ପୁଣି ଯନ୍ତ୍ରୀଙ୍କ ଉପରେ ଆକ୍ରମଣ, ଥାନାରେ ଏତଲା

ଫୁଲବାଣୀ -୧୨\୦୯ ପୁଣି ଫୁଲବାଣୀ ସହରରେ ଯନ୍ତ୍ରୀଙ୍କ ଉପରେ ଆକ୍ରମଣ l ଆକ୍ରମଣର ଶିକାର ହୋଇଥିବା ଯନ୍ତ୍ରୀ ଜଣଙ୍କ ହେଉଛନ୍ତି ଫୁଲବାଣୀ ମୁନିସିପାଲିଟିର ଯନ୍ତ୍ରୀ ଇଂ. ନୀଳକଣ୍ଠ ନାୟକ l ସୂଚନାଯୋଗ୍ୟ ଯେ, ମୁନିସିପାଲିଟି କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତ୍ରୀ ନାୟକ ରହୁଥିବା ବାସଭବନ ଆଗରେ କିଛି ଦୁର୍ବୁତ୍ତ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ l ଏ ନେଇ ଯନ୍ତ୍ରୀ ନାୟକ ସ୍ଥାନୀୟ ଟାଉନ ଥାନାରେ ଏତଲା ଦେଇଥିଲେl ତେବେ ସହରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଯନ୍ତ୍ରୀ ମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଥିବା ଓ ପୋଲିସ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ନେଇ ଯନ୍ତ୍ରୀ ଓ ସରକାରୀ କର୍ମଚାରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି l ସୋମବାର ମୁନିସିପାଲିଟି ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ସମେତ ସମସ୍ତ କର୍ମଚାରୀ ମାନେ ମିଳିତ ଭାବେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ଦାବି କରି ପୋଲିସ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁଙ୍କୁ ମଧ୍ୟ ଭେଟି ଜଣାଇଥିଲେl ସୂଚନାଯୋଗ୍ୟ ଯେ, ଏଥି ପୂର୍ବରୁ ଫୁଲବାଣୀ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କୁକିଛି ଦୁର୍ବୁତ୍ତ ଗାଳିଗୁଲଜ କରିବା ସହ ଅସଦ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଥାନାରେ ମାମଲା ରୁଜୁ ହୋଇଛି l ସେହିପରି ଅଗଷ୍ଟ ୧୬ରେ ଫୁଲବାଣୀ ପିଡବ୍ଲୁଡି ର ଅନ୍ୟ ଜଣେ ଯନ୍ତ୍ରୀକୁ ମଧ୍ୟ ଜଣେ ଦୁର୍ବୁତ୍ତ କୋର୍ଟ ଛକରେ ଛୁରୀ ଭୁସି ଦେଇଥିଲl l ଏନେଇ ସମ୍ପୃକ୍ତ ଆହତ ଯନ୍ତ୍ରୀ ଥାନାରେ ଏତେଲା ଦେଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ଏଯାଏଁ l କେବଳ ସେତିକି ନୁହେଁ ଗତବର୍ଷ ମଧ୍ୟ ସରୋଜ ପାଢ଼ୀ ନାମକ ଜଣେ ସହକାରୀ ଯନ୍ତ୍ରୀଙ୍କ ବାସଭବନରେ ଦୁର୍ବୁତ୍ତମାନେ ପଶି ମାଡ଼ ମାରିବା ସହ ଭଙ୍ଗାରୁଜା ମଧ୍ୟ କରିଥିଲେ l ତେବେ ପୋଲିସ ତୁରନ୍ତ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି l

Leave A Reply

Your email address will not be published.