ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ସହ ପା‌ଷ୍ଟର୍‌ଙ୍କ କାର୍‌ରେ ଲଗାଇଲେ ନିଆଁ

ଚଣ୍ଡିଗଡ଼: ପଞ୍ଜାବର ତରନତାରନ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏକ ଗୋଷ୍ଠୀ ଗତକାଲି ରାତିରେ ସ୍ଥାନୀୟ ଚର୍ଚ୍ଚରେ ପଶି ଯୀଶୁଖ୍ରୀଷ୍ଟଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ, ସେମାନେ ଚର୍ଚ୍ଚର ପା‌ଷ୍ଟର୍‌ଙ୍କ କାର୍‌ରେ ନିଆଁ ଲଗାଇ ଦେଇଥିବା ବି ଅଭିଯୋଗ ହୋଇଛି। ସେହି ସମୟର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭିଡିଓରେ କାର୍‌ରେ ନିଆଁ ଲାଗିବାରୁ ନେଇ ପ୍ରତିମୂର୍ତ୍ତି ଭାଙ୍ଗି କରି ତଳେ ପଡ଼ିଥିବା ସବୁ କିଛି ଦେଖିବାକୁ ମିିଳିଛି।

ଶିଖ୍‌ମାନଙ୍କର ସର୍ବୋଚ୍ଚ ସାମୟିକର ମୁଖ୍ୟ ଅକାଲ ତଖ୍‌ତ ଖ୍ରୀଷ୍ଟିୟାନ ସଂପ୍ରଦାୟର ବାଧ୍ୟତାମୂଳକ ଧର୍ମାନ୍ତରୀକରଣ ବିରୋଧରେ ଏକ ବିବୃତ୍ତି ଜାରି କରିବା ଦିନ ହିଁ ଏପରି ଘଟଣା ଘଟିଛି। ଗତକାଲି ଫେସ୍‌ବୁକ୍‌ରେ ଲାଇଭ୍‌ କରି ଜ୍ଞାନୀ ହର୍‌ପ୍ରୀତ ସିଂହ କହିଥି‌ଲେ ଯେ, ‘ତଥାକଥିତ ଖ୍ରୀଷ୍ଟିୟାନ୍‌ମାନେ ବଳପୂର୍ବକ ଭାବେ ଶିଖ୍‌ ସଂପ୍ରଦାୟର ଲୋକମାନଙ୍କୁ ଧର୍ମାନ୍ତରୀକରଣ କରାଉଛନ୍ତି। ପଞ୍ଜାବର ଶିଖ୍‌ ଏବଂ ହିନ୍ଦୁମାନଙ୍କୁ ବିଭ୍ରାନ୍ତ କରାଯାଇ ଖ୍ରୀଷ୍ଟିୟାନ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି। ଏହା ସରକାରଙ୍କ ନାକ ତଳେ ହିଁ ଘଟୁଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଶିଖ୍‌ ନେତାମାନେ ଗତ କିଛି ଦିନ ହେବ ଖ୍ରୀଷ୍ଟିୟାନ୍‌ମାନଙ୍କ ଧର୍ମାନ୍ତରୀକରଣ ବିରୋଧରେ ସ୍ବର ଉଠାଇ ଆସୁଛନ୍ତି। ଶିଖ୍‌ ନେତାମାନେ ଏ ନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନକୁ ରୋକିବା ପାଇଁ ସରକାର ନିଷ୍ପତ୍ତି ନିଅନ୍ତୁ ବୋଲି ନିବେଦନ କରି ଆସୁଛନ୍ତି।

Leave A Reply

Your email address will not be published.