xmas

ପୂର୍ବତନ ଉପ ବାଚସ୍ପତି ସ୍ୱର୍ଗତ ଶ୍ରୀ ପ୍ରହଲ୍ଲାଦ ଦୋରାଙ୍କ ଜନ୍ମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି

ମାଲକାନଗିରି : ୧୮/୦୯/୨୨ ପ୍ରହଲ୍ଲାଦ ଦୋରା ଓଡିଶା ବିଧାନସଭାର ଉପ ବାଚସ୍ପତି ପଦବୀ ମଣ୍ତନ କରିଥିବା ପ୍ରଥମ ଆଦିବାସୀ ଜନଜାତି ଭୂମିଆ ସମ୍ପ୍ରଦାୟର ବ୍ୟକ୍ତି ଥିଲେ । ‌୧୯୪୬ ମସିହା ସେପ୍ଟେମ୍ବର ୧୮ ତାରିଖ ମାଲକାନଗିରି ଜିଲ୍ଲାର ପାଙ୍ଗାମ ଠାରେ ଜନ୍ମଗ୍ରହଣ କରିଥିଲେ । ୧୯୬୫ ମସିହାରେ କୃତିତ୍ୱର ସହ ମାଟ୍ରିକ୍ୟୁଲେସନ ପାସ୍ କରିଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ । ସେ ମାଲକାନଗିରି ଜିଲ୍ଲାର ମାଟ୍ରିକ୍ୟୁଲେଟ, ଗ୍ରାଜୁଏଟ ତଥା ଆଇନ ଡିଗ୍ରୀ ହାସଲ କରିଥିବା ପ୍ରଥମ ମୂଳ ନିବାସୀ । ୧୯୭୦ ମସିହାରେ ନବରଙ୍ଗପୁର ଜିଲ୍ଲାର ପୂର୍ବତନ ବିଧାୟକ ସ୍ୱର୍ଗତଃ ମୁଦି ନାୟକଙ୍କ ଉଚ୍ଚ ଶିକ୍ଷିତା ଜ୍ୟେଷ୍ଠା କନ୍ୟାଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ତାଙ୍କ ସହଧର୍ମିଣୀ ମଧ୍ୟ ଜଣେ ଶିକ୍ଷାବିତ୍, ସମାଜସେବୀ ଓ ପରୋପକାରୀ ମହିଳା ଭାବରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ସୁନାମ ଅର୍ଜନ କରିପାରିଥିଲେ । ତାଙ୍କର ରାଜନୈତିକ ଗୁରୁ ତଥା ପ୍ରଥମ ରାଜନୈତିକ ଦିଗଦର୍ଶକ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନିତୀରେ ଯୋଗ ଦେଇ ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଓଡିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ଦୁଇ ଦୁଇ ଥର ଓଡିଶା ବିଧାନସଭାର ଉପ ବାଚସ୍ପତି ହୋଇଥିଲେ । ୩୧.୦୩.୨୦୦୮ ରୁ ୧୯.୦୮.୨୦୦୮ ପର୍ଯ୍ୟନ୍ତ ଥରେ କାର୍ଯ୍ୟକାରୀ ବାଚସ୍ପତି ଭାବରେ ମଧ୍ୟ ଦାୟୀତ୍ୱ ତୁଲାଇଥିଲେ । ନିରପେକ୍ଷ ଢଙ୍ଗରେ ଗୃହ ପରିଚାଳନା କରି କାର୍ଯ୍ୟକାରୀ ବାଚସ୍ପତି ଓ ଉପ ବାଚସ୍ପତି ପଦର ମର୍ଯ୍ୟାଦା ବୃଦ୍ଧି କରିପାରିଥିଲେ । ସେ ମାଲକାନଗିରି ଜିଲ୍ଲାର ପ୍ରଥମ ମୂଳ ନିବାସୀ ଭାବରେ ଗ୍ରେଟ ବ୍ରିଟେନ (ବିଲାତ), ପ୍ୟାରିସ, ଜାପାନ, ମାଲେସିଆ, ଶ୍ରୀଲଙ୍କା, ନେପାଳ, ବାଂଲାଦେଶ ଇତ୍ୟାଦି ଦେଶକୁ ଯାତ୍ରା କରିଥିଲେ । ସେ ଶିକ୍ଷାକୁ ବହୁତ ଗୁରୁତ୍ୱ ଦେଉଥିଲେ । ସେ କହୁଥିଲେ ଜଣେ ସୁ-ନାଗରିକ ହେବାକୁ ହେଲେ ପ୍ରଥମ କର୍ତ୍ତବ୍ୟ ଶିକ୍ଷା ଗ୍ରହଣ କରିବା । ତାଙ୍କ ଭାଷାରେ ଶିକ୍ଷା ହେଉଛି ଜଣେ ବ୍ୟକ୍ତି ପାଇଁ ଅମ୍ଳଜାନ ସଦୃଶ ଯାହା ବିନା ବଞ୍ଚିପାରିବା ଅସମ୍ଭବ । ସେଥିପାଇଁ ସେ ମାଲକାନଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଠାରେ ନିଜର ରାଜନୈତିକ ଗୁରୁ ସ୍ୱର୍ଗତଃ ବିଜୁ ପଟ୍ଟାନାୟକଙ୍କ ନାମରେ ଏକ କଲେଜ ପ୍ରତିଷ୍ଠାନ କରିଛନ୍ତି ତତ୍ ସଙ୍ଗେସଙ୍ଗେ ନିଜ ଜନ୍ମସ୍ଥାନ ପାଙ୍ଗାମ ଠାରେ ନିଜ ବଡ ବାପା ଓ ବାପାଙ୍କ ନାମରେ ଏକ ହାଇସ୍କୁଲ ପ୍ରତିଷ୍ଠା କରିଛନ୍ତି । ସେ ଏତେ ପୁସ୍ତକ ପ୍ରିୟ ଥିଲେ ଯେ ତାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସବୁବେଳେ ତାଙ୍କ ପାଖରେ ଭାରତ ସମ୍ବିଧାନ ଏବଂ ଆଧ୍ୟାତ୍ମିକ (ଇଶ୍ୱରିୟ ବ୍ରହ୍ମକୁମାରୀ) ପୁସ୍ତକ ରଖୁଥିଲେ ।ବିଜୁ ବାବୁଙ୍କ ସରକାର ସମୟରେ ୧୩ ଜିଲ୍ଲାରୁ ୩୦ ଜିଲ୍ଲା ଗଠନ ହେବାବେଳେ ମାଲକାନଗିରି ଜିଲ୍ଲା ଗଠନରେ ଶ୍ରୀ ଦୋରାଙ୍କ ପ୍ରତ୍ୟକ୍ଷ ଭୂମିକା ରହିଥିଲା । ସେ ଜଣେ ବରିଷ୍ଠ ଆଇନଜିବୀ, ରାଜନୈତିଜ୍ଞ, ସୁ-ବକ୍ତା, ସ୍ତମ୍ଭକାର, ଶ୍ରମିକ ନେତା,ସମାଜ ସଂସ୍କାରକ,ଶିକ୍ଷାବିତ୍,କୋ-ଅପରେଟିଓବିତ୍,ଲେଖକ, ଆଧ୍ୟାତ୍ମିକବାଦୀ, ଧର୍ମ ନିରପେକ୍ଷବାଦୀ ତଥା ସର୍ବ ଜନପ୍ରିୟ ବରିଷ୍ଠ ସୁନାଗରିକ ଥିଲେ । ୨୦୨୧ ଅକ୍ଟୋବର ୨୦ରେ ପ୍ରହଲ୍ଲାଦ ଦୋରାଙ୍କ ପରଲୋକ ହୋଇଥିଲା । ନିଜର ଜନ୍ମମାଟିରେ ଓଡିଶା ସରକାରଙ୍କ ଦ୍ୱାରା ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଶେଷକୃତ୍ୟ ସମ୍ପାଦନ କରାଯାଇଥିଲା ।

Leave A Reply

Your email address will not be published.