ଭୁବନେଶ୍ୱର (ଗାଁରୁ ସହର): ମଞ୍ଚେଶ୍ୱରରେ ଘଟିଥିବା ହତ୍ୟାକାଣ୍ଡରେ ପୋଲିସକୁ ସଫଳତା ମିଳିଛି । ପୋଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସମେତ ୬ଜଣଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ମିିଲୁ ଓରଫ ତନ୍ମୟ ବେହେରା ଗିରଫଦାରି ଭୟରେ ଡିମିରି ଫଳ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା । ପୋଲିସ ତାକୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିବା ସହ ଗିରଫ କରିଛି ।
ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ସୂଚନା ଅନୁସାରେ, ମଞ୍ଚେଶ୍ୱର ଶିଳ୍ପାଂଚଳରେ ଘଟିଥିବା ଆୟୁଷ୍ମାନ ପତି (୩୦) ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ମିିଲୁ ବେହେରା ସମେତ ୪ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମିିଲୁର ଦୁଇ ଭାଇ ଲୁଲୁ ଓରଫ ପଦ୍ମନାଭ ବେହେରା, ବୁଲୁ ଓରଫ ପ୍ରଶାନ୍ତ ବେହେରା ଓ ଡ୍ରାଇଭର ସମୀର ସ୍ୱାଇଁ । ଏମାନେ ସମସ୍ତେ ତାଙ୍କୁ ସହଯୋଗ କରିଥିଲେ । ତେବେ ପୂର୍ବ ବିବାଦ ଓ ରଙ୍ଗ ଖେଳକୁ ନେଇ ହତ୍ୟାକାଣ୍ଡ ଘଟିଛି ।
ଘଟଣା ଦିନ ଅର୍ଥାତ ଗତକାଲି ଅପରାହ୍ନ ପ୍ରାୟ ୨ଟା ବେଳେ ମଞ୍ଚେଶ୍ୱର ଶିଳ୍ପାଂଚଳ ରାସ୍ତାର ମିିଲୁ ବେହେରା ଓ ତାର ୩ ଜଣ ସହଯୋଗୀ ହୋଲି ଖେଳୁଥିଲେ । ସମସ୍ତେ ନିଶାସକ୍ତ ଅବସ୍ଥାରେ ଥିଲେ । ଏହି ସମୟରେ ସେହି ଅଂଚଳର ଆୟୁଷ୍ମାନ ପତି (୩୦) ନିଜ ସ୍କୁଟିରେ ଫେରିଥିଲେ । ସେମାନେ ତାଙ୍କୁ ଅଟକାଇ ରଙ୍ଗ ମାରିବା ସହ ଗାଳି ଗୁଲଜ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।
ପରେ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଥିଲା । ଏହି ସମୟର ମିିଲୁ ଓ ତାର ସହଯୋଗୀମାନେ ବ୍ଲେଡ ଓ ଛୁରୀ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ । ସଂଘବଦ୍ଧ ଆକ୍ରମଣରେ ଗୁରୁତର ଆହତ ହୋଇ ଅଂଶୁମାନ ସେଠାରୁ ଦୌଡ଼ି ପଳାଇଯାଇଥିଲେ । କିଛି ବାଟ ଯିବା ପରେ ଏକ ଗଛ ମୂଳେ ପଡ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକେ ତୁରନ୍ତ ଆମ୍ବୁଲାନ୍ସ ଡାକି ତାଙ୍କୁ ହସ୍ପିଟାଲ ପଠାଇଥିଲେ । ସେଠାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା ।
ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ମିିଲୁ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତାର ଦୁଇ ଭାଇ ଓ ଡ୍ରାଇଭର ତାଙ୍କୁ ପ୍ରଥମେ ଏକ କାର ଓ ପରେ ଅଟୋରେ ନେଇ ନୟାଗଡ ପଳାଇଯାଇଥିଲେ । ସେଠାରୁ ସେ ଫେରି ରାଜ୍ୟ ବାହାରକୁ ଯିବାକୁ ଉଦ୍ୟମ କରୁଥିଲେ । ପୋଲିସ ତାଙ୍କୁ ପିଛା କରୁଥିବା ସେ ବୋଧହୁଏ ଜାଣିପାରିଥିଲା । ପରେ ପିପିଲି ନିକଟରେ କିଛି ଡିମିରି ଫଳ ଖାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ।
ଏହା ଜଣାପଡିବା ପରେ ପୋଲିସ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରି ମଙ୍ଗଳପୁର ହସପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତୁରନ୍ତ ଚିକିତ୍ସା ସେବା ମିଳିବାରୁ ସେ ବିପଦମୁକ୍ତ ହୋଇଥିଲା । ପରେ ପୋଲିସ ତାକୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତଙ୍କ ନାଁରେ ଏକାଧିକ ମାମଲା ଥିବା ପୋଲିସ ଜାଣିବାକୁ ପାଇଛି ।