍ରଷ୍ଟାଚାର ନିୟନ୍ତ୍ରଣକୁ ଆସିଲା।
ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ୨୦୧୦ ମସିହା ସେପ୍ଟେମ୍ବର ୨୯ ତାରିଖରେ ଆଧାର କାର୍ଡ ପ୍ରଣୟନ କରାଯାଇଥିଲା। ଏହା ନାଗରିକଙ୍କର ଏକ ବିଶିଷ୍ଟ ପରିଚୟ ପତ୍ର ପାଲଟିଥିବା ବେଳେ ବିଭିନ୍ନ ସେବାର ଲାଭ ପାଇବା ନିମନ୍ତେ ଏହାର ଆବଶ୍ୟକତା ବଢ଼ି ଚାଲିଛି ।
ମନମୋହନ ସିଧାସଳଖ ନିର୍ବାଚନ ଜିତି ନ ଥିଲେ ବି ଜଣେ ଦୁର୍ନୀତିମୁକ୍ତ ସ୍ୱଚ୍ଛ ରାଜନେତା ରୂପେ ବେଶ୍ ଲୋକପ୍ରିୟ ଥିଲେ। ୨୦୦୪ ମେ’ ୨୨ ତାରିଖରେ ସେ ଭାରତର ପ୍ରଧାନମନ୍ତ୍ରୀ ରୂପେ ଶପଥ ନେଇଥିଲେ। ଏହାପରେ ୨୦୦୯ ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟ ପରେ ମେ’ ୨୨ ତାରିଖରେ ସେ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ରୂପେ ପୁନର୍ବାର ଶପଥ ନେଇଥିଲେ। ମନମୋହନଙ୍କ ନେତ୍ୱତ୍ୱାଧୀନ କଂଗ୍ରେସ ସରକାର ଅମଳରେ ଅନେକ ଦୁର୍ନୀତି ଅଭିଯୋଗ ଆସିଥିଲେ ବି ସିଂହଙ୍କ ନିର୍ମଳ ଭାବମୂର୍ତ୍ତି ଅକ୍ଷୁର୍ଣ୍ଣ ରହିଥିଲା।