ସରସ୍ବତୀ ପୂଜା ୩ ତାରିଖରେ ପାଳନୀୟ – ଦିବ୍ୟାଲୋକ ସନ୍ଧାନେ

କଟକ: ଚଳିତ ବର୍ଷ ଶ୍ରୀପଞ୍ଚମୀ ବା ସରସ୍ବତୀ ପୂଜା ଦିନକୁ ନେଇ ଓଡ଼ିଶାର ଛାତ୍ରଛାତ୍ରୀ, ଅଭିଭାବକ ଓ ବ୍ୟବସାୟୀମାନଙ୍କ ମନରେ ଦ୍ୱନ୍ଦ୍ୱ ଉପୁଜିଛି । ଅନେକ ପାଞ୍ଜି ରେ ଏ ବର୍ଷ ସରସ୍ବତୀ ପୂଜା ଫେବୃଆରୀ ୨ ତାରିଖ ରବିବାର ଦିନ ପଡୁଛି ବୋଲି ଲେଖା ଥିବାବେଳେ ଆଉ କିଛି ପଞ୍ଜିକା ରେ ୩ ତାରିଖ ସୋମବାର ଦିନ ପାଳନୀୟ ବୋଲି ସୂଚନା ଥିବାର ଜଣାପଡିଛି । ତେବେ ଧର୍ମ, ତତ୍ତ୍ୱ, ଜ୍ୟୋତିଷ, ସମ୍ବାଦ ଓ ସଂସ୍କାରମୂଳକ ଅଗ୍ରଣୀ ଆଧ୍ୟାତ୍ମିକ ପତ୍ରିକା ‘ଦିବ୍ୟାଲୋକ ସନ୍ଧାନେ’ ଶାସ୍ତ୍ରପୁରାଣ କୁ ଆଧାର କରି ଶ୍ରୀପଞ୍ଚମୀ ୩ ତାରିଖ ସୋମବାର ଦିନ ପାଳନୀୟ ବୋଲି ପ୍ରମାଣ ସହ ଉଲ୍ଲେଖ କରିଛି । ‘ବ୍ରହ୍ମବୈବର୍ତ୍ତ ପୁରାଣ’ରେ ଏକ ଶ୍ଳୋକ ଅଛି – ପଞ୍ଚମୀ ତୁ ସଦା କାର୍ଯ୍ୟା ଷଷ୍ଠୀଯୁକ୍ତା ଚ ନାରଦ । ନ ଚତୁର୍ଥୀଯୁତା କାର୍ଯ୍ୟା ବସନ୍ତୋତ୍ସବ କର୍ମଣି। ଏହି ପ୍ରମାଣ ଅନୁସାରେ ସୂର୍ଯ୍ୟ ଯଦି ପଞ୍ଚମୀ ତିଥିରେ ଉଦୟ ହେଉଥାନ୍ତି ତେବେ ସେହି ଦିନ ହିଁ ସରସ୍ବତୀ ପୂଜା ପାଳନୀୟ । ୨ ଫେବୃଆରୀ ରବିବାର ଦିନ ସୂର୍ଯ୍ୟ ଚତୁର୍ଥୀ ତିଥିରେ ଉଦୟ ହେଉଛନ୍ତି । କିନ୍ତୁ ତା ପରଦିନ ଅର୍ଥାତ ୩ ତାରିଖ ଦିନ ସୂର୍ଯ୍ୟ ପଞ୍ଚମୀ ତିଥିରେ ଉଦୟ ହେଉଥିବାରୁ ଏଇ ଦିନ ହିଁ ପୂଜା କରଣୀୟ । ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରେ ବସନ୍ତ ପଞ୍ଚମୀର ଶାହୀ ସ୍ନାନ ସେଇ ୩ ତାରିଖ ସୋମବାର ଦିନ ହିଁ ପଡୁଛି l ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ଯେଉଁ ତିଥିରେ ଉଦୟ ହୁଅନ୍ତି ସେଇ ତିଥିକୁ ଗ୍ରହଣ କରି ହିଁ ଦେବପୂଜା କରଣୀୟ । ସରସ୍ବତୀ ପୂଜାର ଅନ୍ୟ ନାମ ଶ୍ରୀପଞ୍ଚମୀ । ୩ ତାରିଖ ଦିନ ସୂର୍ଯ୍ୟ ଉଦୟକୁ ପଞ୍ଚମୀ ତିଥି ଭୋଗ ହେଉଛି । ଏ ତିଥି ସେଦିନ ସକାଳ ୬ ଟା ୫୩ ( କେଉଁ ପାଞ୍ଜିରେ ୬.୫୭ବି ଉଲ୍ଲେଖ ଅଛି ) ପର୍ଯ୍ୟନ୍ତ ଭୋଗ ହେବା ପରେ ଷଷ୍ଠୀ ତିଥି ଆରମ୍ଭ ହେଉଛି । ଶାସ୍ତ୍ର ଅନୁସାରେ ଏହି ଷଷ୍ଠୀଯୁକ୍ତା ପଞ୍ଚମୀ ହିଁ ମା ସରସ୍ବତୀଙ୍କ ପୂଜା କରିବାର ଉଚିତ ଦିବସ । ସମଗ୍ର ଭାରତ ବର୍ଷର ସବୁ ଆଡେ ସୋମବାର ( ୩ ଫେବୃଆରୀ ) ଦିନ ସରସ୍ବତୀ ପୂଜା ପାଳନ ହେଉଥିବା ବେଳେ ଆମ ରାଇଜର ଗଣକ ପଣ୍ଡିତମାନେ ଆମ୍ଭମାନଙ୍କୁ କାହିଁକି ବିଭ୍ରାନ୍ତି ରେ ପକାଉଛନ୍ତି ବୋଲି ‘ଦିବ୍ୟାଲୋକ ସସନ୍ଧାନେ’ର ସମ୍ପାଦକ ଶ୍ରୀସନ୍ନ୍ୟାସୀ ଜୀ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।



Leave A Reply

Your email address will not be published.