ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି।
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ଅନ୍ୟତମ ଖଳନାୟକ ତାହାବୁର ହୁସେନ ରାଣାକୁ ଆମେରିକାରେ ବଡ଼ ଝଟକା ଲାଗିଛି। ଆତଙ୍କୀ ହମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାରିଥିବା ରାଣା ଆମେରିକାରେ ନିଜର ଶେଷ ଆଇନଗତ ବିକଳ୍ପରେ ପରାସ୍ତ ହୋଇଛି। ଭାରତ ତା’କୁ ଆମେରିକାରୁ ଆଣିବାକୁ ଚାହୁଁଥିବା ବେଳେ ସେ ଦୀର୍ଘ ବର୍ଷ ହେଲାଣି ଆଇନ ଖେଳ ଖେଳି ଚାଲିଥିଲା।
କିନ୍ତୁ ଶନିବାର ରାଣାର ସବୁ ଖେଳ ଖତମ ହୋଇଯାଇଛି। ଆମେରିକାର ସୁପ୍ରିମକୋର୍ଟ ଆଜି ଆତଙ୍କବାଦ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଣାର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଛନ୍ତି। ଏହାର ଅର୍ଥ ଭାରତକୁ ତା’ର ପ୍ରତ୍ୟର୍ପଣ ହେବା ଏକ ପ୍ରକାରର ସୁନିଶ୍ଚିତ ହୋଇଛି। ସେହିପରି ଭାରତର ତା’ ବିରୋଧରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ହମଲାର ବିଚାର ମଧ୍ୟ କରାଯିବ।
ରାଣା ବ୍ୟତୀତ ଭାରତରେ ଅପରାଧ ଘଟାଇ ବିଦେଶ ଫେରାର ହୋଇଯାଇଥିବା ଆଉ କିଛି ପଳାତକଙ୍କୁ ମଧ୍ୟ ନୂଆଦିଲ୍ଲୀ ଏଠାକାର ନ୍ୟାୟିକ ପ୍ରକ୍ରିୟାରେ ସାମିଲ କରିବାକୁ ଉଦ୍ୟମ ଜାରି ରଖିଛି। ଏହି ପଳାତକଙ୍କ ମଧ୍ୟରେ ଉଭୟ ଆତଙ୍କବାଦୀ ଓ ଅର୍ଥନୀତିକ ଅପରାଧୀ ରହିଛନ୍ତି। ଗତ ମାସରେ ସରକାର କହିଥିଲେ ଯେ ସମସ୍ତ ପଳାତକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଆମେରିକାରେ ରହିଛନ୍ତି। ଆମେରିକା ଏବେ ଅପରାଧୀ ଓ ଆତଙ୍କବାଦୀଙ୍କ ସୁରକ୍ଷିତ ଭୂସ୍ୱର୍ଗରେ ପରିଣତ ହୋଇଯାଇଛି।
ବିଦେଶରେ ଭାରତ କେଉଁମାନଙ୍କ ପ୍ରତ୍ୟର୍ପଣ ପାଇଁ ମାମଲା ଲଢ଼ୁଛି?

୧- ତାହାବୁର ହୁସେନ ରାଣା: ପାକିସ୍ତାନର ମୂଳ ନାଗରିକ ରାଣା ଜଣେ କାନାଡିଆନ ବ୍ୟବସାୟୀ। ମୁମ୍ବାଇ ଆତଙ୍କୀ ହମଲାରେ ସେ ସାମିଲ ଥିଲା। ୨୦୦୮ରେ ହୋଇଥିବା ମୁମ୍ବାଇ ଟେରର ଆଟାକରେ ୧୬୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପାକିସ୍ତାନ ଆର୍ମିରେ ରାଣା ଏକଦା ଡାକ୍ତର ଭାବେ କାର୍ଯ୍ୟ କରୁଥିଲା। ୨୦୦୮ ମୁମ୍ବାଇ ଆଟାକ ସମ୍ପର୍କରେ ସେ ଭଲ ଭାବେ ପୂର୍ବରୁ ଅବଗତ ରହିଥିଲା। ଡେନମାର୍କରେ ଆତଙ୍କୀ ହମଲା ଷଡ଼ଯନ୍ତ୍ର ଘଟଣାରେ ତା’କୁ ୨୦୦୯ରେ ଗିରଫ କରାଯାଇଥିଲା। ଏହି ମାମଲା ବ୍ୟତୀତ ସେ ଲସ୍କର-ଇ-ତାଏବାକୁ ସହଯୋଗ କରିବା ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଛି। ଏବେ ଆମେରିକା ସୁପ୍ରିମକୋର୍ଟ ଭାରତକୁ ତା’ର ପ୍ରତ୍ୟର୍ପଣ ପାଇଁ ପଥ ପରିଷ୍କାର କରିଛନ୍ତି।
୨- ଅର୍ଶ ଡାଲ୍ଲା: ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀପ ସିଂହ ଗିଲ ଓରଫ ଅର୍ଶ ଡାଲ୍ଲା କାନାଡା ଭିତ୍ତିକ ନିଷିଦ୍ଧ ସଂଗଠନ ଖଲିସ୍ତାନ ଟାଇଗର ଫୋର୍ସର ନେତା। ହତ୍ୟା, ହତ୍ୟା ଉଦ୍ୟମ, ଲୁଟ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଭଳି ୫୦ଟି ମାମଲାରେ ସେ ସାମିଲ ରହିଛି। ସେ ଭାରତର ଅନ୍ୟତମ ମୋଷ୍ଟୱାଣ୍ଟେଡ। ୨୦୦୪ ଜାନୁଆରୀ ମାସରେ ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଥିଲେ। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇର ଯୋଗାଯୋଗରେ ରହିଛି। ଅର୍ଶଦୀପ ଗତବର୍ଷ ଅକ୍ଟୋବରରେ ଗିରଫ ହୋଇଥିଲା। ସେବେଠାରୁ ଭାରତ ସରକାର ତା’ର ପ୍ରର୍ତ୍ୟପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏସବୁ ଭିତରେ କାନାଡାର ଗୋଟିଏ କୋର୍ଟ ତା’କୁ ଡିସେମ୍ବରରେ ଜାମିନ ଦେଇଛନ୍ତି।

୩- ଅନମୋଲ ବିଷ୍ଣୋଇ: ଭାରତର ଜେଲରେ ବନ୍ଦୀ ଜୀବନ କାଟୁଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ସାନ ଭାଇ ହେଉଛି ଅନମୋଲ ବିଷ୍ଣୋଇ। ଲରେନ୍ସ ଗୁଜରାଟ ଜେଲରେ ରହି ବିଷ୍ଣୋଇ ଗ୍ୟାଙ୍ଗକୁ ଚଳାଉଛି। ଏହାର ନେତୃତ୍ୱ ବିଦେଶରେ ରହି ଅନମୋଲ ନେଉଛି। ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲା ଓ ରାଜନେତା ବାବା ସିଦ୍ଦିକୀଙ୍କ ଭଳି ହାଇପ୍ରୋଫାଇଲ ମର୍ଡର କେସ୍ର ଅଭିଯୁକ୍ତ ହେଉଛି ଅନମୋଲ। ବୈଧ ଦସ୍ତାବିଜ ନ ଦେଇ ଆମେରିକାରେ ପ୍ରବେଶ କରିଥିବାରୁ ତା’କୁ ଗତବର୍ଷ ନଭେମ୍ବରରେ ଗିରଫ କରାଯାଇଥିଲା। ଏହି ଖବର ପରେ ଭାରତ ସରକାର ତା’କୁ ଆମେରିକାରୁ ଏଠାକୁ ଆଣିବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ ନିକଟ ଭବିଷ୍ୟତରେ ଅନମୋଲକୁ ପ୍ରତ୍ୟର୍ପଣ କରିବା ସମ୍ଭବ ପର ଲାଗୁ ନାହିଁ।
୪- ବିଜୟ ମାଲ୍ୟା: ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କାର ଠକେଇ କରି ବିଦେଶ ଚାଲି ଯାଇଛନ୍ତି। ୨୦୧୬ରୁ ସେ ଭାରତ ଛାଡ଼ିଥିବା ବେଳେ ଏବେ ବ୍ରିଟେନରେ ରହିଛନ୍ତି। ୨୦୧୯ରେ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଭାରତ ସରକାର ମାଲ୍ୟାଙ୍କୁ ସ୍ୱଦେଶ ଫେରାଇ ଆଣିବାକୁ ଆଇନଗତ ଲଢ଼େଇ ଜାରି ରଖିଛନ୍ତି। ହେଲେ ଏହା ଏଯାଏ ସମ୍ଭବ ହୋଇନାହିଁ। ଆଉ ଏକ ୧୮୦ କୋଟି ଋଣ ଜାଲିଆତି ଘଟଣାରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ମାଲ୍ୟାଙ୍କ ନାଁରେ ଗତବର୍ଷ ପୁଣି ଜାମିନ ବିହୀନ ଗିରଫ ପରୱାନା ଜାରି କରିଛନ୍ତି। ହେଲେ ଭାରତ ସରକାର ତାଙ୍କୁ ବ୍ରିଟେନରୁ ଫେରାଇ ଆଣିବାକୁ ସକ୍ଷମ ହୋଇନାହାନ୍ତି।

୫ – ନୀରବ ମୋଦି: ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ଅଙ୍କଲ ମେହୁଲ ଚୋକସି ହେଉଛନ୍ତି ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କାର ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ। ଉଭୟ କିଛି ବ୍ୟାଙ୍କ ଅଧିକାରୀଙ୍କ ସହ ମିଶି ପିଏନବି ସହ ଏପରି ଋଣ ଜାଲିଆତି କରିଛନ୍ତି। ଋଣ ଜାଲିଆତି ଘଟଣା ସାମ୍ନାକୁ ଆସିବା ପରେ ନୀରବ ମୋଦି ୨୦୧୮ରେ ଭାରତରୁ ଫେରାର ହୋଇଯାଇଥିଲେ। ସେହିବର୍ଷ ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା।
ବର୍ତ୍ତମାନ ବ୍ରିଟେନ ଜେଲରେ ରହିଛନ୍ତି। ଭାରତର ପ୍ରତ୍ୟର୍ପଣ ଆବେଦନ ବିରୋଧରେ ସେ ବ୍ୟବହାର କରିଥିବା ସମସ୍ତ ଆଇନଗତ ବିକଳ୍ପ ଏବେ ଏକପ୍ରକାରର ଶେଷ ହୋଇଯାଇଛି। ତେଣୁ ତାକୁ ବ୍ରିଟେନ ସରକାର ଯେକୌଣସି ସମୟରେ ଭାରତକୁ ଫେରାଇ ଦେଇ ପାରନ୍ତି। ତାଙ୍କ ଅଙ୍କଲ ମେହୁଲ ଚୋକସି ଏବେ ଆଣ୍ଟିଗୁଆରେ ରହିଛନ୍ତି।
ଏହି ୫ ଆତଙ୍କୀ ଓ ଅର୍ଥନୀତିକ ଅପରାଧୀଙ୍କ ବ୍ୟତୀତ ଆହୁରି ଅନେକ ପଳାତକ ଭାରତରୁ ଫେରାର ହୋଇ ବିଶ୍ୱର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିଛନ୍ତି। ସେମାନଙ୍କ ମଧ୍ୟରେ ବନ୍ଧୁକ ବ୍ୟବସାୟୀ ସଞ୍ଜୟ ଭଣ୍ଡାରୀ ମଧ୍ୟ ରହିଛି। ସେ ବ୍ରିଟେନରେ ରହିଥିବା ବେଳେ ତା’ ବିରୋଧରେ ଟିକସ ପାଙ୍କିବା ଓ ମନି ଲଣ୍ଡରିଂ ଭଳି ମାମଲା ରୁଜୁ ହୋଇଛି।
ମହାଦେବ ବେଟିଂ ଆପ୍ର ପ୍ରମୋଟର ସୌରଭ ଚନ୍ଦ୍ରଶେଖର ମଧ୍ୟ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ। ୨୦୨୩ରେ ତା’କୁ ଦୁବାଇରେ ଗିରଫ କରାଯାଇଥିଲା। ତା’କୁ ଭାରତ ସରକାର ପ୍ରତ୍ୟର୍ପଣ ପାଇଁ ଉଦ୍ୟମ ଜାରି ରଖିଛନ୍ତି।