କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ, ହଳଦୀ ଚାଷୀ ଖୁସ

ଫୁଲବାଣୀ, ୧୭/୧୦: ଓଡିଶା ପ୍ରସିଦ୍ଧ କନ୍ଧମାଳ ହଳଦୀକୁ ପୁଣି ମିଳିଲା ଏନଆଇପି ଆୱାର୍ଡ l କୃଷି ବର୍ଗରେ ସର୍ବାଧିକ ଭୋଟ ପାଇ ଏହି ପୁରସ୍କାର ଲାଭ କରିଛି କନ୍ଧମାଳ ହଳଦୀ l ନୂଆ ଦିଲ୍ଲୀଠାରେ ଆଇପି କନଫରେନ୍ସରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତିରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା l ତେବେ ପୁରସ୍କାର ଗ୍ରହଣ କରିବାକୁ ପହଞ୍ଚି ପାରିନଥିଲେ କେହି l ଏଥି ପୂର୍ବରୁ ଉତ୍କୃଷ୍ଟମାନ ଓ ଗୁଣବତ୍ତା ପାଇଁ କନ୍ଧମାଳ ହଳଦୀକୁ ଜିଆଇ ଟାଗ ମିଳିଥିଲା l ଏବେ ୨୦୨୧-୨୨ ବର୍ଷ ପାଇଁ ଏନଆଇପି ଆୱାର୍ଡ ମିଳିଛି l ପ୍ରଥମ ଥର ପାଇଁ ଜିଆଇ ମାନ୍ୟତା ପାଇଥିବା ସାମଗ୍ରିକୁ ନେଇ (ନ୍ୟାସନାଲ ଇଣ୍ଟେଲେକଚୁଆଲ ପ୍ରପରଟି )ଏନଆଇପି ଆୱାର୍ଡ ଆୟୋଜିତ ହୋଇଥିଲା l ଏଥିପାଇଁ ଦେଶରେ ଭୋଟିଂ ମାଧ୍ୟମରେ ଜନମତ ସର୍ଭେ ହୋଇଥିଲl ଏଥିରେ ସର୍ବାଧିକ ଭୋଟ ପାଇଥିବା ସାମଗ୍ରି ଗୁଡିକୁ ପୁରସ୍କୃତ କରାଯାଇଥିଲା l କୃଷି, କଳା, ଖାଦ୍ୟ ସାମଗ୍ରୀ ଆଦି ପାଞ୍ଚଟି ବର୍ଗରେ ଏହି ପୁରସ୍କାର ଦିଆଯାଇଥିଲା l କୃଷି ବର୍ଗରେ କନ୍ଧମାଳ ହଳଦୀକୁ ଏହି ପୁରସ୍କାର ମିଳିଛି l ପୁରସ୍କାର ପାଇବା ପରେ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, କନ୍ଧମାଳ ହଳଦୀ ସୋସାଇଟି କସମର ସମ୍ପାଦକ ସଂଜିତ ପଟନାୟକ ଓ ଭୁବେନେଶ୍ୱର ବ୍ରାଞ୍ଚ ହେଡ଼ ତଥା ଅବସରପ୍ରାପ୍ତ ଉଦ୍ୟାନ ଉପନିର୍ଦେଶକ ମନୋଜ ଦାସ, ବର୍ତମାନର ଉଦ୍ୟାନ ବିଭାଗ ଉପନିର୍ଦେଶକ ମିହିର କୁମାର ସାମନ୍ତରାୟ ପ୍ରମୁଖଙ୍କ ସମେତ ହଳଦୀ ଚାଷୀମାନେ ଖୁସିବ୍ୟକ୍ତ କରିଛନ୍ତି l ଏହାଦ୍ୱାରା ଉନ୍ନତ ମାନର ହଳଦୀ ପ୍ରସ୍ତୁତ ସହ ପ୍ରଚାର ପ୍ରସାର ପାଇଁ ନିଷ୍ଠା, ଆନ୍ତରିକତା ଓ ଅଧିକ ଉତ୍ସାହର ସହ କାମ କରିବା ଲାଗି ପ୍ରେରଣା ମିଳିବ ବୋଲି ସମ୍ପାଦକ ସଂଜିତ ପଟନାୟକ କହିଛନ୍ତି l ଚାଷୀମାନେ ମଧ୍ୟ ଏହା ଦ୍ୱାରା ଉତ୍ସାହିତ ହୋଇ ଅଧିକ ହଳଦୀ ଉତ୍ପାଦନ କରିବେ ବୋଲି କହିଛନ୍ତି l କସମ ସମ୍ପାଦକ ସଂଜିତ ପଟନାୟକଙ୍କ ନିଷ୍ଠାପର ଉଦ୍ୟମ, ଆଗ୍ରହ ଓ ପରିଶ୍ରମ ଯୋଗୁଁ କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇପାରିଥିଲା ଆଉ ଏବେ ଏନଆଇପି ଆୱାର୍ଡ ପାଇ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି l ଏହା ଦ୍ୱାରା କନ୍ଧମାଳ ହଳଦୀର ଚାହିଦା ବୃଦ୍ଧି ପାଇବ ନିଶ୍ଚୟ l

Leave A Reply

Your email address will not be published.