ସୋଆରେ ଏନ୍‌ସିସିର ବାର୍ଷିକ ପ୍ରଶିକ୍ଷଣ ଶିବିର ଆୟୋଜିତ

ଭୁବନେଶ୍ୱର, ୨୫/୦୮: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଅଗଷ୍ଟ ୧୭ ତାରିଖରୁ ଆରମ୍ଭ ହୋଇଥିବା ଓ ୮ ଦିନ ଧରି ଚାଲିଥିବା ନ୍ୟାସ୍‌ନାଲ୍ କ୍ୟାଡେଟ୍ କୋର (ଏନ୍‌ସିସି)ର ବାର୍ଷିକ ପ୍ରଶିକ୍ଷଣ ଶିବିର ବୁଧବାର ଉଦ୍‌ଯାପିତ ହୋଇଯାଇଛି ।
୪ (ଓ) କଟକ ଦ୍ୱାରା ଆୟୋଜିତ ଏହି ଶିବିରରେ ଉଭୟ ଜୁନିୟର ଏବଂ ସିନିୟର ଡିଭିଜନ୍‌ର ବିଭିନ୍ନ ସ୍କୁଲ୍ ଓ କଲେଜ ପକ୍ଷରୁ ମୋଟ ୨୩୦ ଜଣ କ୍ୟାଡେଟ୍ ଯୋଗ ଦେଇଥିଲେ । ୪ ଜଣ ଆସୋସିଏଟ୍ ଏନ୍‌ସିସି ଅଫିସର ଓ ୭ ଜଣ ପର୍ମାନେଂଟ ଇନ୍‌ଷ୍ଟ୍ରକ୍ଟର ଯୋଗ ଦେଇ ବନ୍ଧୁକ ଚାଳନା, ଡ୍ରିଲ୍ ଏବଂ ଅନ୍ୟାନ୍ୟ କ୍ରୀଡା ପ୍ରଶିକ୍ଷଣ ଦେଇଥିଲେ ।
କ୍ୟାଡେଟମାନେ ସେନାବାହିନୀର ବିଭିନ୍ନ ସାହାସିକତାର ଝଲକ ପାଇବା ସହ, ଫୁଟ୍ ଡ୍ରିଲ୍‌, ଓପନ୍ ଡ୍ରିଲ୍‌, ଯୋଗ ଏବଂ ଫାୟାର ଫାଇଟିଂ ଭଳି ବିଭିନ୍ନ ପ୍ରଶିକ୍ଷଣ ନେଇଥିଲେ ଶିବିରରେ ଯୋଗ ଦେଇଥିବା କ୍ୟାଡେଟ୍‌ମାନେ । ଏହି ଶିବିରରେ ଲେଫ୍ଟନାଂଟ କର୍ଣ୍ଣେଲ୍ ଉମେଶ ମାରୱାହା କମାଣ୍ଡାଂନଟ ଥିବା ବେଳେ ଲେଫ୍ଟନାଂଟ କର୍ଣ୍ଣେଲ୍ ଏସ୍‌.ପି ଓତା, ଡେପୁଟି କମାଣ୍ଡାଂଟ୍ ଭାବେ ଶିବିର ପରିଚାଳନା କରିଥିଲେ ।
ଉଦ୍‌ଯାପନୀ ସମାରୋହରେ କଟକ ଗ୍ରୁପ୍‌ର ଗ୍ରୁପ୍ କମାଣ୍ଡାଂଟ କର୍ଣ୍ଣେଲ୍ ରଜନୀଶ କପୁର ନିଜ ବକ୍ତବ୍ୟରେ କ୍ୟାଡେଟ୍‌ମାନଙ୍କୁ ଏନ୍‌ସିସିର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇଥିଲେ । ଏହି ପ୍ରଶିକ୍ଷଣ କିଭଳି ସେନାବାହିନୀରେ ଯୋଗ ଦେବା ପାଇଁ କ୍ୟାଡେଟମାନଙ୍କୁ ସାହାଯ୍ୟ କରିବ ସେ ସମ୍ପର୍କରେ ତଥ୍ୟ ରଖିଥିଲେ କର୍ଣ୍ଣେଲ୍ କପୁର ।
ଏହି ଅବସରରେ ଆଇଟିଇଆର୍‌ର ଡିନ୍ ପ୍ରଫେସର ପି.କେ. ସାହୁ ଯୋଗ ଦେଇ କ୍ୟାଡେଟ୍‌ମାନଙ୍କୁ ଏନ୍‌ଏସିସି କିପରି ଏକତା ଏବଂ ଅନୁଶାସନ କ୍ଷେତ୍ରରେ ସହାୟକ ହୋଇଥାଏ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।
ଏହି ଅବସରରେ ସୋଆ ଏବଂ ୪(ଓ) କଟକ ଏନ୍‌ସିସି ଓ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍‌ର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା । ଏହି ଶିବିରରେ ୬୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ।

Leave A Reply

Your email address will not be published.