ନଈରୁ ମେସିନରେ ବାଲି ଉଠାଇ ମାଲେ ମାଲ ହେଉଛନ୍ତି ବାଲି ମାଫିଆ, ରାଜସ୍ୱ ହରାଉଛନ୍ତି ସରକାର

ମାଲକାନଗିରି, ୧୫।୧: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଦେଇଯାଇଥିବା ନଦୀଟି ବ୍ଲକ୍ ଅଧୀନରେ ଥିବା ପ୍ରାୟ ଚାରିଗୋଟି ଗ୍ରାମ ପଞ୍ଚାୟତକୁ ସଂଯୋଗ କରୁଅଛି। ହେଲେ ପ୍ରତ୍ୟେକ ଦିନ ଉକ୍ତ ନଦୀର ବିଭିନ୍ନ ସ୍ଥାନରୁ ବହୁ ବାଲି ବାହାରକୁ ଚାଲାଣ ହେଉଥିବାର ବହୁ ନଜିର ରହିଛି। କିଛି କିଛି ସ୍ଥାନରେ ରାଜସ୍ୱ ନିରିକ୍ଷକ କିଛି ବାଲି ଗାଡି ଧରି ଅଳ୍ପ କିଛି ଚାଲାଣ କାଟି ନିଜ କାମ ସାରିଦେଉଛନ୍ତି। ଏପଟେ ବାଲି ମାଫିଆ ପୁରା ନିର୍ଭୟରେ ମେଶିନ ଲଗାଇ ନଦୀ ଭିତରୁ ବାଲି ବାହାର କରି ମାଲେ ମାଲ ହେଉଛନ୍ତି। ଏପରି ଦେଖିବାକୁ ମିଳିଛି ବ୍ଲକ ଅଧୀନ ତୁମୁଷାପଲ୍ଲି ଗ୍ରାମ ପଞ୍ଚାୟତ ସଦର ନିକଟଦେଇ ଯାଇଥିବା ନଇରେ। ଗ୍ରାମବାସୀଙ୍କ କହିବା ଅନୁଯାଇ ଉକ୍ତ ନଈରେ କେହି ଜଣେ ବାଲି ମାଫିଆ ମେସିନ ସାହାଯ୍ୟରେ ବାଲି ନଈ ଭିତରୁ ବାହାର କରି ବଡ ଗାଡି, ଟ୍ରାକ୍ଟର ସାହାଯ୍ୟରେ ବହୁ ବାଲି ବାହାରକୁ ଚାଲାଣ କରୁଥିବା ବେଳେ ବର୍ତ୍ତମାନ ନଇନଈର ବହୁ ସ୍ଥାନରେ ବହୁବାଲି ପାହାଡ ପରି ଗଦା ହୋଇରଥିବା ଗ୍ରାମବାସୀ କହିଛନ୍ତି। ଏନେଇ ଆମେ ମାରିୱାଡା ରାଜସ୍ୱ ନିରିକ୍ଷକ ରାଜେଶ୍ଵରୀ ନାୟକଙ୍କୁ ପଚାରିବାରୁ ସେ କହିଥିଲେ କିଛି ଲୋକଙ୍କର ରସିଦ କଟାହୋଇଥିବା ବେଳେ ମେସିନ୍ ସାହାଯ୍ୟରେ ନଈରୁ ବାଲି ଉଠାଯିବା କଥା ଜାଣିନାହାନ୍ତି, ଯଦି ସେମିତି କିଛି ହୋଇଥାଏ ତେବେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଆଗାମୀ ଦିନରେ ଦେଖିବାର ବାକି ରହିଲା ରାଜସ୍ୱ ବିଭାଗ କି ପଦକ୍ଷେପ ନେଉଛି ନା ବାଲି ମାଫିଆଙ୍କ ନିମନ୍ତେ କିଛି ରସିଦ କାଟି ନିଜ ଦୋଷ ମୁକ୍ତ ହେଉଛନ୍ତି।

Leave A Reply

Your email address will not be published.