ଜଙ୍ଗଲରେ ଅନୁକୂଳ ପରିବେଶ ଅଭାବରୁ ଯେମିତି ସିଂହ ବଂଶ ବୃଦ୍ଧି ବାଧାପ୍ରାପ୍ତ ହେଉଛି, ଚିଡ଼ିଆଖାନାରେ ବି ସେମିତି ଅବସ୍ଥା। ଓଡ଼ିଶାର ନନ୍ଦନକାନନ ଦିନେ ସିଂହ ବଂଶ ବୃଦ୍ଧି ପାଇଁ ସମଗ୍ର ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଆଜି ତାହା ମିଳେଇଯାଇଛି। ଏକଦା ୫୬ ସିଂହ ଥିବା ନନ୍ଦନକାନନରେ ଏବେ ମାତ୍ର ୧୬ଟି ସିଂହ ଅଛନ୍ତି। ଏକ ସମୟରେ ପ୍ରଜନନ ବନ୍ଦ କରାଇବା ସିଂହ ବଂଶ ବୃଦ୍ଧିରେ ରୋକ୍ ଲଗାଇଥିବା ବେଳେ ସାପ କାମୁଡ଼ାରେ ସିଂହ ମୃତ୍ୟୁ ନନ୍ଦନକାନନରେ ସିଂହ ସଂଖ୍ୟା କମ୍ କରିଛି।
୭୦ ଦଶକରେ ଗୁଜୁରାଟ ଓ ଆଫ୍ରିକାରୁ ଅଣାଯାଇଥିବା କିଛି ସିଂହଙ୍କୁ ନେଇ ଓଡ଼ିଶାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହ ଖୁଆଡ଼ ଉଦ୍ଘାଟନ ହୋଇଥିଲା। ବଂଶବୃଦ୍ଧି ପାଇଁ ନନ୍ଦନକାନନର ପରିବେଶ କେତେ ଫଳପ୍ରଦ ହେବ, ସେନେଇ ସେତେବେଳେ ସଂଶୟ ଥିଲା। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ୧୯୮୫ ମସିହା ବେଳକୁ ନନ୍ଦନକାନନରେ ସିଂହ ସଂଖ୍ୟା ୫୬ରେ ପହଞ୍ଚିଯାଇଥିଲା। ଭିନ୍ନ ଜଳବାୟୁରୁ ଆସିଥିବା ଗୁଜୁରାଟ ଗିର୍ ଜଙ୍ଗଲର ସିଂହ ଓ ଆଫ୍ରିକୀୟ ସିଂହଙ୍କ ମିଳନରୁ ଏଭଳି ବଂଶବୃଦ୍ଧି ହେବା ସେତେବେଳେ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା। ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଦେଶର ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା।
ତେଣୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏଠାରେ ଏକ ସିଂହ ସଫାରି କରିବାକୁ ପ୍ରସ୍ତାବ ଦେଇଥିଲେ। ୧୯୮୫ ମସିହାରେ ଏହି ସିଂହ ସଫାରି ତାଙ୍କ ହାତରେ ଉଦ୍ଘାଟିତ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଏତେ ସଂଖ୍ୟକ ସିଂହଙ୍କୁ ନେଇ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ଚିନ୍ତା ପ୍ରକଟ କରିଥିଲେ। ନନ୍ଦନକାନନର ସୀମା ସରହଦକୁ ନେଇ ଚିନ୍ତା ବଢ଼ିଥିଲା। ତେଣୁ କିଛି କାଳ ପାଇଁ ସିଂହ ବଂଶ ବୃଦ୍ଧିରେ ରୋକ୍ ଲଗାଇବାକୁ ଯୋଜନା କରାଗଲା। ଅଣ୍ଡିରା ସିଂହଙ୍କୁ ଅସ୍ତ୍ରୋପଚାର କରାଗଲା ଓ ମାଈସିଂହଙ୍କୁ କୃତ୍ରିମ ଉପାୟରେ ବନ୍ଧ୍ୟାକରଣ କରିବାକୁ ନିର୍ଦ୍ଦେଶ ଦିଆଗଲା। ସେହିଭଳି ସେମାନଙ୍କୁ ଅଲଗା ଅଲଗା ରଖି ମିଳନ ଉପରେ ରୋକ୍ ଲଗାଇବାକୁ କୁହାଗଲା। ଫଳରେ ହଠାତ୍ ନନ୍ଦନକାନନରେ ସିଂହ ପ୍ରଜନନ ଠପ୍ ହୋଇଗଲା। ଏହା ଭିତରେ କିଛି ସିଂହ ସାପ କାମୁଡ଼ାରେ ମରିଯାଇଥିବା ବେଳେ କିଛି ସିଂହ ବୃଦ୍ଧାବସ୍ଥାରେ ପହଞ୍ଚି ମରିଥିଲେ। ତେଣୁ ଧୀରେଧୀରେ ସିଂହ ସଂଖ୍ୟା କମିକମି ଗଲା। ପରିସ୍ଥିତି ଏମିତି ହେଲା ଯେ ୨୦୦୩ ମସିହା ବେଳକୁ ନନ୍ଦନକାନନର ସିଂହ ସଂଖ୍ୟା ୨୦ ତଳକୁ ଖସିଆସିଲା।
ତେବେ ୨୦୦୩ ମସିହାରେ ପୁଣି ଆରମ୍ଭ ହେଲା ନୂଆ ଅଧ୍ୟାୟ। ସଂଯୋଗବଶତଃ କୌଣସି କାରଣରୁ ଏକ ପାଚେରି ଭାଙ୍ଗିଯିବାରୁ ବନ୍ଧ୍ୟାକରଣ ହୋଇ ନଥିବା ଦୁଇ ସିଂହଙ୍କ ମିଳନ ହୋଇଥିଲା। ଫଳସ୍ବରୂପ ୨୦୦୪ ଜୁନ୍ ୧୬ରେ ଜନ୍ମ ନେଲା କ୍ରୀସ୍। ଏସୀୟ ଅଣ୍ତିରା ଓ ଆଫ୍ରିକୀୟ ମାଈ ସିଂହର ମିଳନରୁ ଜନ୍ମ ନେଲା ବର୍ଣ୍ଣଶଙ୍କର ପ୍ରଜାତିର ସିଂହ ଛୁଆ କ୍ରୀସ୍। ପରେ ପରେ ୨୦୦୫ ମସିହାରେ କାବେରୀ ଓ କରିସ୍ମା ଦୁଇ ମାଈ ଛୁଆ (ବର୍ଣ୍ଣଶଙ୍କର ଜାତୀୟ) ଜନ୍ମ ନେଇଥିଲେ। କ୍ରୀସ୍ ପରେ କାବେରୀ ଓ କରିସ୍ମାଙ୍କ ଜନ୍ମ ସେତେବେଳେ ନନ୍ଦନକାନନରେ ଖୁସିର ଲହରି ଖେଳାଇ ଦେଇଥିଲା। ମାତ୍ର ଏହି ଖୁସି ବେଶି ଦିନ ତିଷ୍ଠିଲା ନାହିଁ। ମାତ୍ର ୬ ମାସର ହୋଇଥିବା ବେଳେ କାବେରୀ ଓ କରିସ୍ମାଙ୍କର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ହେଲା। ଏହି ଦୁଃଖରୁ ମୁକୁଳିପାରିଲାନି ନନ୍ଦନକାନନ। ଏହା ପରଠାରୁ ଯେତେ ସିଂହ ଜନ୍ମ ନେଲେ ଏକବଂଶି ମିଳନରୁ ଜନ୍ମ ନେଇଥିବା କାରଣରୁ ରୋଗିଣା ହେଲେ ଓ ମରିଗଲେ। ଲଗାତାର ଭାବେ ସିଂହମାନଙ୍କର ମୃତ୍ୟୁ ଘଟିଲା। ଶେଷରେ ୨୦୧୨ ମସିହା ବେଳକୁ ନନ୍ଦନକାନନର ସିଂହ ସଂଖ୍ୟା ୧୨କୁ ଖସି ଆସିଲା ଓ ପ୍ରଜନନ ଏକପ୍ରକାର ଠପ୍ ହୋଇଗଲା। ତେଣୁ ପୁଣି ବଂଶବୃଦ୍ଧି କରାଇବାକୁ ଯୋଜନା କରାଗଲା। ୨୦୧୪ ଏପ୍ରିଲ ୧୩ ରେ ଗୁଜୁରାଟ ଫକିରାବାଗରୁ ହଳେ ଏସୀୟ ସିଂହଙ୍କୁ ଅଣାଗଲା।
ଅଣ୍ଡିରା ସିଂହ ପିଛାନ୍ ଓ ସିଂହୀ ଶ୍ୟାମାଙ୍କୁ ଅଣାଯିବା ପରେ ବି ପ୍ରଜନନ ସଫଳ ହୋଇନଥିଲା। ୨୦୧୪ ନଭେମ୍ବର ୯ ତାରିଖରେ ବେଙ୍ଗାଲୁରୁ ବନେରଘାଟା ଚିଡ଼ିଆଖାନାରୁ ବର୍ଣ୍ଣଶଙ୍କର ଜାତୀୟ ନରସିଂହା, ଆକାଶ, ରୁକ୍ମୁଣୀ ଓ ରାଧାଙ୍କୁ ନନ୍ଦନକାନନକୁ ଅଣାଯାଇଥିଲା। ନନ୍ଦନକାନନ ଜନ୍ମିତ କ୍ରୀସ୍ ସହ ରାଧାର ମିଳନ ହେଲା ଓ ୨୦୧୫ ଜୁଲାଇ ୨୩ ତାରିଖରେ ରାଧା ୪ ଶାବକ ଜନ୍ମ ଦେଲା। କିନ୍ତୁ ନବଜାତ ଶିଶୁଙ୍କୁ ମା’ ରାଧା ଯତ୍ନ କରିପାରିଲାନି। ମା’ ଯତ୍ନରୁ ବଞ୍ଚିତ ହୋଇ ୩ ଛୁଆ ଆଖିବୁଜିଦେଲେ। ତେବେ ଜନ୍ତୁରକ୍ଷକମାନେ ମାଈ ଛୁଆ କଳ୍ପନାକୁ ସେବାଯତ୍ନ କରି ବଞ୍ଚାଇବାରେ ସକ୍ଷମ ହେଲେ।
ପୁଣି ଥରେ କ୍ରାସ୍ ଓ ରାଧାର ମିଳନ ହେଲା ଓ ୨୦୧୭ ମାର୍ଚ୍ଚ ୬ ତାରିଖରେ ୩ଟି ଶାବକ ଜନ୍ମନେଲେ। ପୂର୍ବଥର ଭଳି ମା’ ରାଧାର ଯତ୍ନ ଅଭାବରୁ ୨ ଛୁଆ ମରିଗଲେ। ପୁଣି ଜନ୍ତୁରକ୍ଷକମାନେ ଅଣ୍ଡିରା ଛୁଆ ଜିତ୍ କୁ ମା’ଠୁ ଅଲଗା କରି ଲାଳନପାଳନ କରୁଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ୧୭ ତାରିଖରେ ପୁଣି ଦୁଇଟି ମାଇ ଛୁଆ ଜନ୍ମ ନେଇଥିଲେ। ସିଂହ ସମ୍ରାଟ ଓ ବିଜ୍ଲିଙ୍କ ମିଳନରୁ ଏହି ଦୁଇ ଛୁଆ ଜନ୍ମ ନେଇଥିଲେ। ଗୋଟିଏ ଛୁଆ ପୁଣି ମା’ ବିଜ୍ଲିର ଯତ୍ନ ଅଭାବରୁ ମରିଗଲା। ଜନ୍ତୁରକ୍ଷକମାନେ ବଞ୍ଚିଥିବା ଛୁଆକୁ ବଢ଼ାଉଛନ୍ତି। ଏହା ଭିତରେ କିଛି ବର୍ଷ ପାଇଁ ନନ୍ଦନକାନନରେ ସିଂହଙ୍କ ପ୍ରତି ସାପ ଭୟ ନଥିଲା। କିନ୍ତୁ ଚଳିତ ବର୍ଷ ମେ’ ୨୮ ତାରିଖରେ ସିଂହ ଗଙ୍ଗା ବିଷଧର ସାପ କାମୁଡ଼ାରେ ମଲା। ଏବେ ନନ୍ଦନକାନନରେ ମୋଟ ୧୬ ସିଂହ ଅଛନ୍ତି। ସେମାନଙ୍କ ମଧ୍ୟରେ ୪ଟି ଅଣ୍ଡିରା ଓ ୩ ଟି ମାଈ ବର୍ଣ୍ଣଶଙ୍କର ଜାତୀୟ, ୪ଟି ଅଣ୍ଡିରା ଓ ୪ଟି ମାଈ ଆଫ୍ରିକୀୟ ଏବଂ ମାତ୍ର ଗୋଟିଏ ଏସୀୟ ସିଂହ ଅଛନ୍ତି।