xmas

ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ନିଯୁକ୍ତି: ଆଉଟ୍‌ସୋର୍ସିଂ ସଂସ୍ଥାକୁ ପୋଷୁଛି ଶ୍ରୀମନ୍ଦିର ପ୍ରଶାସନ

ବାର୍ଷିକ ଗଣୁଛି ୪ କୋଟି, ଏବେ ଗଣିବ ସାଢ଼େ ୪ କୋଟି

ପୁରୀ : ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଠିକା କର୍ମଚାରୀ ନିଯୁକ୍ତିକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅବସରପ୍ରାପ୍ତ କର୍ମଚାରୀ, ଅଧିକାରୀଙ୍କୁ ପୁନଃନିଯୁକ୍ତି ସହ ବିନା ଯୋଗ୍ୟତା ପରୀକ୍ଷାରେ ଅନେକଙ୍କୁ ଥଇଥାନକୁ ନେଇ ବିବାଦ ଘେରକୁ ଟାଣି ହୋଇଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କଠାରୁ ଆରମ୍ଭ କରି ବିଭିନ୍ନ ନିଯୋଗର ସେବାୟତ ଓ ଭକ୍ତଙ୍କ ମହଲରେ ଏହାକୁ ନେଇ ଅସନ୍ତୋଷ ବଢ଼ୁଥିବା ବେଳେ ପରିଚାଳନା କମିଟି ସଦସ୍ୟମାନେ ଆଗାମୀ ପରିଚାଳନା କମିଟି ବୈଠକରେ ବି ଏହି ପ୍ରସଙ୍ଗ ଉଠାଇବେ ବୋଲି ମତ ଦେଇଛନ୍ତି।ଏଭଳି ସ୍ଥିତିରେ ସବୁଠୁ ଅଧିକ ବିବାଦୀୟ ହୋଇପଡ଼ିଛନ୍ତି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ନୂଆ ନିଯୁକ୍ତି ସହ ଭକ୍ତ ନିବାସ ଓ ଶ୍ରୀମନ୍ଦିରର ବିଭିନ୍ନ କାମକୁ ନିଜ ନିୟନ୍ତ୍ରଣରେ ରଖିଥିବା ଆଉଟ୍‌ସୋର୍ସିଂ ସଂସ୍ଥାମାନେ। ଏହି ଆଉଟ୍‌ସୋର୍ସିଂ ସଂସ୍ଥାମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟର ସର୍ବେସର୍ବା ପାଲଟିଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ଏମାନଙ୍କୁ ବା‌ର୍ଷିକ ଅଢ଼େଇ କୋଟିରୁ ୪ କୋଟି ପର୍ଯ୍ୟନ୍ତ ଟଙ୍କା ଗଣୁଛି। କେବଳ ଭକ୍ତ ନିବାସ ଦାୟିତ୍ବ ନେଇଥିବା ଆଉଟ୍‌ସୋର୍ସିଂ ସଂସ୍ଥା ଏଥିରୁ ଦେଢ଼କୋଟି ଟଙ୍କା ବାର୍ଷିକ ନେଉଛି। କୋଭିଡ୍‌ ଭିତରେ ବି ଖର୍ଚ୍ଚରେ ତିଳେମାତ୍ର ଉଣା କରାଯାଇନି। ବଡ଼କଥା ହେଉଛି, ଏହି ଖର୍ଚ୍ଚ ବୋଝ ବାର୍ଷିକ ବଢ଼ି ଚାଲିଛି ସିନା, କମୁନାହିଁ। ଚଳିତ ବର୍ଷ ଅର୍ଥାତ୍‌ ୨୦୨୨-୨୩ ଆର୍ଥିକ ବର୍ଷ ବଜେଟ୍‌ରେ ଏହି ଖର୍ଚ୍ଚକୁ ୪.୬୫ କୋଟିକୁ ବୃଦ୍ଧି କରାଯାଇଛି। ଏଭଳି ସ୍ଥିତିରେ କାହା ସ୍ବାର୍ଥରେ ଶ୍ରୀମନ୍ଦିର ରାଜକୋଷ ଖାଲି କରି ଭକ୍ତଙ୍କ ଦାନକୁ ଏଭଳି ଅବାଟରେ ଖର୍ଚ୍ଚ କରାଯାଉଛି ବୋଲି ସେବାୟତ ଓ ଭକ୍ତମାନେ ପ୍ରଶ୍ନ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ଜୟ କମଲ, ଅଭିରାମ ଓ ବିନୋରି, ଏଭଳି ତିନିଟି ଆ‌ଉଟ୍‌ସୋର୍ସିଂ ସଂସ୍ଥା ଏବେ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ କାମ କରୁଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ନିଯୁକ୍ତି ହେଉ କି ଭକ୍ତ ନିବାସ ପରିଚାଳନା ଅବା ଅନ୍ୟ କୌଣସି କାମ, ସବୁ ଦାୟିତ୍ବ ଏହି ତିନିଟି ଆଉଟ୍‌ସୋର୍ସିଂ ସଂସ୍ଥା ଉପରେ ନ୍ୟସ୍ତ କରାଯାଇଛି। ତିନିବର୍ଷର ହିସାବ ଦେଖିଲେ, ଠିକା ସଂସ୍ଥା ‘ଜୟ କମଲ’କୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧କୋଟି ୭୦ ଲକ୍ଷ ଟଙ୍କାର ଦେବାକୁ ବ୍ୟୟ ଅଟକଳ କରାଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ୧ କୋଟି ୪୫ ଲକ୍ଷ ୬୯ହଜାର ୯୧୮ ଟଙ୍କା ଗଣିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ୧ କୋଟି ୭୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ୧କୋଟି ୭୦ ଲକ୍ଷ ଟଙ୍କା ଦେଇଛି। ଯେଉଁଠି ୧ କୋଟି ୭୦ ଲକ୍ଷ ଟଙ୍କା ଦିଆଯାଉଥିଲା, ସେଠି ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ସଂସ୍ଥାକୁ ୨ କୋଟି ୩୦ ଲକ୍ଷ ଟଙ୍କା ଦେବାକୁ ବ୍ୟୟବରାଦ କରାଯାଇଛି। ବଡ଼କଥା ହେଉଛି, ଏହି ସଂସ୍ଥା ୧୦ ବର୍ଷ ହେଲାଣି ଶ୍ରୀମନ୍ଦିର ଭକ୍ତ ନିବାସ ଓ ଅନ୍ୟାନ୍ୟ ଠିକା କର୍ମଚାରୀ ନିଯୁକ୍ତି କାମ କରୁଛି।

ସେହିଭଳି ଠିକା କର୍ମଚାରୀ ନିଯୁକ୍ତି ଓ ଶ୍ରୀମନ୍ଦିର ପରିସର ସଫେଇ ପାଇଁ ପ୍ରାୟ ଦେଢ଼ କୋଟିରୁ ୨ କୋଟି ଟଙ୍କା ଶ୍ରୀମନ୍ଦିର ପ୍ରଶାସନ ବାର୍ଷିକ ଦେଉଛି। ଏହି ଟଙ୍କା ବିନୋରି, ଅଭିରାମ ଭଳି ଆଉଟ୍‌ସୋର୍ସିଂ ସଂସ୍ଥାକୁ ଯାଉଥିବା ଜଣାପଡ଼ିଛି। ଠିକା କର୍ମଚାରୀ ନିଯୁକ୍ତି ପାଇଁ ଏହି ସଂସ୍ଥାମାନଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧‌ କୋଟି ଟଙ୍କାର ଦେବାକୁ ବ୍ୟୟବରାଦ ହୋଇଥିଲା। କିନ୍ତୁ ଏହି ବର୍ଷ ୬୩ଲକ୍ଷ ୯୪ହଜାର ୮୪୫ ଟଙ୍କା ପ୍ରଦାନ କରାଯାଇଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ୯୫ ଲକ୍ଷ ୬୪ହଜାର ୦୨୭ ଟଙ୍କା ବ୍ୟୟବରାଦ ହୋଇଥିବା ବେଳେ ସବୁ ଟଙ୍କା ଠିକା ସଂସ୍ଥାମାନଙ୍କୁ ପ୍ରଦାନ କରାଯାଇଛି। ଚଳିତବର୍ଷ ଏହି ଅର୍ଥକୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେପଟେ ଶ୍ରୀମନ୍ଦିର ସଫେଇ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୧ କୋଟି ୨୦ ଲକ୍ଷ ବ୍ୟୟବରାଦ ହୋଇଥିବା ବେଳେ ୮୨ଲକ୍ଷ ୨୨ହଜାର ୧୧୨ ଟଙ୍କା ଦିଆଯାଇଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ପୁନର୍ବାର ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ୟୟବରାଦ ହୋଇଥିବା ବେଳେ ସବୁ ଟଙ୍କା ଦୁଇଟି ପର୍ଯ୍ୟାୟରେ ସମ୍ପୃକ୍ତ ଠିକା ସଂସ୍ଥାମାନଙ୍କୁ ପ୍ରଦାନ ସରିଛି। ଚଳିତ ବର୍ଷ ପୁଣି ଏହି ଅନୁଦାନ ରାଶିକୁ ୧କୋଟି ୩୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଯାହା ସେବାୟତ, ଭକ୍ତଙ୍କୁ ସନ୍ଦିହାନରେ ପକାଇଛି। ବେକାରି ସମସ୍ୟା ବଢ଼ି ଚାଲିଥିବାବେଳେ ନୂଆ ନିଯୁକ୍ତି ନ କରି ଆ‌ଉଟ୍‌ସୋର୍ସିଂ ସଂସ୍ଥାକୁ ଏଭଳି କାହିଁକି ପୋଷାଯାଉଛି ବୋଲି ପ୍ରଶ୍ନ ଉଠିଛି। ଅନ୍ୟପଟେ ବିନା ଯୋଗ୍ୟତା ପରୀକ୍ଷାରେ ଆଉଟ୍‌ସୋର୍ସିଂ ସଂସ୍ଥା ଜରିଆରେ ନିଯୁକ୍ତି ପାଉଥିବା ଏହି ଠିକା କର୍ମଚାରୀମାନେ ବହୁ ବର୍ଷ ରହିବା ପରେ ସ୍ଥାୟୀ ନିଯୁକ୍ତି ଦାବି କରୁଛନ୍ତି।

Leave A Reply

Your email address will not be published.