ବିସିସିଆଇକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ବସ୍ତି, ଆଗାମୀ ତିନି ବର୍ଷ ଯାଏଁ ପଦରେ ରହିପାରିବେ ଶାହା ଓ ଗାଙ୍ଗୁଲି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ବସ୍ତି ମିଳିଛି। ସୁପ୍ରିମକୋର୍ଟଙ୍କଠାରୁ ଆଶ୍ବସ୍ତି ମିଳିବା ପରେ ବର୍ତ୍ତମାନ ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ଅଧ୍ୟକ୍ଷ ରହିପାରିବେ। ଏହା ବ୍ୟତୀତ ଜୟ ଶାହା ମଧ୍ୟ ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇ ସମ୍ପାଦକ ରହିପାରିବେ | ବାସ୍ତବରେ ସୁପ୍ରିମକୋର୍ଟ ବିସିସିଆଇ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟ ବୋର୍ଡ ପ୍ରଶାସକଙ୍କୁ ବାଧ୍ୟତାମୂଳକ ‘କୁଲିଂ ଅଫ୍ ପିରିୟଡ୍’ ଧାରାକୁ ସଂଶୋଧନ କରିବାକୁ ବିସିସିଆଇର ଆବେଦନକୁ ଅନୁମତି ପ୍ରଦାନ କରିଛନ୍ତି । ଆଉ ସଂଶୋଧନ ହେଲେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବିରେ ଲଗାତାର ୧୨ ବର୍ଷ ରହିପାରିବେ |

ଏହାର ଅର୍ଥ ହେଉଛି ସୌରଭ ଗାଙ୍ଗୁଲି ଓ ଜୟ ଶାହା ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ବିସିସିଆଇର ପଦପଦବୀରେ ରହିପାରିବେ | ସୂଚନାଯୋଗ୍ୟ, ଲୋଧା ସମିତି ସୁପାରିସ ମୁତାବକ ବିସିସିଆଇ ସମ୍ବିଧାନରେ ଥିବା ‘କୁଲିଂ ଅଫ୍ ପିରିୟଡ୍’ ଧାରା ଅନୁସାରେ କୌଣସି ବ୍ୟକ୍ତି ଭାରତୀୟ କ୍ରିକେଟ୍‌ର (ବିସିସିଆଇ ଓ ରାଜ୍ୟ ସଂଘକୁ ମିଶାଇ) ବିଭିନ୍ନ ପଦ ପଦବିରେ ଲଗାତାର ୬ ବର୍ଷରୁ ଅଧିକ କାଳ ରହିପାରିବେ ନାହିଁ। କୌଣସି ବ୍ୟକ୍ତି କ୍ରମାଗତ ୬ ବର୍ଷର କାର୍ଯ୍ୟକାଳ ପୂରଣ କରିଥିଲେ ତାଙ୍କୁ ୩ ବର୍ଷ ପାଇଁ କୁଲିଂ ଅଫ୍‌ରେ ଯିବାକୁ ହେବ। ଅର୍ଥାତ୍ ଏହି ୩ ବର୍ଷ ଭିତରେ ସେ ଭାରତୀୟ କ୍ରିକେଟ୍ ପରିଚାଳନା‌ର କୌଣସି ପଦବିରେ ରହିପାରିବେ ନାହିଁ।

ଏହି ନିୟମ ବଳବତ୍ତର ରହିଲେ ବିସିସିଆଇର ଏବେକାର ସଭାପତି ସୌରଭ ଗାଙ୍ଗୁଲି ଏବଂ ସଂପାଦକ ଜୟ ଶାହଙ୍କୁ ନିଜ ନିଜ ପଦ ଛାଡ଼ିବାକୁ ହେବ। କିନ୍ତୁ ଆଜି ସୁପ୍ରିମକୋର୍ଟ ଏହାକୁ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି | ବିସିସିଆଇ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଜଷ୍ଟିସ୍ ଡି ଚନ୍ଦ୍ରଚୁଡ଼ ଏବଂ ହିମା କୋହଲିଙ୍କ ଖଣ୍ଡପୀଠକୁ କହିଥିଲେ ଯେ ଦେଶରେ କ୍ରିକେଟ୍ ଖେଳ ବ୍ୟବସ୍ଥିତ ଢଙ୍ଗରେ ଚାଲୁଥିବାବେଳେ ବିସିସିଆଇ ଏକ ସ୍ୱୟଂଶାସିତ ସଂସ୍ଥା ଏବଂ କ୍ରିକେଟ୍ ପରିଚାଳନା ସଂସ୍ଥାର ବାର୍ଷିକ ସାଧାରଣ ସଭାରେ (ଏଜିଏମ୍) ସମସ୍ତ ପରିବର୍ତ୍ତନ ଉପରେ ବିଚାର କରାଯାଇଥିଲା।

Leave A Reply

Your email address will not be published.