ପିଡିଏସ୍ ସବସେଣ୍ଟରରୁ ଖୋଲାଖୋଲି ଭାବେ କିଣାଯାଉଛି ଚାଉଳ ଓ ମାଣ୍ଡିଆ

ପଡିଆ: ମାଲକାନଗିରି ଜିଲ୍ଲା ପଡିଆ ବ୍ଳକ ଶିମିଳିବାଞ୍ଛା ପଞ୍ଚାୟତରେ ପିଡିଏସ୍ ଚାଉଳ ବେଆଇନ ଭାବେ କିଣାବିକାର ଚିତ୍ର ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ସୂଚନା ମୁତାବକ ଆଜି ଶିମିଳିବାଞ୍ଛା ପଞ୍ଚାୟତ ଅନ୍ତର୍ଗତ ଏମପିଭି ୬୧ ଗ୍ରାମରେ ଥିବା ସ୍କୁଲ ବାରଣ୍ଡାରେ ପଞ୍ଚାୟତ ପକ୍ଷରୁ ପିଡିଏସ୍ ଚାଉଳ ଦିଆଯାଉଥିବା ବେଳେ ଏଠାରେ ଖୋଲାଖୋଲି ଭାବେ ଚାଉଳ କିଣାଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳ ଅରୁଣ କିର୍ତାନୀୟI ସମେତ ଅନ୍ୟ କିଛି ଚାଉଳ ବ୍ୟବସାୟୀ ଖୋଲାଖୋଲି ଭାବେ ଏହି ସବସେଣ୍ଟରକୁ ଆସି ଲୋକଙ୍କୁ କେଜି ପିଛା ୧୨ ରୁ ୧୪ ଟଙ୍କା ଲେଖାଏଁ ଦେଇ କିଣୁଥିବା ଜଣାପଡିଛି। କିଛି ଲୋକ ଏହି ଚାଉଳ ବିକ୍ରି କରିବାକୁ ଚାହୁଁନଥିଲେ ମଧ୍ୟ ଅତ୍ୟଧିକ ଟଙ୍କାର ପ୍ରଲୋଭନ ଦେଖାଇ ଗରିବ ଲୋକଙ୍କ ଠାରୁ ଏହି ଚାଉଳ କିଣା ଯାଉଥିବା ଜଣାପଡିଛି । ସରକାରଙ୍କ ପକ୍ଷରୁ ମାଣ୍ଡିଆ ଦିଆଯାଉଥିବା ବେଳେ ଏହି ମାଣ୍ଡିଆର ଉପକାରିତା ବାବଦରେ ଲୋକେ ଅବଗତ ନଥିବାରୁ ଏହାକୁ ଅତି ସହଜରେ ବ୍ୟବସାୟୀମାନେ କିଣି ନେଉଛନ୍ତି। ସବୁଠାରୁ ବିଡମ୍ବନାର କଥା ହେଲା ଚାଉଳ ବଣ୍ଟନ କେନ୍ଦ୍ରରେ ଚାଉଳ ଦିଆଯାଉଥିବା ବେଳେ ଖୋଲାଖୋଲି ଭାବେ ଏଭଳି କିଣାବିକା ଚାଲିବା ସହ ପିଡିଏସ୍ ବସ୍ତା ପରିବର୍ତ୍ତନ କରି ଏକ ଧଳା ବସ୍ତାରେ ଚାଉଳ ଭର୍ତି କରି ବ୍ୟବସାୟୀମାନେ ଅନ୍ୟତ୍ର ସ୍ଥାନାନ୍ତରଣ କରୁଛନ୍ତି । ଏ ବାବଦରେ ସ୍ତାନୀୟ ଯୋଗାଣ ସହାୟକଙ୍କ ସହ ଯୋଗାଯୋଗ କରାଯାଇଥିବା ବେଳେ ସେ ଉକ୍ତ ସବ୍ ସେଣ୍ଟରରେ ଚାଉଳ ଦିଆଯିବା ପରେ ସେଣ୍ଟର ବାହାରେ ଏଭଳି ହୋଇଥାଇପାରେ ବୋଲି କହିଛନ୍ତି। ଏପରି ସ୍ଥିତିରେ ଚାଉଳ ବଣ୍ଟନ କେନ୍ଦ୍ରରେ ଚାଲିଥିବା ଏଭଳି କିଣାବିକା ପ୍ରତି ଦୃଷ୍ଟି ଦେଇ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Leave A Reply

Your email address will not be published.