ଅସହ୍ୟ ଦୁଃଖ ଯନ୍ତ୍ରଣାରେ ଜୀବନ ବିତାଉଥିବା ଗୋଟିଏ ଅସହାୟ ଝିଅର ମୁଖ୍ୟମନ୍ତ୍ରୀଙ୍କୁ ଚିଠି। ନିଜ ଦୁଃଖ ସହ ପଢାଠୁ ଦୂରେଇ ଯିବାର ଭୟକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଜଣେ ଅସହାୟ ବାପ ଛେଉଣ୍ଡ ଝିଅ। ବାଲେଶ୍ଵର ଜିଲ୍ଲାର ଶୁଭଦ୍ରା ପଣ୍ଡା । ଶୁଭଦ୍ରା ଏବେ ଦଶମ ଶ୍ରେଣୀରେ ପାଠ ପଢନ୍ତି। ପାଠ ପଢ଼ିବା ସହ ପିଲାଟି ଦିନକୁ ଘରର ସମସ୍ତ କାମ ମଧ୍ୟ କରୁଛନ୍ତି। ସାହା ଭରସା କହିଲେ ବିଧବା ମାଆ ଟିଏ। ସେବି ପୁଣି ମାନସିକ ରୋଗୀ। ତେଣୁ ସେ କାହାରି ଠୁ ସାହାଯ୍ୟ ନ ପାଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଶୁଭଦ୍ରା ଲେଖିଛନ୍ତି, ‘ମୁଁ ହତଭାଗିନୀ ଟିଏ। ମୋର ଜନ୍ମ କଲା ବାପା-ମାଆ କିଏ ମୁଁ ଜାଣେନି। ମୁଁ ଦ୍ଵିତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ମୋ ପାଳକ ବାପା ମତେ ଛାଡି ଆରପାରିକୁ ଚାଲିଗଲେ। ଆଉ ବାପା ଚାଲିଗଲା ପରେ ମାଆ ମୋର ମାନସିକ ରୋଗରେ ଆକ୍ରାନ୍ତ। ଆଉ ଯେବେ ମୁଁ ବଡ଼ ହେଲି ସାହିପଡିଶାରୁ ଶୁଣିଲି ମୋର ବାପା ମତେ ଗୋଟେ ଛୋଟ ଜାତିରୁ ଆଣି ପାଳିଛନ୍ତି। ମୋର ଜାତି ଛୋଟ ବୋଲି ସାହି ପଡିଶା କେହିବି ଛୁଅନ୍ତି ନାହିଁ। ମତେ ଅଛୁଆ କହି ଘରକୁ ଉଠିବାକୁ ଦିଅନ୍ତି ନାହିଁ। ଆଉ ବାପା ଚାଲିଗଲା ପରେ ମାଆ ପାଉଥିବା 500 ଟଙ୍କା ଭାତ୍ତା ଓ ଚାଉଳରେ ଓଳିଏ ଖାଇ ଓଳିଏ ଉପବାସରେ ରହୁ। ଘରଟିଏ ମଧ୍ୟ ବାପା ଥିଲା ବେଳେ କରିଥିଲେ। ଏବେ ତାହା ଭାଙ୍ଗିବାକୁ ବସିଲାଣି। ବର୍ଷା ହେଲେ ଘରେ ପାଣି ପଡୁଛି। ମରାମତି କରିବାକୁ ପଇସା ବି ନାହିଁ। ତଥାପି ମୋର ସ୍ବପ୍ନ ଅଛି ମୁଁ ପାଠ ପଢିବି ଆଉ ରୋଜଗାର କରି ମୋ ମାଆକୁ ଭଲ କରିବି। କିନ୍ତୁ ଅର୍ଥ ହିଁ ସବୁଥିରେ ସାଜିଛି ବାଧକ’।
ସୁଭଦ୍ରାଙ୍କ ଆଜି ପର୍ଯ୍ୟନ୍ତର ଜୀବନ ଯାତ୍ରା ବେଶ ସଂଘର୍ଷମୟ। ଛୋଟିଆ ବୟସରୁ ଜୀବନ କଷ୍ଟକୁ ପାଖରୁ ଦେଖି ସାରିଛନ୍ତି। ଏହି ଯନ୍ତ୍ରଣା ଭିତରେ ଏକ ଭଲ ଭବିଷ୍ୟତର ଆଶା ରଖିଛନ୍ତି। ପାଠ ପଢି ରୋଜଗାର କରି ମାଆକୁ ଭଲ କରିବାକୁ ସେ ସ୍ୱପ୍ନ ରଖିଛନ୍ତି।