ହକି ବିଶ୍ୱକପ : ପଡିଲା ଧର୍ମଗୁଳା, ଗ୍ରୁପ୍ ଡିରେ ଭାରତ । ଜାଣନ୍ତୁ ଗ୍ରୁପ୍-ଡିରେ ଅନ୍ୟ କେଉଁ ଦଳ ପାଇଲେ ସ୍ଥାନ ।

ହକି ବିଶ୍ୱକପ ପାଇଁ ବାଜିଲା ବିଗୁଲ । ୨୦୨୩ ହକି ବିଶ୍ୱକପ ପାଇଁ ଖେଳସୂଚୀ ଘୋଷଣା ହୋଇଛି । ୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜିତ ହେବାକୁ ଥିବା ହକି ବିଶ୍ୱକପ ପାଇଁ ଆଜି ଡ୍ର ସେରିମନି ଶେଷ ହୋଇଛି । ଆଉ ଏହି ଡ୍ର ସେରିମନି ପରେ ଟିମ୍ ଇଣ୍ଡିଆ ଗ୍ରୁପ୍-ଡିରେ ସ୍ଥାନ ପାଇଛି । ବିଶ୍ଵକପରେ ଭାଗ ନେବାକୁ ଥିବା ୧୬ଟି ଦଳ ମଧ୍ୟରୁ କେଉଁ ଦଳ କେଉଁ ଗ୍ରୁପରେ ରହିବ, ସେନେଇ ଆଜି ପଡିଥିଲା ଧର୍ମଗୁଳା। ୧୬ଟି ଟିମକୁ ୪ଟି ଗ୍ରୁପରେ ଭାଗ କରାଯାଇଥିଲା । ଆଉ ଭାରତ ଗ୍ରୁପ୍-ଡିରେ ସ୍ଥାନ ପାଇଛି । ଗ୍ରୁପ-ଡିରେ ଭାରତ ସମେତ ଇଂଲଣ୍ଡ, ସ୍ପେନ ଓ ୱେଲସ ଦଳ ସ୍ଥାନ ପାଇଛନ୍ତି । ସେହିଭଳି ଗ୍ରୁପ-ଏରେ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ, ଦକ୍ଷିଣ ଆଫ୍ରିକା, ଗ୍ରୁପ-ବିରେ ବେଲଜିୟମ, ଜର୍ମାନୀ, କୋରିଆ, ଜାପାନ ସ୍ଥାନ ପାଇଛନ୍ତି । ସେହିଭଳି ଗ୍ରୁପ୍-ସିରେ ନେଦରଲାଣ୍ଡସ, ନ୍ୟୁଜିଲାଣ୍ଡ, ମାଲେସିଆ ଓ ଚିଲି ଦଳ ସ୍ଥାନ ପାଇଛନ୍ତି ।

ଭୁବନେଶ୍ୱର ଓ ରାଉରକେଲାରେ ହେବାକୁଥିବା ବିଶ୍ବକପ ହକି ୨୦୨୩ର ଡ୍ର ସେରିମନି ଭୁବନେଶ୍ବର କନଭେନସନ ହଲରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଏଫଆଇଏଚ୍ କାର୍ଯ୍ୟକାରୀ ସଭାପତି ସେୟଫ୍ ଅହମଦ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ହକି ଇଣ୍ଡିଆର କର୍ମକର୍ତାଙ୍କ ଉପସ୍ଥିତି ରହିଥିଲେ । ୨୦୨୩ ଜାନୁଆରୀ ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ ବିଶ୍ଵକପ ହକି। ୨୦୧୮ ବିଶ୍ଵକପ ହକିକୁ ସଫଳତାର ସହ ଆୟୋଜନ କରିବା ପରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଲଗାତାର ଦ୍ୱିତୀୟ ବିଶ୍ଵକପ ଆୟୋଜନ ପାଇଁ ସୁଯୋଗ ପାଇଛି । ଆଉ ଏହି ହକି ବିଶ୍ୱକପକୁ ଭବ୍ୟ ଓ ସ୍ମରଣୀୟ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର । ଭୁବନେଶ୍ୱର ଓ ସୁନ୍ଦରଗଡର ନବନିର୍ମିତ ଷ୍ଟାଡିୟମରେ ଖେଳାଯିବ ହକି ବିଶ୍ୱକପ । ଆଉ ଏଥିପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ରାଜ୍ୟ ସରକାର ।

Leave A Reply

Your email address will not be published.