ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଡଃ ହରିବାବୁ କମ୍ଭମ୍‌ପତି

ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ହରି ବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ ।

ଭୁବନେଶ୍ବର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ଡଃ ହରିବାବୁ କମ୍ଭମ୍‌ପତି । ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଆଜି ସେ ଶପଥ ନେଇଛନ୍ତି। ଆଜି ପୂର୍ବାହ୍ନ ୧୦ଟା୧୦ ମିନିଟ୍‌ରେ ଡଃ ହରିବାବୁ କମ୍ଭମ୍‌ପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ । ଏଥିନିମନ୍ତେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା।

ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଶପଥ ଗ୍ରହଣ ଉତ୍ସବ ପରେ ନୂତନ ରାଜ୍ୟପାଳଙ୍କୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା। 

ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବରେ ଡଃ ହରିବାବୁ କମ୍ଭମ୍‌ପତିଙ୍କୁ ନିଯୁକ୍ତି ମିଳିଥିଲା। ଗତକାଲି ଅପରାହ୍ଣରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହରିବାବୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ରାଜଭବନ ପକ୍ଷରୁ ଗାର୍ଡ-ଅଫ୍‌-ଅନର୍‌ ପ୍ରଦାନ କରାଯିବା ପରେ ରାଜ୍ୟପାଳ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପତି ବାଟମଙ୍ଗଳା ଓ ଶ୍ରୀମନ୍ଦିରରେ ଚତୁର୍ଦ୍ଧା‌ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।

ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ସେ ଭୁବନେଶ୍ୱର ଫେରିଥିଲେ। ଏହାପରେ ରାଜଭବନରେ ଶପଥ ନେଇଛନ୍ତି ଡଃ ହରିବାବୁ କମ୍ଭମ୍‌ପତି । ଏହି ଅବସରରେ ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ସେ ପ୍ରାର୍ଥନା କହିଛନ୍ତି ।

Leave A Reply

Your email address will not be published.