- ଜୁଏଲଙ୍କ ବ୍ୟକ୍ତିଗତ ସଚିବ ଥିଲେ, ଏବେ ମୋହନଙ୍କ ବ୍ୟକ୍ତିଗତ ସଚିବ ହେଲେ ମନୋଜ ସାହୁ
- ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ମନୋଜ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ ।
ଭୁବନେଶ୍ବର: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୦୬ ବ୍ୟାଚ୍ ଏଜିଏମୟୁଟି କ୍ୟାଡ଼ରର ଆଇଏଏସ୍ ମନୋଜ କୁମାର ସାହୁଙ୍କୁ ଆଜି ନିଯୁକ୍ତି ମିଳିଛି । ରାଜ୍ୟ ସରକାରଙ୍କ ଅନୁରୋଧରେ ଶ୍ରୀ ସାହୁଙ୍କୁ କେନ୍ଦ୍ର ସରକାର ଗତମାସରେ ଓଡ଼ିଶାକୁ ପଠାଇଥିଲେ । ଶ୍ରୀ ସାହୁ ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୩ ବର୍ଷ ଧରି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ତୁଲାଇଥିଲେ । ୨୦୦୬ ବ୍ୟାଚ୍ର ଆଇଏଏସ୍ ମନୋଜ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳର କ୍ୟାଡର୍ ଅଧିକାରୀ ।
ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଶ୍ରୀ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ସେ ଆଇଏଏସ୍ କ୍ୟାଡ଼ରରେ ସ୍ୱତନ୍ତ୍ର ସଚିବ ପାହ୍ୟାର ସୁବିଧାସୁଯୋଗ ପାଇବେ । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରୁଥିବା ୨୦୧୧ ବ୍ୟାଚ୍ ଆଇଏଏସ୍ ଅରିନ୍ଦମ ଡାକୁଆଙ୍କୁ ଗୁରୁବାର ବଦଳି କରାଯିବା ପରେ ଏହି ପଦବୀ ଖାଲି ପଡ଼ିଥିଲା । ଅବଶ୍ୟ ରାଜ୍ୟରେ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶପଥ ନେବା ପରେ ଶ୍ରୀ ସାହୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେବେ ବୋଲି ଚର୍ଚ୍ଚା ହୋଇଥିଲା । ମାତ୍ର ସେତେବେଳେ ସେ ଡେପୁଟି ନିର୍ବାଚନ କମିଶନର ଭାବେ କାର୍ଯ୍ୟ କରୁଥିବାରୁ ତାଙ୍କ ନିଯୁକ୍ତିରେ ବିଳମ୍ବ ହୋଇଥିଲା । ଶ୍ରୀ ସାହୁ ଗତମାସରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେବା ପରେ ଆଜି ତାଙ୍କୁ ଏହି ନୂଆ ଦାୟିତ୍ୱ ନ୍ୟସ୍ତ ହୋଇଛି ।
ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକର ସିଙ୍ଗାରପୁର ଗାଁରେ ଜନ୍ମିତ ଶ୍ରୀ ସାହୁ ଭୁବନେଶ୍ୱରସ୍ଥିତ ଓୟୁଏଟି ବିଶ୍ୱବିଦ୍ୟାଳୟରୁ ବିଏସସି ଓ ଜୁନାଗଡ଼ କୃଷି ବିଶ୍ୱବିଦ୍ୟାଳୟରୁ ଏମଏସସି ଡିଗ୍ରୀ ହାସଲ କରିବା ପରେ ୨୦୦୬ ମସିହାରେ ଆଇଏଏସ୍ ଚାକିରିରେ ଯୋଗ ଦେଇଥିଲେ । ଚାକିରିରୁ ଆରମ୍ଭରୁ ସେ ଡାମନ ଓ ଡିଉରେ ଜିଲ୍ଲାପାଳ ଭାବେ କାର୍ଯ୍ୟ ତୁଲାଇଛନ୍ତି । ପରେ ୨୦୧୨ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଅରୁଣାଚଳ ପ୍ରଦେଶ ସରକାରରେ ବିଭିନ୍ନ ପଦବୀରେ କାର୍ଯ୍ୟ କରି ୨୦୧୫ରେ ଗୋଆ ସରକାରରେ ପ୍ରାୟ ଏକ ବର୍ଷ କାର୍ଯ୍ୟ କରିଛନ୍ତି । ୨୦୧୬ରୁ ୨୦୧୯ ମସିହା ପର୍ଯ୍ୟନ୍ତ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ଜଳଶକ୍ତି ଡେପୁଟି ସଚିବ ଓ ପରେ ନିର୍ଦ୍ଦେଶକ ଭାବେ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଡେପୁଟି ନିର୍ବାଚନ କମିଶନର ଭାବେ ୨୦୨୨ ଡିସେମ୍ବରରୁ ୨୦୨୪ ନଭେମ୍ବର ୧୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ ତୁଳାଇଥିଲେ ।