ଅନ୍ଵେଷା ଛାତ୍ର ମୃତ୍ଯୁ ଘଟଣାରେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ହେବ

ଫୁଲବାଣୀ, ୧୭/୧୦: ଅନ୍ଵେଷା ହଷ୍ଟେଲ ଛାତ୍ର ମୃତ୍ଯୁ ଘଟଣାର ତଦନ୍ତ ଚାଲିଛି, ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲା ଗ୍ରମମଙ୍ଗଳ ଅଧିକାରୀ ସିମାଞ୍ଚଳ ବେହେରା ସୂଚନା ଦେଇଛନ୍ତି l ତେବେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବ ତାହା ଆଗକୁ ଜଣାପଡିବ l ପୁଅ ମୋର ଇଂରାଜୀ ମାଧ୍ୟମ ସ୍କୁଲରେ ପାଠ ପଢିବ, ବଡ଼ ଚାକିରୀ କରିବ, ଭଲ ମଣିଷ ଟିଏ ହେବ, ଆଉ ପରିଣତ ବୟସରେ ବାପା ମାକୁ ପୋଶିବ ଭାବି ଘର ଠାରୁ ସୁଦୂର ଦେଢ଼ଶହ କିଲୋମିଟର ଦୂରରୁ ପୁଅକୁ ଢ଼େର ବୁଝାସୁଝା କରି ଆଣି ଫୁଲବାଣୀ ସହରରେ ଥିବା ଅନ୍ଵେଷା ଆବାସିକ ବିଦ୍ୟାଳୟରେ ସୁମନଜିତର ନାମ ଲେଖାଇଥିଲେ ବାପା l ହେଲେ ଶେଷରେ ପୁଅର ମଲା ମୁହଂ ଦେଖିବାକୁ ପଡ଼ିଲା ବୋଲି କୋହଭରା ସ୍ୱରରେ ବାପା ସୁକାନ୍ତ ବଲିଆର ସିଂ କହିଛନ୍ତି l ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷକ, ମେଟ୍ରୋନ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ପୁଅର ମୃତ୍ଯୁ ଘଟିଲା ବୋଲି ଅଭିଯୋଗ ଆଣିଛନ୍ତି ଦୁର୍ଗମ କୋଟଗଡ଼ ବ୍ଲକ ଅନ୍ତର୍ଗତ ଓ ରା ପଞ୍ଚାୟତର ସିନ୍ଧିଗୁଡା ଗ୍ରାମର ମୃତ ସୁମନ ଜିତ ବଳିୟାରସିଂର ବାପା ସୁକାନ୍ତ ବଳିୟାରସିଂ ଅଭିଯୋଗ କରିଛନ୍ତି l ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟlନୁଷ୍ଠାନ ଗ୍ରହଣ କରିବାକୁ ସୁକାନ୍ତ ଦାବୀ କରିଛନ୍ତି l ଅନ୍ୟ ପକ୍ଷରେ ଜିଲ୍ଲାପାଳ ଏହି ଘଟଣାର ତଦନ୍ତ ଆଦେଶ ଦେଇଛନ୍ତି l ଉପ ଜିଲ୍ଲାପାଳ ଏହାର ତଦନ୍ତ କରୁଛନ୍ତି l ତଦନ୍ତ ରିପୋର୍ଟ ପରେ କାର୍ଯ୍ୟନୁଷ୍ଠାନ ହେବ ବୋଲି ଜଣାପଡ଼ିଛି l ତେବେ ଏହି ଘଟଣାରେ ଦାୟିତ୍ୱରେ ଥିବା ଶିକ୍ଷକଙ୍କୁ ନିଲମ୍ବିତ କରିବା ସହ ଦାୟିତ୍ୱରୁ ହଟାଇବା ସାଙ୍ଗକୁ ଅନ୍ୟ କେତକଙ୍କୁ ବହିଷ୍କୃତ ମଧ୍ୟ କରାଯିବା ନେଇ ଶୁଣାଯାଉଛି l ସେହିପରି ଟିକାବାଲି ଅନ୍ଵେଷା ଆବାସିକ ହଷ୍ଟେଲରେ ପୂର୍ବରୁ ଜଣେ ଛାତ୍ରର ମୃତ୍ଯୁ ହୋଇଥିଲା l ରଙ୍ଗପାରୁ ହଷ୍ଟେଲରେ ନାବାଳିକା ଛାତ୍ରୀ ସନ୍ତାନ ପ୍ରସବ ଓ ପରେ ଉଭୟ ମା ଓ ଶିଶୁର ମୃତ୍ଯୁ ଘଟଣା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା l ସେହିପରି କିଛି ବର୍ଷ ତଳେ ଲିଙ୍ଗାଗଡ଼ ଓ ଦାରିଙ୍ଗବାଡି ବାଳିକା ହଷ୍ଟେଲରେ ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା l ଏଣୁ ଦୁର୍ନିତୀ ଓ ଅନିୟମିତତା ରୋକିବା ସହ ସୁପରିଚାଳନା ପାଇଁ ଜିଲାରେ ଚାଲିଥିବା ହଷ୍ଟେଲ ଗୁଡିକର ଦାୟିତ୍ୱରେ ଥିବା ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ବର୍ଷେ କି ଦୁଇବର୍ଷ ମଧ୍ୟରେ ହଟାଇ ନୂତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଦାୟିତ୍ୱ ଦେବା ଜରୁରୀ ବୋଲି ଅଭିଭାବକ ମାନେ ମତ ଦେଇଛନ୍ତି l ନହେଲେ ଏହି ଶିକ୍ଷକମାନେ ଦୁର୍ନିତୀରେ ବୁଡି ପାଠ ଭୁଲିଗଲେଣି କୁଆଡେ ବୋଲି ଶୁଣିବାକୁ ମିଳୁଛି l ଜିଲ୍ଲାରେ ବହୁ ଆବାସିକ ବିଦ୍ୟାଳୟରେ ଛାତ୍ରୀ ସନ୍ତାନ ପ୍ରସବ ଘଟଣା ଓ ଛାତ୍ର ମୃତ୍ଯୁ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବୀ ଓ ଅବିଭାବକ ମହଲରେ ଉଦବେଗ ପ୍ରକାଶ ପାଇଛି l

Leave A Reply

Your email address will not be published.