xmas

ପ୍ରଥମଥର ଆରମ୍ଭହେବ କୋଶ୍ଚିନ୍ ବ୍ୟାଙ୍କ୍ : ଓଡ଼ିଆ ଭାଷା ସମେତ ୭ ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ପ୍ରଶ୍ନପତ୍ର

ଭୁବନେଶ୍ୱର: ରାଜ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ଆଉ ଏକ ଅଭିନବ ପ୍ରୟାସ । ଶ୍ରେଣୀରେ ପାଠପଢ଼ା ସମେତ ପରୀକ୍ଷାରେ ଯେପରି ଛାତ୍ରଛାତ୍ରୀମାନେ ଭଲ ପ୍ରଦର୍ଶନ କରିବେ ସେ ନେଇ ପରୀକ୍ଷା ପୂର୍ବରୁ ପିଲାଙ୍କୁ ପ୍ରସ୍ତୁତ କରାଯିବ । ଏନେଇ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ବିଷୟ ଲାଗି ‘କୋଶ୍ଚିନ୍ ବ୍ୟାଙ୍କ୍‌’ ସୁବିଧା ରହିବ । ବିଶେଷକରି ଏହି ବ୍ୟବସ୍ଥାରେ ଓଡ଼ିଆ ଭାଷା ସମେତ ରାଜ୍ୟର ୭ଟି ସ୍ଥାନୀୟ ଭାଷାରେ ଏହି ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ ବୋଲି ନିଷ୍ପତ୍ତି ହୋଇଛି । କୋଶ୍ଚିନ୍ ବ୍ୟାଙ୍କ୍ ଲାଗି ପ୍ରସ୍ତୁତି ପ୍ରକ୍ରିୟା ଆସନ୍ତା ଜାନୁଆରୀ ସୁଦ୍ଧା ଶେଷହେବ । ତେବେ ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ସୁବିଧା ପିଲାଙ୍କୁ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି । ପୂର୍ବରୁ ଏହି ବ୍ୟବସ୍ଥା ୨୦୨୦ରୁ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଥିଲା । କରୋନା ଲାଗି ବିଳମ୍ବ ହୋଇଥିବା ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ରାଜ୍ୟରେ ୫ମ ପାସ୍ କରୁଥିବା ପିଲାଙ୍କ ମଧ୍ୟରୁ ୬୨ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରେ ସମ୍ପୂର୍ଣ୍ଣ ଦୁର୍ବଳ ରହିଥାନ୍ତି । ସେହିପରି ଅଷ୍ଟମରେ ନାମଲେଖାଇଥିବା ପିଲାଙ୍କ ମଧ୍ୟରୁ ୫୦ପ୍ରତିଶତ ପିଲାଙ୍କ ପାଖରେ ୩୦ପ୍ରତିଶତରୁ କମ୍ ଦକ୍ଷତା ରହିଥାଏ । ନବମ ଓ ଦଶମରେ ପାସ୍‌-ଫେଲ୍ ବ୍ୟବସ୍ଥା ଥିବାରୁ ଅଷ୍ଟମ ପରେ ସିଧାସଳଖ ନବମରେ ନାମଲେଖାଇଥିବା ପିଲାଙ୍କ ମଧ୍ୟରୁ ୭୪ ପ୍ରତିଶତ ପିଲା ଗଣିତରେ ଫେଲ୍ ହେଉଥିବା ବେଳେ ୬୦ପ୍ରତିଶତ ପିଲା ଇଂରାଜୀରେ ଫେଲ ହେଊଛନ୍ତି । ଏପରିକି ୪୦ପ୍ରତିଶତ ପିଲା ଓଡ଼ିଆରେ ଫେଲ ହେଉଥିବା ଜଣାପଡ଼ିଛି । ତେଶୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଏବଂ ସମ୍ଭାବ୍ୟ ପ୍ରଶ୍ନୋତ୍ତର ସୁବିଧା ଯୋଗାଇବା ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।

ଓଡ଼ିଆ ଭାଷା ସମେତ ହୋ, ଜୁଆଙ୍ଗ, ମୁଣ୍ଡା, ସୌର, କୁଇ, ସାନ୍ତାଳୀ ଏବଂ ପରଜା ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ୧୧ଜଣିଆ କମିଟି ଗଠନ କରାଯିବ । ଯେଉଁଥିରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ, ବରିଷ୍ଠ ଶିକ୍ଷକ, ଭାଷାବିତ୍‌ଙ୍କ ସମେତ ବିଭାଗୀୟ ଅଧିକାରୀ ସଦସ୍ୟ ରହିବେ । ତେବେ ପ୍ରଥମ ପର୍ଯ୍ୟାୟରେ ଶ୍ରେଣୀରେ ପଢ଼ାଯାଉଥିବା ଶିକ୍ଷାଦାନ ବ୍ୟବସ୍ଥା ଏବଂ ପରୀକ୍ଷାରେ କେଉଁ ପ୍ରକାର ପ୍ରଶ୍ନ ରହିବ ତାକୁ ଅନୁଧ୍ୟାନ କରାଯିବ । ସଂକ୍ଷିପ୍ତ ପ୍ରଶ୍ନପତ୍ରକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଥିବା ବେଳେ ଏହି କୋଶ୍ଚିନ୍ ବ୍ୟାଙ୍କ୍‌ରେ ଦୀର୍ଘ ମୂଳକ ପ୍ରଶ୍ନ ରଖାଯିବ । ଯେଉଁଥିରେ ୨୦ମାର୍କ ସମେତ ୧୫ମାର୍କ, ୧୦ମାର୍କ, ୫ମାର୍କ, ଅଢ଼େଇ ମାର୍କ ଏବଂ ୧ମାର୍କର ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ପିଲାଙ୍କ ଦକ୍ଷତା ଏବଂ ଉତ୍ତର ଦେବାର ଜ୍ଞାନକୁ ଗୁରୁତ୍ୱ ଦେଇ ଏହି ସମ୍ଭାବ୍ୟ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ତେବେ ସାଧାରଣବର୍ଗର ପିଲାଙ୍କ ସମେତ ଆଦିବାସୀ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଛି ।

ସ୍କୁଲ ଓ ଗଣଶିକ୍ଷା ବିଭାଗ ସୂତ୍ରରୁ ଜଣାଯାଇଛି, ରାଜ୍ୟରେ ପ୍ରାଥମିକ ଏବଂ ଉଚ୍ଚପ୍ରାଥମିକ ସ୍କୁଲ ସଂଖ୍ୟା ୬୫ହଜାର ୨୭୯ । ତେବେ ସରକାରୀ ସ୍କୁଲରେ ଷଷ୍ଟରୁ ଅଷ୍ଟମ ଶ୍ରେଣୀରେ ମୋଟ୍ ପିଲାଙ୍କ ସଂଖ୍ୟା ୨୨ଲକ୍ଷ ୧ହଜାର ୬୨୧ । ପ୍ରଥମପର୍ଯ୍ୟାୟରେ ୫୦ହଜାର ସେଟ୍ ପ୍ରଶ୍ନପତ୍ର ପ୍ରସ୍ତୁତ କରାଯିବ । ପ୍ରତ୍ୟେକ ବିଦ୍ୟାଳୟକୁ ଗୋଟିଏ ଲେଖାଏଁ ପ୍ରଶ୍ନପତ୍ର ସେଟ୍ ପ୍ରଦାନ କରାଯିବ । ଏହାବ୍ୟତୀତ ପ୍ରତ୍ୟେକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ୱେବ୍‌ରେ ମଧ୍ୟ କୋଶ୍ଚିନ୍ ବ୍ୟାଙ୍କର ବ୍ୟବସ୍ଥା କରାଯିବ । ସ୍କୁଲଗୁଡିକରେ ଶ୍ରେଣୀରେ ଶିକ୍ଷକମାନେ ପରୀକ୍ଷା ପୂର୍ବରୁ ସମ୍ଭାବ୍ୟ ପ୍ରଶ୍ନପତ୍ର ମାଧ୍ୟମରେ ପିଲାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ସହ ଯେଉଁ ଅଭିଭାବକମାନେ ଚାହିଁବେ ସେମାନେ କୋଶ୍ଚିନ୍ ବ୍ୟାଙ୍କ୍‌ରୁ ସେମାନଙ୍କ ପିଲାଙ୍କ ସବୁ ବିଷୟର ସମ୍ଭାବ୍ୟ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରିପାରିବେ । ପ୍ରତି ୨ବର୍ଷରେ ଏହି ପ୍ରଶ୍ନପତ୍ରରେ ପରିବର୍ତ୍ତନ କରାଯିବ । ପିଲାଙ୍କ ମାନସିକତାକୁ ନଜର ଦେଇ କୋଶ୍ଚିନ୍ ବ୍ୟାଙ୍କରେ ପ୍ରଶ୍ନପତ୍ର ରହିବ । ତେବେ ଏହି ବ୍ୟବସ୍ଥାରେ ଆବଶ୍ୟକସ୍ଥଳେ ଏସ୍‌ସିଇଆର୍‌ଟି, ରାମ୍‌ସା, ଓପେପାର ଅଧିକାରୀଙ୍କୁ ମଧ୍ୟ ସାମିଲ କରାଯିବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.