କାନ୍ଥ ପଡି ଭାଇ ଭଉଣୀ ମୃତ

ମୃତ୍ୟୁମୁଖରୁ ବର୍ତ୍ତିଲେ ମାଆ ଓ ୩ ବର୍ଷର ଶିଶୁପୁତ୍ର

ଖୁଣ୍ଟା – ଛାଡ଼ି ଯାଇଛି ଲଘୁଚାପ ଜନିତ ଲଗାଣ ବର୍ଷା । ମାତ୍ର ଦେଇଯାଉଛି ଦୁଃଖ । କେଉଁଠି ଜଳବନ୍ଦୀରେ ଜୀବନ ତ ଆଉ କେଉଁଠି ବନ୍ୟା ଜଳରେ ଭାସି ମୃତ୍ୟୁ ଘଟୁଛି । ଏଭଳି ଘଟଣାକ୍ରମେ ଲଗାଣ ବର୍ଷା ପ୍ରଭାବରେ ଶୋଇଥିବା ବେଳେ କାନ୍ଥ ପଡ଼ି ଯିବା ଫଳରେ ଚାପି ହୋଇ ଦୁନିଆ ଦେଖିବା ପୂର୍ବରୁ ନାବାଳକ ୨ ଭାଇ ଭଉଣୀଙ୍କ ମୃତ୍ୟୁ ଘଟିଛି । ଏବଂ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ମାଆ ଓ ୩ ବର୍ଷର ଶିଶୁ ପୁତ୍ର । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁ ନଗର ବ୍ଳକ ଅନ୍ତର୍ଗତ ଉଦଳା ଥାନା ଅଧିନ ରାଇଡାହୀ ଗ୍ରାମରେ । ରାଇଡାହୀ ଗ୍ରାମର ଗଣେଶ ସିଂ ପରିବାର ଭୋରଣ ପୋଷଣ ପାଇଁ ଜିଲ୍ଲା ବାହାରକୁ କାମଧନ୍ଦା ପାଇଁ ଯାଇଥିବା ବେଳେ ଘରେ ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ରହି ଆସନ୍ତି । ସୋମବାର ରାତିରେ ସେମାନେ ଘରେ ଶୋଇଥିବା ବେଳେ ଲଗାଣ ବର୍ଷା କାରଣରୁ ଦୁର୍ବଳ ହୋଇ ପଡ଼ିଥିବା ଘରର କାନ୍ଥଟି ହଠାତ ରାତ୍ରିରେ ଭୁଶୁଡି ପଡିଥିଲା । ଫଳରେ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ୩ ଶିଶୁ ଓ ମାଆ । ତେବେ ମାଆ ତୁଳସୀ କେବଳ ସାନ ପୁଅକୁ ଉଦ୍ଧାର କରିବାରେ ସଫଳ ହୋଇଥିବା ବେଳେ ୮ ବର୍ଷର ବଡ଼ ଝିଅ ଯଶୋଦା ସିଂ ଏବଂ ୬ ବର୍ଷର ପୁଅ ଜ୍ୟୋତି ଶଙ୍କର କାନ୍ଥ ତଳେ ଚାପି ହୋଇ ରହିଥିଲେ । ପରବର୍ତ୍ତୀ ସମୟରେ ତୁଳସୀ ଚିତ୍କାର କରିବାରୁ ପାଖ ପଡ଼ୋଶୀ ଲୋକେ ଆସି ଦୁଇ ଶିଶୁଙ୍କୁ ଉଦ୍ଧାର କରିଥିଲେ । ଏବଂ ବିଳମ୍ବୀତ ରାତ୍ରୀରେ ସଂଙ୍କଟାପନ୍ନ ଅବସ୍ଥାରେ ଦୁଇ ନାବାଳକ ଯୋଶଦା ଓ ଜ୍ୟୋତି ଶଙ୍କରଙ୍କୁ ଉଦଳା ଡାକ୍ତରଖାନାକୁ ଅଣାଯାଇଥିଲା । ମାତ୍ର ଡାକ୍ତର ଉକ୍ତ ୨ ନାବାଳକଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମାତ୍ର ଏଭଳି ଏକ ଦୁଃଖଦ ଘଟଣାକୁ ନେଇ ସଂପୃକ୍ତ ଅଞ୍ଚଳରେ ଶୋକ କୂଳ ପରିବେଶ ସୃଷ୍ଟି ହୋଇଛି ।

Leave A Reply

Your email address will not be published.