ଭୁବନେଶ୍ୱର, ଫେବୃଆରୀ ୧୩ : ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସରଙ୍କ ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ ନିମନ୍ତେ ଉଦ୍ଭାବନ କରାଯାଇଥିବା ଏକ ଯନ୍ତ୍ରକୁ ଯୁକ୍ତରାଷ୍ଟ୍ର ଆମେରିକାର ପ୍ୟାଟେଂଟ ମିଳିଛି ।
ଏହି ଯନ୍ତ୍ର ବ୍ୟବହାର ଦ୍ୱାରା ମୁଖ ଗହ୍ୱର ରୋଗ ନିର୍ଣ୍ଣୟ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତନ ଆସିପାରେ ବୋଲି କୁହାଯାଉଛି ।
ଏକ କଲମ ପରି ଦେଖାଯାଉଥିବା ଏହି ଯନ୍ତ୍ର ବାୟୋପ୍ସି ପଦ୍ଧତିର ସରଳୀକରଣ କରିବା ସହ ଏଥିରେ ଟେଲି ସ୍କ୍ରିନିଂ ତଥା ଫାଇବର ଅପଟିକ୍ ଲାଇଟର ବ୍ୟବସ୍ଥା ଅଛି । ଏହି ଯନ୍ତ୍ରର ଉଦ୍ଭାବକ ହେଉଛନ୍ତି ସୋଆ ବିଶ୍ୱବିଦ୍ୟାଳୟର ଉପକୁଳପତି (ଗବେଷଣା ଓ ସହଯୋଗ) ପ୍ରଫେସର (ଡକ୍ଟର) ନୀତା ମହାନ୍ତି ।
ପ୍ରଫେସର (ଡକ୍ଟର) ମହାନ୍ତି ପୂର୍ବରୁ ସୋଆ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ର ଡିନ୍ ଭାବେ କାର୍ଯ୍ୟ କରିଛନ୍ତି । ସେ କହିଛନ୍ତି ଯେ ବାୟୋପ୍ସି ଦ୍ୱାରା ହିଁ ରୋଗ ନିର୍ଦ୍ଧାରଣ ହେବା ଅତ୍ୟନ୍ତ ଅବଶ୍ୟକ ମାତ୍ର ଏହି ପଦ୍ଧତି ଠିକ୍ ଭାବେ ଅନୁସୃତ ନ ହେଲେ ଏହା ରୋଗ ନିର୍ଦ୍ଧାରଣରେ ଭ୍ରମ ସୃଷ୍ଟି କରିପାରେ ଏବଂ ରୋଗୀର ଜୀବନ ପ୍ରତି ବିପଦ ଘଟିପାରେ ।
ପ୍ରଫେସର (ଡକ୍ଟର) ମହାନ୍ତି କହିଛନ୍ତି ଯେ ପୂର୍ବରୁ ଏହି ଉଦ୍ଭାବନ ନିମନ୍ତେ ସେ ଦୁଇଟି ଭାରତୀୟ ପାଟେଂଟ ନିମନ୍ତେ ଆବେଦନ କରିଥିଲେ ଏବଂ ତାହା ଯଥାକ୍ରମେ ୨୦୨୩ ଓ ୨୦୨୪ ମସିହାରେ ମଞ୍ଜୁରୀ ପାଇଥିଲା । ଏହା ନିମନ୍ତେ ୨୦୧୯ ମସିହାରେ ତାଙ୍କୁ ଡିଜାଇନ୍ ପ୍ୟାଟେଂଟ ମିଳିଥିଲା । ସେ ୨୦୧୯ ମସିହାରେ ଶେଷ ଭାଗରେ ଆମେରିକାର ପ୍ୟାଟେଂଟ ନିମନ୍ତେ ଆବେଦନ କରିଥିଲେ ଓ ଏହା ନିକଟରେ ତାଙ୍କୁ ମିଳିଛି ।