ବିଶ୍ବ ଆଦିବାସୀ ଦିବସ ପାଳିତ

ମାଲକାନଗିରି,୯/୮ : ମାଲକାନଗିରି ସ୍ଥିତ ସଂସ୍କୃତି ଭବନ ଠାରେ ମାଲକାନଗିରି ଜିଲ୍ଲା ଆଦିବାସୀ ମହାସଂଘ ତରଫରୁ ବିଶ୍ବ ଆଦିବାସୀ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମେତ ପଡୋଶୀ ଛତିଶଗଡ ଏବଂ ଆନ୍ଧ୍ର ତଥା ତେଲେଙ୍ଗାନାରୁ ଶତାଧିକ ଆଦିବାସୀ ନେତାମାନେ ଉପସ୍ଥିତ ଥିଲେ।ଏକ ବିରାଟ ରାଲି ବସଷ୍ଟାଣ୍ଡା ନିକଟରେ ରହିଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରାୟ ତିନି କିଲୋମିଟର ସଂସ୍କୃତି ଭବନ ନିକଟରେ ପହଞ୍ଚିଥିଲା।ଏହି ଅବସରରେ ବହୁ ଆଦିବାସୀ ନେତା ନିଜର ଭାଷଣ ମାଧ୍ୟମରେ ଆଦିବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟକୁ ବଖାଣିଥିଲେ।ଏଥିସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦେଶ୍ୟରେ ଏକ ସ୍ମାରକ ପତ୍ର ମଧ୍ୟ ପ୍ରଦାନ କରାଯାଇଛି।ଏହି ସ୍ମାରକ ପତ୍ରରେ ଉଲ୍ଲେଖ କରାଯାଇଛି ଯେ ମାଲକାନଗିରି ଏକ ଆଦିବାସୀ ବହୁଳ ଜିଲ୍ଲା।ଏଠାରେ ବାସ କରୁଥିବା ଆଦିବାସୀଙ୍କ ଉନ୍ନତି ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଯେଉଁ ନୀତି ଓ ନୀୟମ ତଥା ଯୋଜନା ପ୍ରଣୟନ କରିଛନ୍ତି ସେସବୁ ଲୋକଙ୍କ ପାଖରେ ପହଞ୍ଚିପାରୁ ନାହିଁ।ଆଦିବାସୀ ପିଲାମାନେ ଠିକ ଭାବେ ପାଠ ପଢିବାର ସୁଯୋଗ ପାଇପାରୁନାହାନ୍ତି।ମାଲକାନଗିରି ଜିଲ୍ଲାରେ ବାସ କରୁଥିବା ଆଦିବାସୀଙ୍କ ମୁଖ୍ୟ ଜୀବିକା ହେଲା ଜଂଗଲରୁ ଜଂଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିଜର ପରିବାରର ପ୍ରତିପୋଷଣ କରିବା।ତେବେ ସେମାନଙ୍କର ପାଇଁ କୌଣସି ଲୋନର ବ୍ୟବସ୍ଥା ନାହିଁ।ବ୍ୟାଙ୍କମାନେ ଆଦିବାସୀମାନଙ୍କୁ ଲୋନ ଦେବାକୁ ଅମଙ୍ଗ ହେଉଛନ୍ତି।ସେହିପରି ଆଦିବାସୀ ପିଲା ପାଠ ପଢିପାରୁନଥିବାରୁ ବାହାର ଅଂଚଳରୁ ଫେକ ସାର୍ଟିଫିକେଟ ନେଇ ଆଦିବାସୀ କହି ମାଲକାନଗିରି ଜିଲ୍ଲାରେ ଚାକିରି କରୁଛନ୍ତି।ମାଲକାନଗିରି ଜିଲ୍ଲାର ଅଶୀ ପ୍ରତିଶତ ଆଦିବାସୀଙ୍କର ନିଜର ଜମି ନାହିଁ।ପେସା ଆଇନ-୧୯୯୬କୁ ମାଲକାନଗିରିରେ ଲାଗୁ କରାଯାଉ ବୋଲି ଦାବି କରାଯାଇଛି।ଗ୍ରାମସଭାକୁ ସଂକୁଚିତ କରାନଯାଉ।ଆଦିବାସୀମାନଙ୍କୁ ଜମି ପଞ୍ଜିକରଣରେ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି।ଆଦିବାସୀମାନଙ୍କ ଦ୍ବାରା ତିଆରି କରାଯାଉଥିବା ଜିନିଷଗୁଡିକର କିପରି ବଜାର ଦର ମିଳିବ ସେନେଇ ସହଯୋଗ କରନ୍ତୁ।ଆଦିବାସୀ ଭାଷାକୁ ପାଠ୍ୟ ପୁସ୍ତକରେ ସ୍ଥାନ ଦିଆଯାଉ।କୋଣ୍ଡାରେ଼ଡ୍ଡୀମାନଙ୍କ ଆଦିବାସୀ ମାନ୍ୟତା ତୁରନ୍ତ ପ୍ରଦାନ କରାଯାଉ।ସାରା ଦେଶରେ ଆଜିର ଦିନରେ ଆଦିବାସୀ ଦିବସ ପାଳନ କରାଯାଉଛି।ତେଣୁ ଏହି ଦିବସରେ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଉ।ପ୍ରତିବର୍ଷ ବିଶ୍ବ ଆଦିବାସୀ ଦିବସ ପାଳନ କରାଯାଉଥିଲେ ମଧ୍ୟ ରାଜ୍ୟ କିମ୍ବା କେନ୍ଦ୍ରର ସରକାର କୌଣସି ସହଯୋଗ କରୁନଥିବା ଅଭିଯୋଗ ହୋଇଛି।ତେଣୁ ଆଦିବାସୀଙ୍କ ଏହି ଦାବିଗୁଡିକ ତୁରନ୍ତ ସମାଧାନ କରିବେ ବୋଲି ଆମର ଅନୁରୋଧ ବୋଲି ଆଦିବାସୀ ମହାସଂଘ ତରଫରୁ ନିବେଦନ କରାଯାଇଛି।

Leave A Reply

Your email address will not be published.