ଭାରତ ପାଇଁ ପୃଥିବୀ ବାହାରୁ ଆସିଲା ଶୁଭେଚ୍ଛା ବାର୍ତ୍ତା

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂରିଯିବ। ଏଥିସହ ଦେଶ ସ୍ୱାଧୀନତାର ୭୬ ବର୍ଷରେ ପାଦ ଦେବ। ଏହି ୭୫ ବର୍ଷର ସ୍ୱାଧୀନତାକୁ ଦେଶବାସୀ ବେଶ ଗର୍ବର ସହ ପାଳନ କରୁଛନ୍ତି। ଚାରିଆଡ଼ୁ ଏଥିପାଇଁ ଭାରତକୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟିଛି।

ହେଲେ ଏବେ ପୃଥିବୀ ବାହାରୁ ଭାରତ ପାଇଁ ଆସିଥିବା ଶୁଭେଚ୍ଛା ସମସ୍ତଙ୍କୁ ଆହୁରି ଗର୍ବିତ କରିଛି। ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ରହୁଥିବା ଓ ସେଠାରେ କାମ କରୁଥିବା ମହାକାଶଚାରୀ ସାମନ୍ଥା କ୍ରିଷ୍ଟୋଫୋରେଟ୍ଟି ଭାରତକୁ ଏହି ଐତିହାସିକ ମୁହୂର୍ତ୍ତରେ ଶୁଭେଚ୍ଛା ଜଣାଇଛନ୍ତି।

ମହାକାଶରୁ ଗୋଟିଏ ଭିଡିଓ ବାର୍ତ୍ତାରେ ସାମନ୍ଥା କହିଛନ୍ତି, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଥିବା ଭାରତକୁ ଶୁଭେଚ୍ଛା ଜଣାଇବା ବେଶ ଆନନ୍ଦର ବିଷୟ। ଅନ୍ତର୍ଜାତୀୟ ସ୍ପେଶ ଏଜେନ୍ସି ଦୀର୍ଘ ଦଶନ୍ଧି ଧରି ବିଭିନ୍ନ ମିଶନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ସହ ମିଶି କାମ କରିବା ମଧ୍ୟ ବେଶ ଖୁସିର କଥା।

ଇସ୍ରୋର ସମ୍ପର୍କରେ ସୂଚନା ଦେଇ ସାମନ୍ଥା କହିଛନ୍ତି, ଆଜି ବି ସହଯୋଗ ଜାରି ରହିଛି। କାରଣ ଇସ୍ରୋ ବର୍ତ୍ତମାନ ଆଗାମୀ NISAR Earth Science ମିଶନକୁ ବିକଶିତ କରୁଛି। ଏହା ଆମମାନଙ୍କୁ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ଦେବ ଓ ଜଳବାୟୁ ପରିବର୍ତ୍ତନକୁ ଆମେ ଭଲ ଭାବେ ବୁଝି ମଧ୍ୟ ପାରିବୁ।” NISAR ମିଶନ ଉପରେ ଇସ୍ରୋ ଓ ଆମେରିକା ସ୍ପେଶ ଏଜେନ୍ସି ମିଳିତ ଭାବେ କାମ କରୁଛନ୍ତି।

ଇଟାଲୀର ଏହି ମହାକାଶଚାରୀ ଜଣଙ୍କ ଗଗଜନଯାନ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି। ଆସନ୍ତାବର୍ଷ ଗଗନଯାନର ମାନବଯୁକ୍ତ ଉଡ଼ାଣ ହେବ। ସାମନ୍ଥା କହିଛନ୍ତି, ନାସା, ୟୁରୋପୀୟ ମହାକାଶ ଏଜେନ୍ସି ଓ ସମସ୍ତ ଏଜେନ୍ସିଙ୍କ ତରଫରୁ ମୁଁ ଇସ୍ରୋ ଓ ଭାରତକୁ ଶୁଭେଚ୍ଛା ଜଣାଛି। କାରଣ ଇସ୍ରୋ ଏବେ ଗଗନଯାନ ମିଶନ ଉପରେ କାମ କରୁଛି। ଏଥିସହ ଇସ୍ରୋ ମଣିଷକୁ ମହାକାଶ ପଠାଇବା ଯୋଜନାରେ ମଧ୍ୟ ରହିଛି। ଏହା ନିଶ୍ଚିତ ଭାବେ ଇସ୍ରୋ ପାଇଁ ଗୋଟିଏ ବଡ଼ ଉପଲବ୍ଧି।”

Leave A Reply

Your email address will not be published.