ସୋମନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବ୍ୟାସକବି ସାହିତ୍ୟ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ସୋମନାଥପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ୟାସକବି ସାହିତ୍ୟ ସଂସଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇ ଆଜି ଦିନର ମହତ୍ୱ ସମ୍ବନ୍ଧରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇବା ସହ ନିଜେ ଲେଖିଥିବା କିଛି କବିତା ପାଠ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାସକବି ସାହିତ୍ୟ ସଂସଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ କବି ଯଚିନ୍ଦ୍ର ସ୍ୱାଇଁ, ଗୁରୁପ୍ରିୟା ସାହିତ୍ୟ ସଂସଦ ର ସମ୍ପାଦକ ବିଶ୍ୱଜିତ ମୁଦୁଲି, କୋଷାଧ୍ୟକ୍ଷ ସୁନିତା ଗୁରୁ, ଯୁଗ୍ମ ସମ୍ପାଦକ ପ୍ରଦ୍ୟୁମ୍ନ ସ୍ୱାଇଁ, ଉପ ସଭାପତି ଗୋଦାବରୀଶ ଦାସ, ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଟୁକୁରାଣୀ ଜୋଦାର, କବି କରୁଣାକର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ମାଲକାନଗିରି ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଭାପତି ଦେବ ପ୍ରସାଦ ଦାସ, ସମଗ୍ର ଶିକ୍ଷା କୋର୍ଡିନେଟର ଶକୁନ୍ତଳା ମାଝୀ, ବିଧାୟକ ପ୍ରତିନିଧି ଇସାକ୍ ଖୋସଲା, ଅନ୍ତର୍ଜାମୀ ଖିଲ, ଅଶ୍ୱିନୀ କୁମାର ପଟ୍ଟନାୟକ, ସାମ୍ବାଦିକ ସୁଧାଂଶୁ ଶେଖର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର କୋଣ ଅନୁକୋଣରୁ ଆସିଥିବା କବି ମାନଙ୍କୁ ସଂସଦ ପକ୍ଷରୁ ଉପଢୌକନ ସହ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏଥିରେ ମୁଗ୍ଧ ହୋଇ ପିଲାମାନଙ୍କୁ ସାଂସ୍କୃତିକ ପରିବେଷଣ ସହ ମନ ଦେଇ ଭଲ ପାଠ ପଢିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ କହିଥିଲେ। ଆଗାମୀ ଦିନରେ ମଧ୍ୟ ସଂସଦ ପକ୍ଷରୁ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ବ୍ୟାସକବି ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ସ୍ୱାଇଁ ସୂଚନା ଦେଇଥିଲେ।

Leave A Reply

Your email address will not be published.