ବାଲ୍ୟ ବିବାହ କୁ ନା ପାଠ ପଡ଼ିବା କୁ ହଁ, ଦିଲ୍ଲୀରେ ଆଲୋଚନା ଚକ୍ରରେ ଭାଗ ନେଇ ଫେରିଲେ ସୁପ୍ରଭା

ଫୁଲବାଣୀ, ୧୫/୧୦: ବିଶ୍ୱ ଶିଶୁକନ୍ୟା ଦିବସରେ ଦିଲ୍ଲୀ ବିଜ୍ଞାନ ଭବନରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଭାଗ ନେବା ପାଇଁ ଡାକରା ପାଇ ଯାଇଥିବା କନ୍ଧମାଳ କେଲପଡା ଗ୍ରାମର ସୁପ୍ରଭା ବେହେରା ଫେରିଛନ୍ତି l ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଏକ ସେମିନାରରେ ଅଂଶଗ୍ରହଣ କରିଥିଲେ ସେ । ସୁପ୍ରଭା ବାଲ୍ୟ ବିବାହ ନିରୋଧ ଓ କିଶୋରୀ ବାଳିକା ଅଧିକାର ନେଇ ଜିଲାରେ ସଚେତନତା ସୃଷ୍ଟିକରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ଫଳରେ କେନ୍ଦ୍ର ସରକାରଙ୍କ ନିମନ୍ତ୍ରଣ କ୍ରମେ ସୁପ୍ରଭା ବାପା ଉଦୟ ବେହେରାଙ୍କ ସହ ଦିଲ୍ଲୀ ଗସ୍ତ କରିଥିଲେ । କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ଦୁର୍ଗମ ଅଞ୍ଚଳର ଏକ ଗରିବ ମୁଲିଆ ପରିବାରର ଝିଅ ସୁପ୍ରଭା ଦିଲ୍ଲୀ ଯାଇ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ଭେଟିବା ପରେ ନିଜକୁ ଗର୍ବିତ ମନେ କରିବା ସହ ଆଗକୁ ଏ ଦିଗରେ କାର୍ଯ୍ୟ କରିବାକୁ ପ୍ରେରଣା ମିଳିଥିବା ସୁପ୍ରଭା କହିଛନ୍ତି l ଏଥି ସହ ଆଲୋଚନା ବେଶ ସକାରାତ୍ମକ ଥିଲା ବୋଲି କହିଛନ୍ତି ସୁପ୍ରଭା l ସୁପ୍ରଭାଙ୍କୁ ଏବେ ସବୁ ଆଡୁ ପ୍ରଶଂସାର ସୁଅ ଛୁଟିଛି l

Leave A Reply

Your email address will not be published.