ମ୍ୟାନେଜମେଂଟ ଛାତ୍ରଛାତ୍ରୀ ଭବିଷ୍ୟତର ସୁଯୋଗ ପାଇଁ ପ୍ରସ୍ତୁତ ରହିବା ଉଚିତ୍‌: ତପନ ଚାନ୍ଦ

ଭୁବନେଶ୍ୱର , ୧୭/ ୧୦ : ସାରା ବିଶ୍ୱ ବର୍ତମାନ ଚତୁର୍ଥ ଶିଳ୍ପ ବିପ୍ଲବର ଦ୍ୱାର ଦେଶରେ ଥିବା ବେଳେ ଛାତ୍ରଛାତ୍ରୀମାନେ ଭବିଷ୍ୟତର ଏହି ସୁଯୋଗକୁ ହାସଲ କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ ବୋଲି ବେଦାନ୍ତ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ନାଲ୍‌କୋର ପୂର୍ବତନ ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ତପନ କୁମାର ଚାନ୍ଦ ସୋମବାର ମତ ଦେଇଛନ୍ତି ।

ତଥ୍ୟ ଅନୁସାରେ ବିଶ୍ୱ ସ୍ତରରେ ମ୍ୟାନେଜମେଂଟ ଶିକ୍ଷା ବେଶ ପ୍ରସିଦ୍ଧି ଲାଭ କରିଥିବା ବେଳେ ଭାରତରେ ମଧ୍ୟ ଏହା ଖୁବ୍ ଲୋକପ୍ରିୟତା ହାସଲ କରିଛି । ୨ ବର୍ଷ ମଧ୍ୟରେ ଛାତ୍ରଛାତ୍ରୀମାନେ ଖବୁ୍ ଭଲ ନିଯୁକ୍ତିର ସୁଯୋଗ ପାଇପାରିବେ ବୋଲି ଶ୍ରୀ ଚାନ୍ଦ କହିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ସାଇନ୍‌ସେସ୍ (ଆଇବିସିଏସ୍‌)ର ନୂତନ ଛାତ୍ରଛାତ୍ରୀମାନଙ୍କର ଇଣ୍ଡକ୍ସନ୍ କାର୍ଯ୍ୟକ୍ରମରେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି ଶ୍ରୀ ଚାନ୍ଦ ।

ଆଗାମୀ ଦିନରେ ମ୍ୟାନେଜମେଂଟ ଗ୍ରାଜୁଏଟ୍‌ଙ୍କ ପାଇଁ ଚାକିିରୀର ଅନେକ ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ସୋଆର କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ, ଜିନ୍ଦଲ୍ ଷ୍ଟେନ୍‌ଲେସ୍ ଲିମିଟେଡ୍ ରେସିଡେଂଟ ଡାଇରେକ୍ଟର ଶ୍ରୀ ଶଶିଭୂଷଣ ଉପାଧ୍ୟାୟ ଏବଂ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଆସିଷ୍ଟାଂଟ ଜେନେରାଲ ମ୍ୟାନେଜର (ସ୍ମଲ ଆଣ୍ଡ ମିଡିୟମ୍ ଏନ୍‌ଟରପ୍ରାଇଜେସ୍‌) ଶ୍ରୀ ବିଜୟ କୁମାର ମହାନ୍ତି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଆଇବିସିଏସ୍‌ର ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବୃଦ୍ଧି କରିବା ଦ୍ୱାରା ସେମାନେ କିଭଳି ଭଲ ନିଯୁକ୍ତିର ସୁଯୋଗ ପାଇପାରିବେ କିମ୍ବା ସ୍ୱାଧୀନ ଭାବେ ରୋଜଗାରକ୍ଷମ ହୋଇପାରିବେ ତାହା ହିଁ ଏହି ଅନୁଷ୍ଠାନର ଲକ୍ଷ୍ୟ ବୋଲି କହିିଥିଲେ ।

ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ଏବଂ ଏମ୍‌ବିଏ ପ୍ରୋଗ୍ରାମ୍‌ର ଏକାଡେମୀକ୍ କୋର୍ଡିନେଟର ପ୍ରଫେସର ଦୁର୍ଯ୍ୟୋଧନ ଜେନା ମଧ୍ୟ ବକ୍ତବ୍ୟ ରଖିଥିଲେ ।

ଶ୍ରୀ ଉପାଧ୍ୟାୟ ନିୟମିତ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଗୁରୁତ୍ୱ ଦେଇଥିବା ବେଳେ ଶ୍ରୀ ମହାନ୍ତି କହିଥିଲେ ଯେ ବିଶ୍ୱବ୍ୟାପୀ ବର୍ତମାନ ଅର୍ଥନୈତିକ ସ୍ଥିତି ଧିମା ପଡ଼ିଥିବା ବେଳେ ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ ।

ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଫେସର ମହାପାତ୍ର କହିଥିଲେ ଯେ ମ୍ୟାନେଜମେଂଟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ ହେଉଛି ସମୟ ଏବଂ ଜୀବନର ପରିଚାଳନା । ଆମେ ନିଜକୁ ଠିକ୍ ଭାବେ ପରିଚାଳିତ କରିପାରୁ ନଥିବାରୁ ସମସ୍ୟାର ସମ୍ମୁଖୀନ ହେଉଛୁ ବୋଲି ସେ କହିଥିଲେ ।

Leave A Reply

Your email address will not be published.