୩ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ । ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ଭୁବନେଶ୍ୱର: ରାଜ୍ୟରେ ‘ଅନ୍ତୋଦୟ ଗୃହ ଯୋଜନା’ରେ ସମାଜର ଦୁର୍ବଳ ବର୍ଗର ସବୁ ଲୋକଙ୍କୁ ପକ୍କାଘର ଯୋଗାଇ ମିଳିବ । ପ୍ରଚଳିତ ଗୃହନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ପରିବାରଗୁଡ଼ିକୁ ଏହି ଯୋଜନାରେ ପକ୍କାଘର ଦିଆଯିବ । ୨୫ବର୍ଗ ମିଟର ପରିଧିର ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ସରକାର ଦେବେ।
୩ବର୍ଷ ମଧ୍ୟରେ ଏହି ଯୋଜନାରେ ଅତିକମରେ ୨.୨୫ଲକ୍ଷ ଘର ମଞ୍ଜୁର କରାଯିବ । ଏଥିପାଇଁ ପକ୍କାଘରର ସଂଜ୍ଞା ଓ ପରିବାରର ସଂଜ୍ଞାକୁ ମଧ୍ୟ ସରକାର କୋହଳ କରିଛନ୍ତି । ଏହି ଯୋଜନା ପାଇଁ ୭୫୫୦କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଅନ୍ତୋଦୟ ଗୃହ ଯୋଜନାର ନିୟମକୁ କୋହଳ କରିବା ସହ ଆଗାମୀ ୩ବର୍ଷରେ ୨.୨୫ଲକ୍ଷ ପକ୍କାଘର ଆବଂଟନ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଯୋଜନାରେ ୭୫୫୦କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
ଯୋଜନାରେ ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇ ଆଜବେଷ୍ଟସ, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଂଟ ଯୋଡ଼େଇ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘର ଭାବେ ବିବେଚନା କରାଯିବ ।
ପରିବାରର ସଂଜ୍ଞାକୁ ମଧ୍ୟ ସରଳୀକରଣ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ,ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି । ଏହାଦ୍ୱାରା ସୃଷ୍ଟି ହୋଇଥିବା ନୂଆ ପରିବାରମାନେ ଯୋଜନାରେ ଉପକୃତ ହୋଇପାରିବେ ।
ପ୍ରାକୃତିକ ଅବା ମନୁଷ୍ୟକୃତ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାର, ବିଭିନ୍ନ ସରକାରୀ ପ୍ରକଳ୍ପ ହେତୁ ବିସ୍ଥାପିତ ପରିବାର, ମୁଖ୍ୟ ଉପାର୍ଜନକାରୀ ବ୍ୟକ୍ତି ଭିନ୍ନକ୍ଷମ ହେଶଇଥିଲେ, ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ ପରିବାର ଓ ପ୍ରଚଳିତ ଗୃହ ନିର୍ମାଣ ଯୋଜନାରେ ଉପକୃତ ହୋଇନଥିବା ଯୋଗ୍ୟ ପରିବାରଗୁଡ଼ିକୁ ଏହି ଅନ୍ତୋଦୟ ଗୃହ ଯୋଜନାରେ ପକ୍କାଘର ଯୋଗାଇ ଦିଆଯିବ ।
ଏହି ଯୋଜନାରେ ହିତାଧିକାରୀଙ୍କୁ (ଶୌଚାଳୟ ଅଂଚଳକୁ ବାଦ୍ ଦେଇ) ୨୫ବର୍ଗ ମିଟର ବିଶିଷ୍ଟ ପକ୍କାଘର ନିର୍ମାଣ ପାଇଁ ୧.୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପାଇବେ । ଅନ୍ତୋଦୟ ଗୃହ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ), ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଭିଯାନ ଓ ଅନ୍ୟାନ୍ୟ ସରକାରୀ ଗ୍ରାମୀଣ ଗୃହ ନିର୍ମାଣ ଯୋଜନାର ହିତାଧିକାରୀ, ଯେଉଁମାନେ ପ୍ରଥମ କିସ୍ତି ପାଇବାର ୪ମାସ ଓ ୬ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତ କରୁଛନ୍ତି, ସେମାନଙ୍କୁ ଯଥାକ୍ରମେ ୨୦ହଜାର ଓ ୧୦ହଜାର ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବା ପାଇଁ ଏହି ଅନ୍ତୋଦୟ ଗୃହ ଯୋଜନାରେ ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ପ୍ରେସ୍ ରିଲିଜରେ ଦର୍ଶାଯାଇଛି ।
ସୂଚନାଯୋଗ୍ୟ, ଏବେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହିତାଧିକାରୀ ଚୟନ ନିମନ୍ତେ ସର୍ଭେ କାର୍ଯ୍ୟ ଜାରି ରହିଛି । ରାଜ୍ୟ ସରକାର ଏହି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ଲକ୍ଷ ଘର ବଂଟନ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି ।