ବାରିପଦାରେ ଗୁରୁ ଲାକବଦ୍ରାଙ୍କ ୧୦୩ତମ ଜନ୍ମ ଦିବସ ପାଳିତ

ବାରିପଦା,୧୯/୦୯/୨୦୨୨ ୱାରାଙ୍ଗ ଚିତି ଲିପିର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ଲାକବଦ୍ରାଙ୍କ ୧୦୩ ତମ ଜୟନ୍ତୀ ସ୍ଥାନୀୟ ଷ୍ଟେସନ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଜ୍ୟ ହୋ ମହାସଂଘର ପ୍ରତ୍ୟକ୍ଷ ଉଦ୍ୟମ ଏବଂ ପରିଚାଳନାରେ ଅନୁଷ୍ଠିତ ଏହି ଉତ୍ସବରେ ବିଭିନ୍ନ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗ ଦେଇ ଗୁରୁ ଲାକବଦ୍ରାଙ୍କର ସ୍ମୃତିଚାରଣ କରିଥିଲେ। ମୁଖ୍ୟ ଅତିଥି ଭାବେ ମାନ୍ୟବର ମହିଳା ଓ ଶିଶୁବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଯୋଗଦେଇ ଲାକବଦ୍ରାଙ୍କ ୱାରାଙ୍ଗ ଚିତି ଲିପି ଏବଂ ହୋ ଭାଷାଭାଷି ଲୋକମାନଙ୍କର ସଂସ୍କୃତି ଓ ପରମ୍ପରା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଠ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡି ଆଦିବାସୀ ସଂସ୍କୃତିରେ ହୋ ସମ୍ପ୍ରଦାୟର ଉତ୍କୃଷ୍ଟତା ବିଷୟରେ ବର୍ଣ୍ଣନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି , ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ, ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାରତୀ ହାଁସଦା, ପୂର୍ବତନ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡ଼ାଃ ଦେବାଶିଷ ମାରାଣ୍ଡି, ୨୫ ନମ୍ବର ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ଯୁବନେତା କୃଷ୍ଣଚନ୍ଦ୍ର ଦାସ, ହୋ ଭାଷା କମିଟି ରାଷ୍ଟ୍ରୀୟ ସଭାପତି ବସନ୍ତ ବୁରୀଉଲି, ଜିଲ୍ଲା ହୋ ମହାସଂଘ ସମ୍ପାଦକ ବାଗୁନ ଶୁଣ୍ଢି , ଜିଲ୍ଲାପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ ,ପୁତୁଲ ହାଇବୁରୁ, ମିନତୀ ତିରିୟା, ପାର୍ବତୀ ପୁର୍ତ୍ତି, ଲଳିତା ମୁଣ୍ଡିଆ, ନାରୀନେତ୍ରୀ ପାର୍ବତୀ ବିରୁଆ ପ୍ରମୁଖ ଯୋଗଦେଇ ତାଙ୍କର ବହୁମୂଲ୍ୟ ବକ୍ତବ୍ୟ ରଖିଥିଲେ। ରାଜ୍ୟ ହୋ ମହାସଂଘ ସଭାପତି ମଟକା ବିରୁଆଙ୍କ ଅଧ୍ୟକ୍ଷତାରେ ଏବଂ ରାଜ୍ୟ କମିଟି ସମ୍ପାଦକ ସମୟ ପୁର୍ତ୍ତିଙ୍କର ସଂଯୋଜନାରେ ଏହି ଉତ୍ସବରେ ପ୍ରବଳ ବର୍ଷା ସତ୍ତ୍ୱେ ହଜାର ହଜାର ହୋ ଭାଷାଭାଷୀ ଲୋକ ଯୋଗଦେଇଥିଲେ। ସଭା ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

Leave A Reply

Your email address will not be published.