xmas

ଲସ୍ତଲା ନୋଡାଲ ହାଇସ୍କୁଲରେ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼: ବରଗଡ଼ ଜିଲ୍ଲା ଅତାବିରା ବ୍ଳକ ଅନ୍ତର୍ଗତ ଲସ୍ତଲା ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ମାନଙ୍କ ଦ୍ୱାରା ବିଦ୍ୟାଳୟର ବିଜ୍ଞାନ ଉପରେ ସଫଳତାକୁ ନେଇ ପତ୍ରିକା ସମେତ ପ୍ରାଚୀର ଦର୍ପଣ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୋପୀନାଥ ବିଶ୍ୱାଳ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଜ୍ଞାନ ଶିକ୍ଷକ ବୈଲୋଚନ ପଧାନ । ସତ୍ୟରୁ ଅସତ୍ୟ, ଅନ୍ଧାରରୁ ଆଲୋକ ଓ ବିଷରୁ ଅମୃତ ଆଡକୁ ଯିଏ ପଥ ପ୍ରଦର୍ଶନ କରିଥାଏ ତାହା ହିଁ ହେଉଛି ବିଜ୍ଞାନ । ସତ୍ୟର ଉନ୍ମୋଚନ କରିପାରୁଥିବାରୁ ବିଜ୍ଞାନର ଏହି ଚମତ୍କାରିତାରେ ଆଧୁନିକ ମାନବ ମନ୍ତ୍ରମୁଗ୍ଧ । ଏହି ବିଜ୍ଞାନ ଯୋଗୁଁ ହିଁ ଆଜି ପ୍ରତିଟି କ୍ଷେତ୍ର ଉନ୍ନତ ଓ ସୁସଙ୍ଗଠିତ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଏହି ବୈଜ୍ଞାନିକ ଚିନ୍ତାଧାରା ଓ ଚେତନାକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିକଶିତ କରିବା ପାଇଁ ବିଜ୍ଞାନ ଧର୍ମୀ ପତ୍ରିକା ” ଦ ରିଫ୍ରେକ୍ସନ” ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସେହିପରି ବିଜ୍ଞାନଗାର ପ୍ରାକ୍ଟିକାଲକୁ ନେଇ “ଦ କନକ୍ଲୋଜନ”, ବର୍ଷ ତମାମ ବିଜ୍ଞାନ ଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତ “ଦ ସୁଇଟ ମୁମେଣ୍ଟ” ଓ ୨୦୧୪ରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ଓ ଜାତୀୟସ୍ତରରେ ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସଫଳତାକୁ ନେଇ ପ୍ରସ୍ତୁତ ” ଦ ସକ୍ସେସ ମିରର” କୁ ମଧ୍ୟ ଉଦଘାଟନ କରାଯାଇଛି । ଉକ୍ତ ଉତ୍ସବରେ ଅତାବିରା ବ୍ଲକ ଶିକ୍ଷା ଅଧିକାରୀ ମଛିନ୍ଦ୍ର ମଲ୍ଲିକ ମୁଖ୍ୟଅତିଥି ବିଜ୍ଞାନ ଶିକ୍ଷକ ଧର୍ମରାଜ ପଧାନ ମୁଖ୍ୟବକ୍ତା ଓ ଏବିଇଓ କାର୍ତିକ ବାଗ ତଥା ତପନ ସାର ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଞ୍ଚ ଦୀପକ ପଧାନ, ସ୍କୁଲ ପରିଚାଳନା କମିଟିର ସଭାପତି ବିବେକାନନ୍ଦ ବାଗ ଯୋଗଦାନ କରିଥିଲେ । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ଶିକ୍ଷକ ଦେବାନନ୍ଦ ଭୋଇ ।

Leave A Reply

Your email address will not be published.