ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁକୁ ନେଇ କମିଶନରେଟ ପୁଲିସକୁ ଦାବିପତ୍ର ଦେଲା ବିଜେପି

ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବ : ପ୍ରଭାତୀ ପରିଡା
ଭୁବନେଶ୍ୱର, ତା.୨୬/୦୯: ପୁରୀ ଜିଲ୍ଲା ଗୋପ ବ୍ଲକ ୧୧ନଂ ଜିଲ୍ଲା ପରିଷଦ ଜୋନ ସଭ୍ୟ ତଥା ବିଜୁ ଜନତା ଦଳର ନେତା ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ଏବଂ ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଂଜନ ଦାଶଙ୍କ ପ୍ରମୁଖ ଭୂମିକା ରହିଥିବାର ଅଭିଯୋଗ ହେଉଥିବା କାରଣରୁ ଘଟଣାର ଉପଯୁକ୍ତ ତଦନ୍ତ ନିହାତି ଆବଶ୍ୟକ । ନଚେତ୍ କ୍ଷମତାର ଅପବ୍ୟବହାର କରାଯାଇ ତଦନ୍ତକୁ ବିଭ୍ରାନ୍ତ କରାଯିବାର ଆଶଙ୍କା ମଧ୍ୟ ପ୍ରକାଶ ପାଉଛି । ଏହି କାରଣରୁ ଘଟଣାର ନିରପେକ୍ଷ ତଦନ୍ତ କରାଗଲେ ଅନେକ ତଥ୍ୟ ସାମ୍ନାକୁ ଆସିବା ସହିତ ଜଣେ ନବନିର୍ବାଚତ ଜନପ୍ରତିନିଧିଙ୍କୁ ପ୍ରକୃତ ନ୍ୟାୟ ମିଳିପାରିବ । ବିଜେପି ରାଜ୍ୟ ଉପସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ପୋଲିସ କମିଶନରଙ୍କୁ ଭେଟି ନିରପେକ୍ଷ ତଦନ୍ତ ପାଇଁ ଅନୁରୋଧ କରିଛନ୍ତି ।

ଗତ ପଞ୍ଚାୟତ ନିର୍ବାଚନରେ ସ୍ୱର୍ଗତଃ ସାହୁଙ୍କୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜେଡି ଟିକେଟ୍ ଦେଇଥିଲେ ମନ୍ତ୍ରୀ ଶ୍ରୀ ଦାଶ । ଏପରିକି ବିଜୁ ଜନତା ଦଳର ପର୍ଯ୍ୟବେକ୍ଷକ ଓ ପ୍ରଭାରୀ ପଦରେ ରଖିବା ସହ ଦଳର ବୈଠକ ଓ ସାମାଜିକ କାର୍ଯ୍ୟକ୍ରମରେ ଦୁହେଁ ଯୋଗ ଦେଉଥିଲେ । ନିଜ ମୃତ୍ୟୁ ପୂର୍ବରୁ ସ୍ୱର୍ଗତଃ ସାହୁ ଏକ ଭିଡିଓ ବାର୍ତା ଜରିଆରେ ରାଜନୈତିକ ବିବାଦ ହିଁ ପାରିବାରିକ କଳହର ମୁଖ୍ୟ କାରଣ ବୋଲି କହିଛନ୍ତି । ଜଣେ ରାଜନୈତିକ ବ୍ୟକ୍ତି ହୋଇନଥିବା ସତ୍ୱେ ତାଙ୍କୁ କାହିଁକି ଏବଂ କାହା ସ୍ୱାର୍ଥରେ ବିଜେଡି ଟିକେଟ ଦିଆଯାଇଥିଲା ବୋଲି ସ୍ୱର୍ଗତଃ ସାହୁଙ୍କ ଶ୍ୱଶୁର ମଧ୍ୟ ପ୍ରଶ୍ନ କରିଛନ୍ତି । ଫେସବୁକ ପୋଷ୍ଟକୁ ମୃତ୍ୟୁ ପରେ କିଏ ଏବଂ କେଉଁ ଉଦ୍ଦେଶ୍ୟରେ ହଟାଯାଇଛି ବୋଲି ପ୍ରଶ୍ନ କରିବା ସହିତ ଏହି ଘଟଣାରେ ମନ୍ତ୍ରୀ ଶ୍ରୀ ଦାଶଙ୍କ ସଂପୃକ୍ତି ସ୍ପଷ୍ଟ ହୋଇଛି ବୋଲି ଶ୍ରୀମତୀ ପରିଡା ଅଭିଯୋଗ କରିଛନ୍ତି ।

ଏହି ପ୍ରତିନିଧି ଦଳରେ ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଓ ଦିଲ୍ଲୀପ ନାୟକ ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.