xmas

ଏୟାରଫୋର୍ସ ଡେରେ ବାୟୁ ବୀର କଲେ ଶୌର୍ଯ୍ୟ ପ୍ରଦର୍ଶନ, ରାଫେଲର କୌଶଳ ଦେଖି ତାଜ୍ଜୁବ ହେଲେ ଲୋକେ

ଚଣ୍ଡିଗଡ଼ ୮।୧୦: ଏୟାରଫୋର୍ସ ଡେ-୨୦୨୨ ଅବସରରେ ଚଣ୍ଡିଗଡ଼ରେ ବାୟୁସେନା ଜବାନମାନେ ସେମାନଙ୍କ ଶୌର୍ଯ୍ୟ ପ୍ରଦର୍ଶନ କରିଛନ୍ତି। କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁଖନା ହ୍ରଦ ପରିସରରେ ଫ୍ଲାଇ-ପାଷ୍ଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଷ୍ଟ୍ରପତି ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଇଲେକ୍ଟ୍ରିକ କାର ଯୋଗେ ସୁଖନା ହ୍ରଦ ପରିସରସ୍ଥିତ କାର୍ଯ୍ୟକ୍ରମ ସ୍ଥଳକୁ ପହଞ୍ଚିଥିଲେ। ପରେ ବାୟୁସେନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଥମେ ଆକାଶଗଙ୍ଗା ଜବାନଙ୍କ ପାରସୁଟ୍ ଜମ୍ପ ପ୍ରଦର୍ଶିତ ହୋଇଥିଲା। ହଜାର ହଜାର ଫୁଟ ଉପରୁ ଜବାନମାନେ ବିମାନରୁ ଲମ୍ପ ପ୍ରଦାନ କରି ପାରାସୁଟ୍ ଯୋଗେ ଅବତରଣ କରିଥିଲେ। ଏହି କାର୍ଯ୍ୟକ୍ରମ ସହ ଏକ ଏମଆଇ-ଭି୫ ହେଲିକପ୍ଟ ହ୍ରଦ ନିକଟକୁ ଆସିଥିଲା। ଏଥିରେ ଏକ ବକେଟ୍ ଲାଗିଥିଲା। ବନାଗ୍ନି କାଳରେ ଜଙ୍ଗଲ ନିଆଁ ଲିଭାଇବାର କୌଶଳ ପ୍ରଦର୍ଶନ କରିଥିଲା।

ପରେ ବାୟୁସେନାର ଏମଆଇ ଭି୫ ହେଲିକପ୍ଟର ପତାକା ସହ ଉଡାଣ କରିଥିଲେ। ୩ଟି ହେଲିକପ୍ଟରରୁ ଗୋଟିକରେ ଜାତୀୟ ପତାକା ଲଗାଯାଇଥିବା ବେଳେ ଅନ୍ୟ ଦୁଇଟିରେ ବାୟୁସେନା ପତାକା ଲାଗିଥିଲା। ନିକଟରେ ବାୟୁସେନାରେ ସାମିଲ ହୋଇଥିବା ହାଲୁକା ଲଢୁଆ ଯୁଦ୍ଧ ହେଲିକପ୍ଟର ଏଲସିଏଚ୍ ‘ପ୍ରଚଣ୍ଡ’ ତାର ପରାକାଷ୍ଠା ପ୍ରଦର୍ଶନ କରିଥିଲା। ଏହା ପରେ ଏକଲବ୍ୟ ଫର୍ମେସନ ହୋଇଥିଲା। ଯେଉଁଥିରେ ବାୟୁସେନାର ଯୁଦ୍ଧ ହେଲିକପ୍ଟର ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଦୁଇଟି ଚିନୁକ ହେଲିକପ୍ଟର ତୋପ ନେଇ ପହଞ୍ଚିଥିଲେ।

ପରେ ଫ୍ଲାଇପାଷ୍ଟ ଅନୁଷ୍ଠିତ ହୋଇଥିଲା। ଏଥିରେ ବାୟୁସେନାର ଭିଣ୍ଟେଜ ବିମାନ ଡାକୋଟା ଉଡାଣ କରିଥିଲା। ଏହାସହ ଆଇଏଲ-୭୬, ଏଏନ-୩୨ ଭଳି ପରିବହନ ବିମାନ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହା ପରେ ସୁପର ହରକ୍ୟୁଲସ ବିମାନ ସହିତ ୪ଟି ସୁଖୋଇ ଏମକେଆଇ-୩୦ ଉଡାଣ କରିଥିଲେ। ବାୟୁସେନା ନେତ୍ର ଫର୍ମେସନ କରିଥିଲେ। ଏଥିରେ ଏକ ଆୱାକସ୍‌ ବିମାନ ସହିତ ୪ ସୁଖୋଇ ଓ ମିଗ-୨୯ ବିମାନ କୌଶଳ ପ୍ରଦର୍ଶନ କରିଥିଲେ। ଏଥିରେ ମିଗ୍-୨୧ ବାଇସନ ବିମାନ ମଧ୍ୟ ଫ୍ଲାଇପାଷ୍ଟରେ ଅଂଶଗ୍ରହଣ କରିଥିଲା। ଏହା ସହିତ ମିଗ୍-୨୯ ବିମାନ ମଧ୍ୟ ଉଡୁଥିଲେ।

କାର୍ଯ୍ୟକ୍ରମରେ ଜାଗୁଆର ବିମାନମାନେ ସମସେର ଫର୍ମେସନ କରିଥିଲେ। ଏହା ପରେ ହୋଇଥିବା ବଜ୍ର ଫର୍ମେସନରେ ରାଫେଲ ଓ ମିରେଜ ୨୦୦୦ ବିମାନ ଉଡାଣ କରିଥିଲେ। ଏଥିରେ ୩ଟି ସୁଖୋଇ ତ୍ରିଶୁଳ ଫର୍ମେସନ କରିଥିଲେ। ବାୟୁସେନାର ସୂର୍ଯ୍ୟକିରଣ ଟିମ୍‌ ମଧ୍ୟ କାର୍ଯ୍ୟକ୍ରମରେ ସେମାନଙ୍କ କୌଶଳ ପ୍ରଦର୍ଶନ କରିଥିଲେ।

Leave A Reply

Your email address will not be published.