କନେଷ୍ଟବଳ ଚାକିରୀ କରାଇବା ନାମରେ ୬ ଲକ୍ଷ ଠକି ନେଲେ ପୋଲିସ କର୍ମଚାରୀ

ମାଲକାନଗିରି, ୩।୨ ପୋଲିସ ବିଭାଗରେ କନେଷ୍ଟବଳ ଚାକିରୀ କରେଇ ଦେବା କଥା କହି ଜଣେ ଗରିବ ମହିଳାଙ୍କ ଠାରୁ ସାଢେ ଛଅ ଲକ୍ଷ ଟଙ୍କ ହଡପ କରିନେଲେ ଜଣେ ପୋଲିସ କର୍ମଚାରୀ। ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ। ତେବେ ଏନେଇ ବର୍ତ୍ତମାନ ଠକେଇର ଶିକାର ହୋଇଥିବା ପରିବାର ଆଇନ ସେବା ପ୍ରାଧିକରଣର ଦ୍ଵାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁଯାୟୀ ଦୁଇ ବର୍ଷ ପୂର୍ବେ ମାଲକାନଗିରି ସହରର କୁଞ୍ଜଲତା ମହାରଣା ନାମକ ମହିଳାଙ୍କ ପୁଅକୁ ପୋଲିସ ବିଭାଗରେ ଚାକିରୀ କରେଇ ଦେବା କଥା କହି ମାଲକାନଗିରି ପୋଲିସ ବିଭାଗର କାର୍ଯ୍ୟତର ସୁନିଲ ଚୋପାଡି ନାମକ ଜଣେ କର୍ମଚାରୀ ଓ ତାଙ୍କ ପତ୍ନୀ ପ୍ରଲୋଭିତ କରିଥିଲେ। ବାରମ୍ବାର କୁଞ୍ଜଲତାଙ୍କ ଘରକୁ ଯାଇ ଉଭୟ ପ୍ରଲୋଭନ ଦେଖାଇବାରୁ ଶେଷରେ କୁଞ୍ଜଲତା ବିଶ୍ବାସ କରି ଏବଂ ପୁଅର ଭବିଷ୍ୟତକୁ ଆଖି ଆଗରେ ରଖି ସୁଧରେ ଟଙ୍କା ଆଣି ସେମାନଙ୍କୁ ସାଢେ ଛଅ ଲକ୍ଷ ଟଙ୍କା ନଗଦ ଆକାରରେ ଦେଇଥିଲେ। ହେଲେ ଟଙ୍କା ନେବା ପରେ ଚାକିରୀ ହୋଇନଥିଲା, ଆଜି କାଲି କହି କହି ପ୍ରାୟ ଦୁଇ ବର୍ଷ ଯାଏଁ ଚାକିରୀ ହୋଇନଥିବା ବେଳେ କୁଞ୍ଜଲତା ନିଜ ଟଙ୍କା ଫେରସ୍ତ ମାଗିବାରୁ ତାଙ୍କୁ ଓଲଟା ଧମକ ଦେଇଥିଲେ ସୁନିଲ। ଫଳରେ ନିରାସ ହୋଇ କୌଣସି ଉପାୟ ନପାଇ ଶେଷରେ କୁଞ୍ଜଳତା ଜିଲ୍ଲା ଆଇନ ସେବା ପ୍ରାଧିକରଣରେ ଦ୍ବାରସ୍ଥ ହୋଇଥିଲେ। ଯେଉଁଠାରେ ସୁନୀଲ ଉକ୍ତ ଅର୍ଥକୁ କିସ୍ତି ଆକାରରେ ଫେରାଇ ଦେବା କଥା କହିଥିଲେ ଏବଂ ସମୟ ମାଗି ଥିଲେ। ତେବେ ଏହା ପରେ ମଧ୍ୟ ସୁନୀଲ କୌଣସି ଅର୍ଥ ଦେଇ ନଥିବାରୁ ପୁନଃ କୁଞ୍ଜଲତା ଏନେଇ ଆଇନ ସେବା ପ୍ରାଧିକରଣକୁ ଜଣାଇବା ପରେ ସଚିବଙ୍କ ପରାମର୍ଶ କ୍ରମେ ମାଲକାନଗିରି ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ବିଷୟରେ କୁଞ୍ଜଲତା ଲିଖିତ ଅଭିଯୋଗ କରିବା ସହ ମାଲକାନଗିରି ଏସପିଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି। ତେବେ ଏନେଇ ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଏସପି କୁଞ୍ଜଲତାଙ୍କୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏହି ଘଟଣାରେ କୁଞ୍ଜଲତାଙ୍କୁ ଜିଲ୍ଲା ଆଇନସେବା ପ୍ରାଧିକରଣର ମୁଖ୍ୟ ଆଇନଜୀବୀ ଅଶୋକ ପଟ୍ଟନାୟକ, ସହକାରୀ ଆଇନଜୀବୀ ରାଜେଶ ପଟ୍ଟନାୟକ ଏବଂ ସହଯୋଗୀ ଆଇନଜୀବୀ ସାଗର ପାଣିଗ୍ରାହୀ ସମସ୍ତ ପ୍ରକାରର ସହଯୋଗ କରିଥିଲେ।

Leave A Reply

Your email address will not be published.