ଶରତ ପଟ୍ଟନାୟକଙ୍କ ପରେ ଭକ୍ତ ଚରଣ ଦାସ ହୋଇଛନ୍ତି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ସଭାପତି। ଏ ସମ୍ପର୍କରେ ଏଆଇସିସି ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା।
ଭୁବନେଶ୍ୱର: ରାଜ୍ୟ କଂଗ୍ରେସକୁ ମିଳିଲେ ନୂଆ ମୁଖିଆ। ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ ହୋଇଛନ୍ତି ନୂଆ ପିସିସି ସଭାପତି। ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିଯୁକ୍ତ କରାଯାଇଥିବା ନେଇ ଆଜି ଏଆଇସିସି ପକ୍ଷରୁ ଦିଆଯାଇଛି ସୂଚନା। କଂଗ୍ରେସ ସଭାପତିଙ୍କ ମଲ୍ଲିକାର୍ଜୁନ ଖଡଗେ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି। ସାଧାରଣ ନିର୍ବାଚନ ପରେ ଶରତ ପଟ୍ଟନାୟକ ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା। ଭକ୍ତ ଚରଣ ଦାସ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା। ସେ ଜଣେ ଛାତ୍ର ନେତା ଭାବେ ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ପରେ ସେ ରାଜନୀତିରେ ଯୋଗଦେଇଥିଲେ।
ପରିବେଶ ସୁରକ୍ଷା ଓ ଚାଷୀଙ୍କ ସମସ୍ୟା ନେଇ କଳାହାଣ୍ଡି ଜିଲ୍ଲାରେ ବଡ଼ ଧରଣର ଆନ୍ଦୋଳନ କରିଥିଲେ ଭକ୍ତ ଚରଣ ଦାସ। ମାତ୍ର ୩୦ ବର୍ଷ ବୟସରେ ୧୯୮୯ ମସିହାରେ ସେ ଜନତା ପାର୍ଟି ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଚନ୍ଦ୍ରଶେଖରଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ସେ କେନ୍ଦ୍ର ରେଳ ମନ୍ତ୍ରୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଭକ୍ତ ଚରଣ ଦାସ କଂଗ୍ରେସରେ ଯୋଗଦେଇଥିଲେ।
୬୭ ବର୍ଷୀୟ ଶ୍ରୀ ଦାସଙ୍କୁ ଗତ ସାଧାରଣ ନିର୍ବାଚନବେଳେ ଓଡ଼ିଶା ପ୍ରଦେଶ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ୨୦୨୪ ମାର୍ଚ୍ଚରେ ଦାୟିତ୍ୱ ମିଳିଥିଲା। ଅବଶ୍ୟ ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପାଇଁ ସେ ନୈତିକତା ଦୃଷ୍ଟିରୁ ଜୁନ୍ ୧୦ ତାରିଖରେ ଇସ୍ତଫା ଦେଇଥିଲେ । ଶ୍ରୀ ଦାସଙ୍କ ନାଁ ଦୀର୍ଘଦିନ ଧରି ପିସିସି ସଭାପତି ଦୌଡ଼ରେ ଆଗରେ ରହିଥିଲା । ଶ୍ରୀ ଦାସ ଚଳିତ ନିର୍ବାଚନରେ ନର୍ଲା ଆସନରୁ ଛିଡ଼ା ହୋଇ ପରାଜିତ ହୋଇଥିଲେ ମଧ୍ୟ ତାଙ୍କ ପୁଅଙ୍କୁ ନିଜର ପାରମ୍ପରିକ ଭବାନୀପାଟଣା ଆସନରୁ ବିଜୟୀ କରି ବିଧାନସଭାକୁ ପଠାଇବାରେ ସକ୍ଷମ ହୋଇଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସ ଏଆଇସିସି ସାଧାରଣ ସମ୍ପାଦକ ଓ ବିହାର,ମଣିପୁର ଓ ମିଜୋରାମର କଂଗ୍ରେସ ପ୍ରଭାରୀ ଭାବେ କାର୍ଯ୍ୟ କରିସାରିଛନ୍ତି । ଶ୍ରୀ ଦାସ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଦସ୍ୟ ମଧ୍ୟ ।
