ବିଷମକଟକ ପଞ୍ଚାୟତ ସମିତି… ସହକାରୀ ନିର୍ବାହୀ ଯନ୍ତ୍ରୀ ଅସହାୟ, ସହକାରୀ ଯନ୍ତ୍ରୀ କରୁଛନ୍ତି ରାଜ

. ଦାୟିତ୍ୱ ହସ୍ତାନ୍ତର ନ କରି ୮ ମାସ ଧରି ଜାବୁଡ଼ି ଧରିଛନ୍ତି ପଦବୀ
. ବେକ ଡେଟରେ ହେଉଛି ବିଲ ସାଇନ ଓ ଚେକ ମେଜରମେଣ୍ଟ
. ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି କଲେ ବ୍ଲକବାସୀ
ଭୁବନେଶ୍ୱର,୩୦/୮ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଉନ୍ନୟନ ବିଭାଗରେ ନାନା ପ୍ରକାର ଅଵ୍ୟଵସ୍ଥା ଦେଖା ଦେଇଛି। ବ୍ଲକରେ ଗତ ଜାନୁଆରୀ ୧୯ ରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ସୁଦ୍ଧା ସହକାରୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ ଶ୍ରୀ ତ୍ରିପାଠୀଙ୍କୁ ଦାୟିତ୍ୱ ହସ୍ତାନ୍ତର ନ କରି ନିଜ କ୍ଷମତାର ଅପବ୍ୟବହାର କରୁଛନ୍ତି। ବେକ୍ ଡେଟରେ ଶହ ଶହ କେସ ରେକର୍ଡ଼ରେ ଚେକ୍ ମେଜରମେଣ୍ଟ କରିଥିବା ଗୁରୁତର ଅଭିଯୋଗ ହୋଇଛି। ଏପରିକି ଗତ ୮ ମାସ ମଧ୍ୟରେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ପାଖକୁ ମାତ୍ର ୪ ରୁ ୫ଟି କେସ ରେକର୍ଡ ଯାଇଛି । ଦୀର୍ଘ ୭ ମାସ ପରେ ସହକାରୀ ଯନ୍ତ୍ରୀ (ଅପଗ୍ରେଡେସନ) ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କୁ ବିଡ଼ିଓଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୨୦୮୨ ତା: ୨୬.୦୭.୨୦୨୨ ରେ ବ୍ଲକର ଦୁର୍ଗୀ, ଡୁମୁରିଲେଲି, ଚଞ୍ଚରାଗୁଡା ପଂଚାୟତର କନିଷ୍ଠ ଯନ୍ତ୍ରୀ ଦାୟିତ୍ୱ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପି .ଏ ସ ରାଓ ଙ୍କ ଠାରୁ ଦାୟିତ୍ୱ ନେବା ପାଇଁ ଆଦେଶ ଦେଇଥିଲେ। ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ମୁଁ ଏଠାରେ ଏଇ ଭାବେ କାମ କରୁଥିଲି ଏବେ ପଞ୍ଚାୟତ ଦାୟିତ୍ୱ ନେଇ ଜେଇ ଭାବେ କାମ କରିବି କି ? ମୋର କଣ ମାନ ସମ୍ମାନ ନାହିଁ କହି ଗତ ଏକ ମାସ ହେଲା ପଞ୍ଚାୟତର ଦାୟିତ୍ୱ ନେଇ ନ ଥିବାରୁ ବ୍ଲକ ଅଂଚଳ ରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପର ପକ୍ଷେ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ଶ୍ରୀ ରାଓ ବିଡ଼ିଓଙ୍କ ମୌଖିକ ଆଦେଶ ପରେ କନିଷ୍ଠ ଯନ୍ତ୍ରୀ ନିରଞ୍ଜନ ବେହେରାଙ୍କୁ ତିନୋଟି ପଂଚାୟତର ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ପୁନଃଶ୍ଚ ବିଡ଼ିଓଙ୍କ ପତ୍ର ସଂଖ୍ୟା ୨୨୧୧ ତା: ୬.୮.୨୦୨୨ ରେ ସହକାରୀ ଯନ୍ତ୍ରୀଙ୍କୁ କୌଣସି ପଞ୍ଚାୟତ ଦାୟିତ୍ୱ ନ ଦେଇ ଅନ୍ୟ ୩ ଯନ୍ତ୍ରୀଙ୍କୁ ଉକ୍ତ ପଞ୍ଚାୟତ ଦାୟିତ୍ୱ ବଣ୍ଟନ କରିଛନ୍ତି। ଗତ ଏକ ମାସରୁ ଉର୍ଦ୍ଧ୍ବ ଧରି ସହକାରୀ ଯନ୍ତ୍ରୀ ବ୍ଲକରେ କାମ ନ କରି ବସି ରହି ଦରମା ନେଉଥିବା ଅଭିଯୋଗ ହେଉଛି। ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗତ ତିନି ବର୍ଷ ତଳେ ରାମନାଗୁଡା ବ୍ଲକରୁ ବିଷମକଟକ ବ୍ଲକକୁ ବଦଳି ହୋଇ ଆସିଥିଲେ। ବିଷମକଟକ ବ୍ଲକର କାର୍ଯ୍ୟକାଳ ମଧ୍ୟରେ ବ୍ୟାପକ ଦୁର୍ନୀତି, ଅନିୟମିତତା, ମିଥ୍ୟା ଭାଉଚର ପ୍ରସ୍ତୁତ ନେଇ ଗୁରୁତର ଅଭିଯୋଗ ତାଙ୍କ ନାମରେ ରହିଛି। ରାଜନୈତିକ ଛତ୍ରଛାୟାରେ ରହି ସହକାରୀ ଯନ୍ତ୍ରୀ ଅରାଜକତା ଚଳାଇଥିବା ଅଭିଯୋଗ ହେଉଛି। ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜାନୁୟାରୀ ମାସରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ ପ୍ରତ୍ୟୁଷ କୁମାର ତ୍ରିପାଠୀଙ୍କୁ ବ୍ଲକରେ ଅବସ୍ଥାପିତ କରାଯାଇଥିଲା। ଜାନୁଆରୀ ୧୯ ତାରିଖରେ ବ୍ଲକରେ ଶ୍ରୀ ତ୍ରିପାଠୀ ଜଏନ କରିଥିଲେ । ସହକାରୀ ଯନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଦୀର୍ଘ ମାସ ଧରି ତାଙ୍କୁ ଦାୟିତ୍ୱ ନ ଦେବା ଏପରିକି ସହକାରୀ ଯନ୍ତ୍ରୀଙ୍କ ଅଫିସ ଚାମ୍ବର, ବୋଲର ଗାଡି, ୬ ମାସ ଧରି ନ ଦେବାରୁ ଗତ ଜୁନ ୨୫ ତାରିଖରେ ସହକାରୀ ଯନ୍ତ୍ରୀଙ୍କ ପ୍ରକୋଷ୍ଠ ଚାବି ଭଙ୍ଗାଯାଇ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ କାର୍ଯ୍ୟାଳୟରେ ବସି କାମ କରିବା ପାଇଁ ଦିଆଯାଇଥିଲା। ଗତ ଜାନୁୟାରୀ ମାସରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ବ୍ଲକରେ ଯୋଗ ଦେଇଥିଲେ ମଧ୍ୟ ବିଡ଼ିଓ କାହିଁକି ଦୀର୍ଘ ୮ ମାସ ଧରି ଶ୍ରୀ ପଣିଗ୍ରାହୀ ଙ୍କୁ ପଞ୍ଚାୟତ ଦାୟିତ୍ୱ ଦେଇ ନଥିଲେ। ଉକ୍ତ ସମୟରେ ସହକାରୀ ଯନ୍ତ୍ରୀ ପଣିଗ୍ରାହୀ କେଉଁ ଦାୟିତ୍ୱରେ ଥିଲେ, ତାହା ତଦନ୍ତ ସାପେକ୍ଷ। ସହକାରୀ ଯନ୍ତ୍ରୀ କୁଆଡେ ପଞ୍ଚାୟତ ଦାୟିତ୍ୱ ନ ନେଇ ଖାଲି ଉନ୍ନୟନ କାର୍ଯ୍ୟ ତଦାରଖ କରିବେ ସେ ନେଇ ଏକ ଅର୍ଡର କରିବା ପାଇଁ ବିଡ଼ିଓଙ୍କ ଉପରେ ଚାପ ପକାଉଥିବା ଚର୍ଚ୍ଚା ହେଉଛି। ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟକଳାପରେ ବ୍ଲକର ନିର୍ବାଚିତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜନସାଧାରଣ ଅତିଷ୍ଠ ହୋଇ ପଡିଲେଣି। କେତେଜଣ ଶାସକ ଦଳର ଛାମୁଆ ନେତାଙ୍କ ଛାତ୍ରଛାୟା ତଳେ ଥିବା ଯୋଗୁଁ କେହି ଭୟରେ ପାଟି ଖୋଲୁ ନାହାନ୍ତି। ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣା ପଡିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକର ବିଡ଼ିଓଙ୍କୁ ବିସମକଟକ ବ୍ଲକକୁ ବଦଳି ହୋଇଛି। ନୂତନ ବିଡ଼ିଓ ଯୋଗଦେବା ପୂର୍ବରୁ ବିସମକଟକ ବ୍ଲକ ସହକାରୀ ଯନ୍ତ୍ରୀଙ୍କୁ ଅନ୍ୟ କିଛି କର୍ମଚାରୀଙ୍କ ସହ ମିଶି ଗତ ଶୁକ୍ରବାର ସିନାପାଲି ଯାଇ ନୂତନ ବିଡ଼ିଓଙ୍କୁ ଭେଟି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଅନ୍ୟତ୍ର ବଦଳି କରି ପୁଣି ଶ୍ରୀ ପାଣିଗ୍ରାହୀ ଦାୟିତ୍ଵ ନେବା ଲାଗି ଯୋଜନା କରିଥିବା ଜୈନକ କର୍ମଚାରୀ ନିଜ ନାମକୁ ଗୋପନ ରଖି କହିଛନ୍ତି। ଜିଲ୍ଲାପାଳ ପ୍ରତ୍ୟକ୍ଷ ଭାବେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହେଉଛି । ଏ ସମ୍ପର୍କରେ ବିଡ଼ିଓ ଆଲବର୍ଟ ଲାକ୍ରାଙ୍କୁ ପଚାରିବାରୁ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି ବୋଲି କହି ସମସ୍ତ ଅଭିଯୋଗକୁ ଏଡ଼ାଇ ଯାଇଥିଲେ। ଏ ସମ୍ପର୍କରେ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରତ୍ୟୁଷ କୁମାର ତ୍ରିପାଠୀଙ୍କୁ ପଚାରିବାରୁ କନିଷ୍ଠ ଯନ୍ତ୍ରୀ ମାନେ କୌଣସି କେସ ରେକର୍ଡ ବିଲ ମୋ ପାଖକୁ ଆଣୁ ନାହାନ୍ତି। ମାତ୍ର ୬ଟି ଵିଲ ମୁ ଦସ୍ତଖତ କରିଛି ବୋଲି କହିଛନ୍ତି। ବିଲ ଚେକ ମେଜର ମେଣ୍ଟ କିଏ କରୁଛି ମୁଁ ଜାଣିନି। କନିଷ୍ଠ ଯନ୍ତ୍ରୀ ପି ଏସ ରାଓଙ୍କୁ ପଚାରିବାରୁ ସହକାରୀ ଯନ୍ତ୍ରୀ ମତେ ବେଆଇନ କାର୍ଯ୍ୟ କରିବା ପାଇଁ ଚାପ ପକାଇଲେ। ମୁଁ ନ କରିବାରୁ ଚକ୍ରାନ୍ତ କରି ମତେ ସେଠାରୁ ବଦଳି କରାଇଛନ୍ତି।

Leave A Reply

Your email address will not be published.