ପୁଅର ଗୁଳିମାଡ଼ରେ ଟଳି ପଡ଼ିଲେ ବାପ

ବାପ ହତ୍ୟାକାରୀ ପୁଅ ବଡ଼ସାହି ଜଙ୍ଗଲ ରୁ ଗିରଫ
ଉଦଳା – ଆଶା ଥିଲା ଜନ୍ମ କଲା ପୁଅ ବାର୍ଦ୍ଧକ୍ୟ ଅବସ୍ଥା ସାହାରା ହେବ । ମାତ୍ର ଜନ୍ମ କଲା ପୁଅ ସାଜିଥିଲା ବାପର ହତ୍ୟାକାରୀ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା କାଶୀକୁଣ୍ଡଳ ଅଞ୍ଚଳରେ । ଅତି ବିଭତ୍ସ ଭାବେ ବାପାକୁ ଗୁଳି ମାରି ହତ୍ୟା କରି ଫେରାର ହୋଇଯାଇଛି ପୁଅ । ମଙ୍ଗଳବାର ରାତିରେ କାଶୀକୁଣ୍ଡଳ ଗ୍ରାମର ଟିଲୁ ନାଏକ ଘରେ ଥିଲେ । ଏହି ସମୟରେ ପୁଅ କୈଳାସ ନାଏକ ଘରେ ପହଞ୍ଚି ଖାଦ୍ୟ ଖାଉଥିଲେ । କୌଣସି କଥାକୁ ନେଇ ବାପା ଏବଂ ପୁଅ ମଧ୍ୟରେ ଆରମ୍ଭ ହୋଇଥିଲା ବଚସା । ବଚସା ଏତେ ଉଗ୍ରରୂପ ନେଲା ଯେ ପୁଅ କୈଳାସ ଉତକ୍ଷିପ୍ତ ହୋଇ ଖାଇବା ପାଖରୁ ଉଠି ଆସି ଘରେ ପୂର୍ବରୁ ରଖିଥିବା ଏକ ଦେଶୀ ବନ୍ଧୁକରେ ଟିଲୁ ଉପରକୁ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ବାପା ଟିଲୁର ବେକ ପାଖରେ ବାଜିଥିବା ବେଳେ ଘର ବାରଣ୍ଡାରେ ଟଳି ପଡ଼ିଥିଲେ ଟିଲୁ ନାଏକ । ଗୁଳି ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଆସିଥିଲେ ସୁଦ୍ଧା ହତ୍ୟାକାରୀ ପୁଅ କୈଳାସ କାହାକୁ ପାଖକୁ ଆସିବାକୁ ଦେଇ ନ ଥିଲା । ଏବଂ ଅନ୍ୟ ମାନଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଡରାଇଥିଲା ଅଭିଯୁକ୍ତ ଜଣକ |ତେବେ ବାପାକୁ ହତ୍ୟା କରିବା ପରେ ପୁଅ କୈଳାସ ନିଜ ସ୍ତ୍ରୀ ଏବଂ ପିଲାଛୁଆଙ୍କୁ ନେଇ ଫେରାର ହୋଇଯାଇଥିଲା ଘଟଣାସ୍ଥଳରୁ । ଖବର ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକକୁ ପୋଲିସ ଜବତ କରିଛି । ଏହା ସହିତ ଘର ପଛ ପାଖରୁ ଗୁଳି ଭାବେ ବ୍ୟବହୃତ ହୋଇଥିବା ଲୁହାରଡ଼ର ଭଙ୍ଗା ଅଂଶ ପୋଲିସ ହାତରେ ଲାଗିଛି । ତେବେ ଅତି ବିଭତ୍ସ ଭାବେ ପୁଅ, ବାପାକୁ ଗୁଳି ମାରିଥିବା ବେଳେ ଗୁଳିଟି ବେକର ଏପାଖ ସେପାଖ ହୋଇଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଫେରାର ଅଭିଯୁକ୍ତ ହତ୍ୟାକାରୀକୁ ବଡ଼ସାହି ଜଙ୍ଗଲରୁ ଗିରଫ କରାଯାଇଥିବା ଉପଖଣ୍ଡ ପୋଲିସ ଅଧିକାରୀ ସାର୍ଥକ ରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.